ଦୁଇ ବର୍ଷ ହେଲା ହୋଇନି ବାଣୀବିହାର ସମାବର୍ତନ ଉତ୍ସବ : ଆନ୍ତରିକତା ନାହିଁ ନା ମନମାନି?

ଭୁବନେଶ୍ୱର : ନାକ୍‌ ‘ଏ+’ ଗ୍ରେଡ୍‌ ହାସଲ କରିଥିବା ଉତ୍କଳ ବିଶ୍ୱବିଦ୍ୟାଳୟରେ ଦୁଇ ବର୍ଷ ହେଲା ହୋଇନି ସମାବର୍ତନ ଉତ୍ସବ। ଭିତ୍ତିଭୂମି ସାଙ୍ଗକୁ ବିଶ୍ୱସ୍ତରୀୟ ଶିକ୍ଷାନୁଷ୍ଠାନର ସ୍ୱପ୍ନ ଦେଖୁଥିବା ଉତ୍କଳ କର୍ତୃପକ୍ଷଙ୍କ ପରିବାପଣିଆ ନେଇ ପ୍ରଶ୍ନ ଉଠିଛି। ୨୦୧୭ ଫେବ୍ରୁଆରି ୩ରେ ଶେଷ ଥର ପାଇଁ ସମାବର୍ତର୍ନ ଉତ୍ସବ ଆୟୋଜିତ ହୋଇଥିଲା। ଏଥିରେ ୨୦୧୬ରେ କୃତକାର୍ଯ୍ୟ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପଦକ ସହ ସାର୍ଟିଫିକେଟ୍‌ ଦିଆଯାଇଥିଲା। ଏହାପରେ ୨୦୧୭ ଓ ୨୦୧୮ରେ ଲକ୍ଷାଧିକ ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟ ଅଧୀନରେ ଯୁକ୍ତ୩, ପିଜି, ଏମ୍‌.ଫିଲ୍‌, ପିଏଚ୍‌ଡି ଡିଗ୍ରି ହାସଲ କରିଥିଲେ ମଧ୍ୟ ସେମାନଙ୍କୁ ସାର୍ଟିଫିକେଟ୍‌ ପ୍ରଦାନ କରାଯାଇ ନାହିଁ। ଯେଉଁଥିପାଇଁ ଉଚ୍ଚଶିକ୍ଷା କରିବାକୁ ଯିବା ସମୟରେ ଛାତ୍ରଛାତ୍ରୀଙ୍କୁ ହଟହଟା ହେବାକୁ ପଡ଼ୁଛି। ଅସନ୍ତୋଷ ମଧ୍ୟ ବଢ଼ୁଛି।

ସମାବର୍ତନ ଉତ୍ସବ ଆୟୋଜନ କରିବାରେ ବିଫଳ ହୋଇଥିବା ବେଳେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ଏସ୍‌ସିବି ମେଡିକାଲ କଲେଜର ମହାବିଦ୍ୟାଳୟସ୍ତରୀୟ ସମାବର୍ତନ ଉତ୍ସବରେ ଯୋଗଦେଇ ଡିଗ୍ରି ଓ ପଦକ ବଣ୍ଟିଛନ୍ତି। ଯାହାକୁ ନେଇ ନେଇ ବିବାଦ ମୁଣ୍ଡ ଟେକେଛି। ଗୋଟିଏ ପଟେ କୁଳପତି ବିଶ୍ୱବିଦ୍ୟାଳୟର ସମାବର୍ତନ ଉତ୍ସବ ଆୟୋଜନ କରିପାରୁ ନାହାନ୍ତି। ଅନ୍ୟପଟେ କେଉଁଭଳି ଭାବେ ମେଡିକାଲ କଲେଜ ଉତ୍ସବରେ ଗାଉନ୍‌ ପିନ୍ଧି ମଞ୍ଚ ଉପରେ ମୁଖ୍ୟଅତିଥି ଭାବେ ଛିଡ଼ା ହେଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସବୁଠାରୁ ବଡ଼ କଥା ହେଉଛି ଯେ ବାକି ଥିବା ଦୁଇଟି ଯାକ ସମାବର୍ତନ ଉତ୍ସବ ବର୍ତମାନର କୁଳପତି ପ୍ରଫେସର ପଟ୍ଟନାୟକଙ୍କ ସମୟରେ ହିଁ ହୋଇପାରିନି। ତାଙ୍କ ପୂର୍ବରୁ କୁଳପତି ଥିବା ପ୍ରଫେସର ଅଶୋକ କୁମାର ଦାସଙ୍କ ସମୟରେ ନିୟମିତ ଭାବେ ସମାବର୍ତନ ଉତ୍ସବ ଆୟୋଜିତ ହୋଇଥିଲା। ଛାତ୍ରଛାତ୍ରୀଙ୍କୁ ଡିଗ୍ରି ଓ ପଦକ ମଧ୍ୟ ବଣ୍ଟନ କରାଯାଇଥିଲା। ହେଲେ ବର୍ତମାନର କୁଳପତି ଉତ୍ସବ ଆୟୋଜନ କରିବା ଦିଗରେ କାହିଁକି ଆନ୍ତରିକତା ପ୍ରକାଶ କରୁନାହାନ୍ତି ସେନେଇ ସନ୍ଦେହ ଉପୁଜିଛି। ପ୍ରଫେସରମାନେ କହିଛନ୍ତି ବିଶ୍ୱବିଦ୍ୟାଳୟରେ ଏବେ ଅଚଳାବସ୍ଥା ଚାଲିଛି। କେହି କାହାରି କଥା ଶୁଣିବାକୁ ପ୍ରସ୍ତୁତ ନୁହନ୍ତି। କନିଷ୍ଠ ଅଧ୍ୟାପକ, ପ୍ରାଧ୍ୟାପକଙ୍କୁ ବିଶ୍ୱବିଦ୍ୟାଳୟର ପ୍ରମୁଖ ପଦରେ ବସାଯାଇଛି। ସେମାନେ ନିଜ ମର୍ଜିରେ କାର୍ଯ୍ୟ କରୁଥିଲେ ମଧ୍ୟ କେହି ମୁହଁ ଖୋଲିପାରୁ ନାହାନ୍ତି। ଯଦି ବି କିଏ କେମିତି ସ୍ୱର ଉଠାଉଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଭୟ ଦେଖାଯାଉଛି। ବରିଷ୍ଠ ଅଧିକାରୀମାନେ ନିୟମିତ ଭାବେ କ୍ୟାମ୍ପସରେ ଅନୁପସ୍ଥିତ ରହୁଥିବାରୁ କୌଣସି ବିଷୟରେ ଆଲୋଚନା ହୋଇପାରୁନି। କେଉଁ ଆଧାରରେ ଏସ୍‌ସିବି ମେଡିକାଲ କଲେଜର ସମାବର୍ତନ ଉତ୍ସବ ମହାବିଦ୍ୟାଳୟସ୍ତରରେ ଆୟୋଜିତ ହେଲା? କୁଳାଧିପତିଙ୍କ ବିନା କୁଳପତି କେମିତି ମୁଖ୍ୟଅତିଥି ଭାବେ ଯୋଗଦେଲେ ତାହାକୁ ନେଇ ପ୍ରଶ୍ନଉଠିଥିଲେ ମଧ୍ୟ ଏପର୍ଯ୍ୟନ୍ତ କଲେଜ କର୍ତୃପକ୍ଷଙ୍କୁ କାହିଁକି କାରଣଦର୍ଶାଅ ନୋଟିସ୍‌ ଜାରି ହୋଇନି ବୋଲି ପ୍ରଫେସରମାନେ ପ୍ରଶ୍ନ କରିଛନ୍ତି।

