ରାଉରକେଲା: ରାଉରକେଲା ଦେଇ ଦ୍ବିତୀୟ ବନ୍ଦେଭାରତ ଏକ୍ସପ୍ରେସ୍‌ ଚଳାଚଳ ନେଇ ଭିନ୍ନ ଭିନ୍ନ କଳ୍ପନାଜଳ୍ପନା ଲାଗି ରହିଥିଲା। ବିଶେଷକରି ମେ’ ୧୮ରେ ରାଜ୍ୟରେ ପ୍ରଥମ ବନ୍ଦେଭାରତ ଏକ୍ସପ୍ରେସ୍‌ର ଶୁଭାରମ୍ଭ ପରେ ଏନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। ତେବେ ପ୍ରତୀକ୍ଷାର ଅନ୍ତ ଘଟିଛି। ସୋମବାର ଭୁବନେଶ୍ବରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ରାଉରକେଲା-ଭୁବନେଶ୍ବର ମଧ୍ୟରେ ଦ୍ବିତୀୟ ବନ୍ଦେଭାରତ ଏକ୍ସପ୍ରେସ୍‌ ଚଳାଚଳ ନେଇ ଘୋଷଣା କରିଛନ୍ତି। ‌ଏନେଇ କାମ ଆଗେଇ ସାରିଥିବାବେଳେ ରୁଟ୍‌ ଚାର୍ଟ ବି ପ୍ରସ୍ତୁତ ହୋଇସାରିଥିବା ରେଳମନ୍ତ୍ରୀ କହିଛନ୍ତି। ତେବେ ନିର୍ଦ୍ଦିଷ୍ଟ କେବେଠାରୁ ଓ କେଉଁ ସମୟରେ ଟ୍ରେନ୍‌ ଗଡ଼ିବ ତାହା ଘୋଷଣା ହୋଇନି। ଏହି ଘୋଷଣାପରେ ସହରରେ ଉତ୍ସବର ମାହୋଲ ଖେଳିଯାଇଛି। ରାଉରକେଲା-ଭୁବନେଶ୍ବର ମଧ୍ୟରେ ଏହି ଏକ୍ସପ୍ରେସ୍‌ ଚଳାଚଳ କରିବାର ଯଥାର୍ଥତା, ଆବଶ୍ୟକତାକୁ ଅବଲୋକନ କରି ପୂର୍ବରୁ ‘ସମ୍ବାଦ’ରେ ଏକାଧିକ ରିପୋର୍ଟ ପ୍ରକାଶ ପାଇଥିଲା। ଏମିତିକି ଗତ ଏପ୍ରିଲ ୨୮ ତାରିଖରେ ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ ରେଳମନ୍ତ୍ରୀଙ୍କୁ ପତ୍ର ଲେଖି ବନ୍ଦେଭାରତ ଏକ୍ସପ୍ରେସ୍‌ ଚଳାଚଳ ନେଇ ଦୃଷ୍ଟି ଆକର୍ଷଣ କରିଥିଲେ।

