ସମ୍ବଲପୁର କୋର୍ଟ ପରିସରରେ ଭଙ୍ଗାରୁଜା ମାମଲା: ଫେବ୍ରୁଆରି ୯ରେ ଆଇନଜୀବୀଙ୍କ ଜାମିନ ଆବେଦନର ଶୁଣାଣି

କଟକ : ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବିରେ ସମ୍ବଲପୁର କୋର୍ଟ ପରିସରରେ ହୋଇଥିବା ଭଙ୍ଗାରୁଜା ମାମଲାରେ ଗିରଫ ହୋଇ ଜେଲରେ ଥିବା ଆଇନଜୀବୀମାନଙ୍କ ଜାମିନ ଆବେଦନର ପରବର୍ତ୍ତୀ ଶୁଣାଣି ଫେବ୍ରୁଆରି ୯କୁ ଧାର୍ଯ୍ୟ କରାଯାଇଛି। ଆଜି ଏ ସଂପର୍କିତ ୨୧ଟି ନିୟମିତ ଜାମିନ ଆବେଦନର ହାଇକୋର୍ଟ ଏକତ୍ର ଶୁଣାଣି କରି ଆବେଦନକାରୀଙ୍କ ବିରୋଧରେ କଣ ସବୁ ଅପରାଧିକ ମାମଲା ରହିଛି ସେ ନେଇ ତଥ୍ୟ ଦାଖଲ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଭି.ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଇନଜୀବୀ ପ୍ରମୋଦ କୁମାର ସରାଫ, ସୁରେଶ୍ବର ମିଶ୍ର, ପ୍ରଦୀପ ବହିଦାର, ରତନଲାଲ ଅଗ୍ରୱାଲ, ସୁରେନ୍ଦ୍ର ମହାନ୍ତି, ସତ୍ୟନାରାୟଣ ପଣ୍ଡା, ବିଷ୍ଣୁପ୍ରସାଦ ପାଢୀ, ଶିବ କୁମାର ଦିୱାନ, ଆଶିଷ ଗୁରୁ, ବିଦ୍ୟାଧର ପଣ୍ଡା, ବିମଳକାନ୍ତ ମହାପାତ୍ର ଓ ଅନ୍ୟମାନଙ୍କ ତରଫରୁ ଦାୟର ନିୟମିତ ଜାମିନ ଆବେଦନ ଗୁଡିକର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ସମ୍ବଲପୁର ଘଟଣାରେ ଗିରଫ ଆଇନଜୀବୀ ଓ ଅନ୍ୟ ବ୍ୟକ୍ତିଙ୍କ ତରଫରୁ ହାଇକୋର୍ଟରେ ପ୍ରାୟ ୨୧ଟି ନିୟମିତ ଜାମିନ ଆବେଦନ ଦାୟର କରାଯାଇଛି। ନିମ୍ନ ଅଦାଲତରେ ଜାମିନ ଖାରଜ ହେବା ପରେ ହାଇକୋର୍ଟରେ ଏହି ଆବେଦନ ସବୁ ଦାୟର କରାଯାଇଛି। ଅନ୍ୟପକ୍ଷରେ ସମ୍ବଲପୁର ଘଟଣାରେ ମଧ୍ୟ କେତେକ ଆଗୁଆ ଜାମିନ ଆବେଦନ ହାଇକୋର୍ଟରେ ବିଚାରାଧୀନ ରହିଛି। କେତେକ ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ବିଜୟ କୁମାର ରଗଡ଼ ଓ ଲକ୍ଷ୍ମୀନାରାୟଣ ପଟେଲ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର