ଦିଗପହଣ୍ଡି : କପି ରୋକିବାରୁ ଭଙ୍ଗାରୁଜା କଲେ ଛାତ୍ର

ଦିଗପହଣ୍ଡି : ମାଟ୍ରିକ୍‌ ପରୀକ୍ଷା ଶେଷଦିନରେ ସୋମବାର ଦିନ କପିପାଇଁ ତୁମୁଳକାଣ୍ଡ ଦେଖିବାକୁ ମିଳିଛି। କପିରେ ବାଧା ଦେବାରୁ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଫାସିଗୁଡ଼ା ହାଇସ୍କୁଲ୍ ପରୀକ୍ଷାକେନ୍ଦ୍ରରେ ଭଙ୍ଗାରୁଜା କରିଛନ୍ତି ମାଟ୍ରିକ୍ ପରୀକ୍ଷାର୍ଥୀ।

ସୂଚନା ଅନୁସାରେ, ସୋମବାର ଶେଷଦିନରେ ଗଣିତ ବିଷୟରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ପରୀକ୍ଷାର୍ଥୀମାନେ କପି କରୁଥିବାବେଳେ ନିରୀକ୍ଷକମାନେ ସେମାନଙ୍କୁ ରୋକିଥିଲେ। ଏଥିରେ ୧୦ରୁ ୧୫ ଜଣ ଛାତ୍ର ଉତ୍‌କ୍ଷିପ୍ତ ହୋଇ ପରୀକ୍ଷା ଶେଷ ହେବାପରେ ପଙ୍ଖା, ସ୍ମାର୍ଟକ୍ଲାସ୍‌ ରୁମ୍‌ର ଇଲେକ୍ଟ୍ରିକ୍‌ ବୋର୍ଡ ଓ ବଲବ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ଭାଙ୍ଗିଦେଇଥିଲେ। ସମସ୍ତ ଛାତ୍ର ଭୀଷ୍ମଗିରି ହାଇସ୍କୁଲ୍‌ର ବୋଲି ଫାସିଗୁଡ଼ା ହାଇସ୍କୁଲ୍ ପ୍ରଧାନଶିକ୍ଷକ ସୁବାସ ଦାସ କହିଛନ୍ତି। ଘଟଣା ବିଷୟରେ ଭୀଷ୍ମଗିରି ହାଇସ୍କୁଲ୍‌ ପ୍ରଧ‌ାନଶିକ୍ଷକଙ୍କୁ ଅବଗତ କରାଯାଇଥିଲା। ଉକ୍ତ ଛାତ୍ରମାନଙ୍କୁ ସେ ଡାକି ପଚରାଉଚରା କରଯାଇଥିବା ଜଣାପଡ଼ିଛି। ଦିଗପହଣ୍ଡି ବ୍ଲକ୍ ଶିକ୍ଷାଧିକାରୀ କୁରେଶୁ ସେଠୀ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି।

ତେବେ, ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସତ୍ତ୍ବେ ପରୀକ୍ଷାର୍ଥୀଙ୍କ ଏଭଳି ତୁମୁଳକାଣ୍ଡ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ପରୀକ୍ଷାକେନ୍ଦ୍ରରେ ବ୍ୟାପକ କପି କାରବାର ହେଉଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ, ଦିଗପହଣ୍ଡି ବ୍ଲକ୍‌ରେ ସର୍ବମୋଟ ୧୨ଟି ପରୀକ୍ଷାକେନ୍ଦ୍ର ହୋଇଛି। ବମକେଇ ଶିବାନନ୍ଦ ନୋଡାଲ ହାଇସ୍କୁଲ୍ ସମେତ ଅନ୍ୟ ଏକ ସ୍କୁଲରେ ପର୍ଯ୍ୟବେକ୍ଷକ ଭାବେ ଏବିଇଓ ରସାନନ୍ଦ ଘଡେଇଙ୍କୁ ନିଯୁକ୍ତି କରାଯାଇଥିଲା। ବାକି ୧୦ଟି କେନ୍ଦ୍ରରେ କୌଣସି ପର୍ଯ୍ୟବେକ୍ଷକ ନିଯୁକ୍ତି ହୋଇନାହାନ୍ତି। ସଂପୃକ୍ତ ଛାତ୍ରମାନେ ଦୋଷକୁ ମଧ୍ୟ ସ୍ବୀକାର କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର