ଭୁବନେଶ୍ବର: କଟକ ରୋଡ୍‌ର ଲକ୍ଷ୍ମୀସାଗରରେ ଥିବା ବିଏମ୍‌ସି ‘ଯାତ୍ରୀନିବାସ’ ଭଙ୍ଗାହେବ। ଘରୋଇ ସଂସ୍ଥା ସହଯୋଗରେ ସେଠାରେ ଏକ ଦାମୀ ହୋଟେଲ ନିର୍ମାଣ କରିବାକୁ ବିଏମ୍‌ସି କରିଥିବା ଯୋଜନାରୁ ଓହରି ଯାଇଛି। ବିଭିନ୍ନ ସ୍ତରରେ ବିରୋଧ ଓ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ସ୍ବୀକୃତି ନ ମିଳିବାରୁ ବିଏମ୍‌ସି ଏହାକୁ ଭାଙ୍ଗି ନୂଆ ଯାତ୍ରୀନିବାସ ତିଆରି କରିବାକୁ ଯୋଜନା କରିଛି। ଏହାର ସଂରଚନାତ୍ମକ ସୁରକ୍ଷା (ଷ୍ଟ୍ରକ୍‌ଚରାଲ୍‌ ସେଫ୍ଟି) ତର୍ଜମା କରି ମତାମତ ଦେବା ପାଇଁ ବିଏମ୍‌ସି ପୂର୍ତ୍ତ ବିଭାଗ ମୁଖ୍ୟଯନ୍ତ୍ରୀ (ରାସ୍ତା ଓ ‌କୋଠାବାଡ଼ି)ଙ୍କୁ ଚିଠି ଲେଖିଛି। ବିଭାଗରୁ ମତାମତ ମିଳିବା ପରେ ଏହାକୁ କର୍ପୋରେସନ ବୈଠକରେ ଉପସ୍ଥାପନ କରାଯିବ। ଏହାକୁ କିଭଳି ନିର୍ମାଣ କରାଯିବ ସେ ନେଇ ଯୋଜନା ପ୍ରସ୍ତୁତ ହେବ।

Advertisment

କମ୍‌ ଖର୍ଚ୍ଚରେ ଭୁବନେଶ୍ବରରେ ରହିବା ପାଇଁ ସରକାରୀସ୍ତରରେ କୌଣସି ପ୍ରକାରର ବ୍ୟବସ୍ଥା ନଥିବାରୁ ୧୯୮୫ ମସିହାରେ ଏଠାରେ ଯାତ୍ରୀନିବାସ ନିର୍ମାଣ କରିବାକୁ ଭୁବନେଶ୍ବର ମୁନିସିପାଲିଟି(ତତ୍‌କାଳୀନ) ଯୋଜନା କରିଥିଲା। ଜମି ଜିଏ ବିଭାଗର ହୋଇଥିବାରୁ ତତ୍‌କାଳୀନ ପୌରାଧ୍ୟକ୍ଷ ବିଭାଗକୁ ଜମି ପାଇଁ ଚିଠି ଲେଖିଥିଲେ। ୧୯୮୬ ମସିହା ଫେବ୍ରୁଆରି ୧୧ ତାରିଖରେ ପ୍ଲଟ୍‌ ନମ୍ବର ଏ-୧୮ର ୭୫ ଡିସିମିଲି ଜମିକୁ ଜିଏ ବିଭାଗ ବିଏମ୍‌ସି ନାମରେ କରିଥିଲା। ସର୍ତ୍ତ ଥିଲା, ଏଠାରେ ଧର୍ମଶାଳା ନିର୍ମାଣ ହେବ। ଏଥିପାଇଁ ମ୍ୟୁନିସିପାଲିଟିକୁ ଏକର ପିଛା ୭୫ହଜାର ହିସାବରେ ୧୦ବର୍ଷ ପାଇଁ ୫୬ହଜାର ୨୫୦ଟଙ୍କା ଜମା କରିବାକୁ ପଡ଼ିବ। ଗୋଟିଏ କିସ୍ତିରେ ବର୍ଷକୁ ୫ ହଜାର ୬୨୫ ଟଙ୍କା ଲେଖାଏଁ ୧୦ ବର୍ଷରେ ୧୦ଟି କିସ୍ତିରେ ଭୁବନେଶ୍ବର ମ୍ୟୁନିସିପାଲିଟି ଏହି ଅର୍ଥ ଜମା କରିଥିଲା। ମାସକୁ ଏକର ପିଛା ୨୫୦ ହିସାବରେ ଏହି ପ୍ଲଟ୍‌ର ଭଡ଼ା ବାର୍ଷିକ ୧୮୭ଟଙ୍କା ୫୦ ପଇସା ଧାର୍ଯ୍ୟ ହୋଇଥିଲା। ନିର୍ମାଣ କରିବାକୁ ୨ବର୍ଷ ଲାଗିଥିଲା। ୧୯୮୮ ମସିହାରେ ଏହି ଯାତ୍ରୀନିବାସ ସର୍ବସାଧାରଣଙ୍କ ପାଇଁ ଲୋକାର୍ପିତ ହୋଇଥିଲା। ଏଠାରେ ଥିବା ୩ଟି ଡର୍ମିଟୋରି, ୪୨ଟି ତିନି ଶଯ୍ୟାବିଶିଷ୍ଟ, ଦୁଇଟି ୫ ଶଯ୍ୟାବିଶିଷ୍ଟ ଓ ୪ଟି ଦୁଇ ଶଯ୍ୟାବିଶିଷ୍ଟ ରୁମ୍‌ ରହିଥିଲା। ଭଡ଼ା ବାବଦକୁ ବିଏମ୍‌ସିର ବର୍ଷକୁ ପାଖାପାଖି ୨୫ଲକ୍ଷ ଟଙ୍କା ଆୟ ହେଉଥିଲା।

ତେବେ ୨୦୨୨ ମସିହାରେ ବିଏମ୍‌ସି ଏହାକୁ ହୋଟେଲ କରିବାକୁ ଯୋଜନା କଲା। ୬୦/୪୦ ହିସାବରେ ଏକ ଘରୋଇ ସଂସ୍ଥା ଏହାକୁ ନିର୍ମାଣ କରିବା ସହ ପରିଚାଳନା କରିଥା’ନ୍ତା। ଅର୍ଥାତ୍‌ ହୋଟେଲ ତିଆରି କରିବା ପରେ ଘରୋଇ ସଂସ୍ଥା ୬୦ ପ୍ରତିଶତ ଲାଭାଂଶ ନେଇଯାଇଥାନ୍ତା। ଏହି ହିସାବରେ ବିଏମ୍‌ସି ସ୍ବୀକୃତି ପାଇଁ ମୂଳ ମାଲିକ ଜିଏ ବିଭାଗକୁ ଚିଠି ଲେଖିଥିଲା। ଏ ନେଇ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ କର୍ପୋ‌ରେସନ ବୈଠକରେ ବିରୋଧ ହୋଇଥିଲା। ଏଣୁ ବିଭାଗ ସ୍ବୀକୃତି ପ୍ରଦାନ କରିନଥିଲା। ଏପଟେ ଏହାକୁ ୩୬ ବର୍ଷ ପୂରି ଯାଇଛି। ପୁରୁଣା ଘର ହୋଇଥିବାରୁ ଚାହିଦା ରହୁନାହିଁ। ନୂଆରୂପ ନେଲେ ଚାହିଦା ରହିବ ଓ ଭଲ ରାଜସ୍ବ ଆୟ ହେବ ବୋଲି ବିଏମ୍‌ସି କହିଛି।