Advertisment

ପ୍ରସ୍ତାବିତ ବନ୍ଦେଭାରତ ଏକ୍ସପ୍ରେସ୍‌ ପ୍ରମୁଖ ସହରକୁ ସଂଯୋଗ କରିବ। ଏହା ରାଉରକେଲାରୁ ବାହାରି ଝାରସୁଗୁଡ଼ା-ସମ୍ବଲପୁର- ଅନୁଗୁଳ-ତାଲଚେର-ଢ଼େଙ୍କାନାଳ ଦେଇ ଭୁବନେଶ୍ବରରେ ପହଞ୍ଚିବ। ଏହାଦ୍ବାରା ରାଉରକେଲାବାସୀ ବହୁଳଭାବରେ ଉପକୃତ ହେବେ। ସଂପ୍ରତି ରାଉରକେଲାରୁ ଭୁବନେଶ୍ବରକୁ ମାତ୍ର ୭ଟି ଟ୍ରେନ୍‌ ଚଳାଚଳ କରୁଛି। ସେଗୁଡ଼ିକ ହେଲା ରାଉରକେଲା-ଭୁବନେଶ୍ବର ଇଣ୍ଟରସିଟି(ସକାଳ ୫.୧୫), ରାଉରକେଲା-ପୁରୀ- ଏକ୍ସପ୍ରେସ୍‌( ସକାଳ ୮ଟା), ଭୁବନେଶ୍ବର ରାଜଧାନୀ ଏକ୍ସପ୍ରେସ୍‌(କେବଳ ସୋମବାର), କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍‌(ମଧ୍ୟାହ୍ନ ୨.୫୦), ତପସ୍ବିନୀ ଏକ୍ସପ୍ରେସ୍‌( ସନ୍ଧ୍ୟା ୭.୨୦), ରାଜ୍ୟରାଣୀ ଏକ୍ସପ୍ରେସ୍‌(ରାତି ୯.୫୦) ଓ ଭୁବନେଶ୍ବର ସ୍ପେଶାଲ ଫେୟାର୍‌ ସ୍ପେଶାଲ(ରାତି ୧୧.୨୫)। ଏଥିମଧ୍ୟରୁ ୬ଟି ପ୍ରତ୍ୟହ ଚାଲୁଥିବାବେଳେ ସପ୍ତାହକୁ ଥରେ ଭୁବନେଶ୍ବର ରାଜଧାନୀ ଏକ୍ସପ୍ରେସ ଚାଲୁଛି।

ରାଉରକେଲା-ଭୁବନେଶ୍ବର ମଧ୍ୟରେ ଚଳାଚଳ କରୁଥିବା ଗୋଟିଏ ବି ଟ୍ରେନ୍‌ ନିର୍ଦ୍ଧାରିତ ସମୟରେ ପହଞ୍ଚୁନି; ଯଦ୍ବାରା ଲୋକେ ଯାବତୀୟ ହଇରାଣ ହରକତ ହେବା ହିଁ ସାର ହେଉଛି। ଏବେ ଭୁବନେଶ୍ବର ଇଣ୍ଟରସିଟିର ରହଣି ସଂଖ୍ୟାରେ ବୃଦ୍ଧି କରାଯିବା; ବିଳମ୍ବର ଅନ୍ୟତମ କାରଣ ପାଲଟିଛି। ପ୍ରକାଶଥାଉକି, ଇଣ୍ଟରସିଟି ଏକ୍ସପ୍ରେସ୍‌ ଶୁଭାରମ୍ଭବେଳେ ଏହା କେବଳ ରାଜଗାଙ୍ଗପୁର, ବାମରା ଝାରସୁଗୁଡ଼ା, ରେଙ୍ଗାଲି, ସମ୍ବଲପୁର ସିଟି, ରେଢ଼ାଖୋଲ, ଅନୁଗୁଳ, ତାଳଚେର ରୋଡ୍‌, ଢ଼େଙ୍କାନାଳ ରେଳ ଷ୍ଟେସନରେ ରହୁଥିଲା। ପରବର୍ତ୍ତୀ ସମୟରେ ବଇଣ୍ଡା ଓ ବାଗଡ଼ିହି ଷ୍ଟେସନରେ ରହିବା ଆରମ୍ଭ କରିଥିଲା। ଏବେ ହିନ୍ଦୋଳ ରେଳ ଷ୍ଟେସନରେ ପରୀକ୍ଷାମୂଳକ ରହଣି ଆରମ୍ଭ ହୋଇଯାଇଛି। ଫଳରେ ଏହି ଇଣ୍ଟରସିଟି ଅଯଥା ବିଳମ୍ବରେ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିପାରୁନି। ଏତଦ୍‌ବ୍ୟତୀତ ଦିନବେଳେ ରାଉରକେଲାରୁ ଭୁବନେଶ୍ବରକୁ କୌଣସି ସିଧାସଳଖ ଏକ୍ସପ୍ରେସ୍‌ ଟ୍ରେନ୍‌ ନାହିଁ। ଫଳରେ ଲୋକେ ଗମନାଗମନରେ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଣୁ ଏହି ଘୋଷଣା ସହରବାସୀଙ୍କୁ ବହୁମାତ୍ରାରେ ଆଶ୍ବସ୍ତ କରିଛି।