ଭଦ୍ରକ: ଦୁଇ ଦିନ ପୂର୍ବରୁ ପୁରୀ ରେଳଷ୍ଟେସନରେ ଲୋକାର୍ପିତ ହୋଇଥିବା ଟ୍ରେନ୍‌ ନମ୍ବର ୨୨୮୯୬ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଆଜି ଅପରାହ୍‌ଣ ସମୟରେ ଯାଜପୁର ଜିଲ୍ଲା ବୈତରଣୀ ରୋଡ୍‌ ଏବଂ ଭଦ୍ରକ ଜିଲ୍ଲା ମଞ୍ଜୁରୀରୋଡ ଷ୍ଟେସନ ମଝିରେ ଅଟକିଛି। ଭାରତୀୟ ରେଳବାଇର ଦ୍ରୁତଗାମୀ ଟ୍ରେନ୍‌ଟି କାଳବୈଶାଖୀର ସଂସ୍ପର୍ଶରେ ଆସିଥିବାରୁ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରେନ୍‌ର ସାମ୍ନା କାଚ ଭାଙ୍ଗି ଯାଇଛି। ଏଥି ସହିତ ସାମାନ୍ୟ ଯାନ୍ତ୍ରିକ ତ୍ରୁଟି ମଧ୍ୟ ଦେଖାଯାଇଛି। ଟ୍ରାକ୍‌ରେ ଏକ ଗଛ ପଡ଼ିଥିବାରୁ ଟ୍ରେନ୍‌ର ଯାତାୟତରେ ଅସୁବିଧା ଦେଖାଯାଇଛି। ଏହାର ଗତି ବଢ଼ାଇବା ପାଇଁ ରେଳବାଇ ତରଫରୁ ଉଦ୍ୟମ ଜାରି ରହିଛି। ତେବେ ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି ଯେ, ଟ୍ରେନ୍‌ଟି ଏକ ଡିଜେଲ ଇଞ୍ଜିନ ମାଧ୍ୟମରେ ହାୱଡା ଅଭିମୁଖେ ବାହାରିବ।

Advertisment

publive-image

ସୂଚନା ଅନୁସାରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଆଜି ଦୀର୍ଘ ସମୟ ଧରି ମଞ୍ଜୁରୀରୋଡ଼ ଷ୍ଟେସନର ଅନତିଦୂରରେ ଅଟକି ରହିଛି। ଟ୍ରେନ୍‌ଟି ପୁରୀରୁ ହାୱଡା ଆସୁଥିବା ବେଳେ ଦିନପ୍ରାୟ ୪.୩୫ମିନିଟ ସମୟରେ ଏହା କାଳ ବୈଶାଖୀର ଶିକାର ହୋଇଥିଲା। ହଠାତ ଝଡବର୍ଷା ଆରମ୍ଭ ହୋଇଥିବା ବେଳେ ଏହା  ଉଗ୍ରରୂପ ନେଇଥିଲା। ପବନର ବେଗ ବୃଦ୍ଧି ପାଇବାରୁ ଟ୍ରେନ ଲାଇନର ତାର ମଧ୍ୟ ଛିଡି ଯାଇଥିଲା। ଫଳରେ ମଞ୍ଜୁରୀରୋଡ଼ ଷ୍ଟେସନର ଅନତିଦୂର ଖପୁରିଆପଦା ଗାଁ ଦେଇ ଯାଇଥିବା ରେଳଧାରଣା ଉପରେ ବନ୍ଦେ ଭାରତ ଟ୍ରେନ ବାଧ୍ୟ ହୋଇ ଅଟକି ରହିଥିଲା।

ଏହି ସମୟରେ ଗାଡ଼ିରେ ଯାନ୍ତ୍ରିକ ତ୍ରୁଟି ମଧ୍ୟ ଦେଖା ଦେଇଥିବା କୁହାଯାଉଛି। ପବନ ଯୋଗୁ ଗାଡିର ଆଗ କାଚ ଫାଟି ଥିବା ବେଳେ ଅନ୍ୟାନ୍ୟ କ୍ଷତି ମଧ୍ୟ ହୋଇଛି। ଏଭଳି ପରିସ୍ଥିତିରେ ଶହ ଶହ ଯାତ୍ରୀ ଗାଡିରୁ ଓହ୍ଲାଇ ରେଳଧାରଣ ଉପରେ ବୁଲୁଥିବା ଦେଖିବାକୁ ମିଳିଛି। ଏଥିଯୋଗୁଁ ଡାଉନ ଲାଇନରେ ଦୀର୍ଘ ୩ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଗାଡି ଚଳାଚଳ ବନ୍ଦ ରହିଥିବା ଜଣାପଡିଛି। ସୁଚନା ପାଇଁ ରେଳ ବିଭାଗର ଯାନ୍ତ୍ରିକ ଟିମ ସେଠାରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଜାରି ରଖିଥିବା ଦେଖିବାକୁ ମିଳିଛି। ରାତି ହୋଇଯାଇଥିବାରୁ ମରାମତି କାର୍ଯ୍ୟ ବିଳମ୍ବ ଘଟୁଥିବା ବେଳେ ଯାତ୍ରୀ ମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଖବର ଲେଖାହେବା ଯାଏଁ ଟ୍ରେନ ଚଳାଚଳ ସ୍ବାଭାବିକ ହୋଇନାହିଁ।