ଗତ ୧୦ ବର୍ଷ ହେଲା ନିୟମିତ ଭାବେ ସମାବର୍ତନ ଉତ୍ସବ ଆୟୋଜିତ ହେଉଥିଲା। ଶିକ୍ଷାବର୍ଷ ଶେଷ ହେବା କ୍ଷଣି ଉତ୍ସବ ଆୟୋଜନ ଲାଗି ପ୍ରକ୍ରିୟା ଆରମ୍ଭ ହେଉଥିଲା। ହେଲେ ୨୦୧୬-୧୭ ଓ ୨୦୧୭-୧୮ ଶିକ୍ଷାବର୍ଷ କ୍ଷେତ୍ରରେ ଭିନ୍ନତା ଦେଖିବାକୁ ମିଳିଛି। ଦୁଇଟି ଶିକ୍ଷାବର୍ଷରେ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରୁ ଲକ୍ଷାଧିକ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସାର୍ଟିଫିକେଟ୍‌ ମିଳିପାରିନି।

ବିଶ୍ୱବିଦ୍ୟାଳୟ ଅଧୀନରେ ଏବେ ୩୫୩ଟି କଲେଜ ରହିଛି। ସେଥିମଧ୍ୟରୁ ୨୭୩ଟି ସାଧାରଣ କଲେଜ ଥିବା ବେଳେ ନର୍ସିଂ, ବିବିଏ, ବିସିଏ, ଏମ୍‌ବିବିଏସ୍‌, ଆୟୁର୍ବେଦିକ, ହୋମିଓପାଥିକ୍‌ ପରି ପାଠ୍ୟକ୍ରମର ୮୦ଟି କଲେଜ ରହିଛି। ବିଶ୍ୱବିଦ୍ୟାଳୟ ଅଧୀନରେ ଏସ୍‌ସିବି ମେଡିକାଲ କଲେଜ ରହିଛି। ଏହି ସବୁ କଲେଜର ଛାତ୍ରଛାତ୍ରୀଙ୍କୁ ସମାବର୍ତନ ଉତ୍ସବରେ ୯୬ଟି ପଦକ ଓ ଡିଗ୍ରି ସାର୍ଟିଫିକେଟ୍‌ ପ୍ରଦାନ କରାଯାଏ। ଉତ୍ସବରେ କୁଳାଧିପତି ସାର୍ଟିଫିକେଟ୍‌ ପୁସ୍ତକରେ ଦସ୍ତଖତ ମାରିବା ପରେ ଛାତ୍ରଛାତ୍ରୀ ସାର୍ଟିଫିକେଟ୍‌ ହାସଲ କରିଥାନ୍ତି। ଏସ୍‌ସିବି ମେଡିକାଲ କଲେଜସ୍ତରରେ କେଉଁଭଳି ଭାବେ ଉତ୍ସବ ଆୟୋଜନ କରାଯାଇ ସାର୍ଟିଫିକେଟ୍‌ ପ୍ରଦାନ କରାଗଲା ତାହାକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଛି।

ଉତ୍କଳ ବିଶ୍ୱବିଦ୍ୟାଳୟ ସମାବର୍ତନ ଉତ୍ସବ ଆୟୋଜିତ ହେଉ ନଥିବା ନେଇ ପିଜି କାଉସିନ୍‌ସିଲ୍‌ ଅଧ୍ୟକ୍ଷ ବ୍ରହ୍ମାନନ୍ଦ ଶତପଥୀଙ୍କୁ ପଚାରିବାରୁ ସେ କହିଥିଲେ କୁଳସଚିବଙ୍କୁ ପଚାର। କୁଳସଚିବ ଦୟାନିଧି ନାୟକଙ୍କୁ ଯୋଗଯୋଗ କରିବାରୁ ସେ କହିଲେ ମୁଁ ଉଚ୍ଚଶିକ୍ଷା ବିଭାଗରେ ଅଛି। ୩୦ ମିନିଟ୍‌ ପରେ ଯୋଗଯୋଗ କର। ୩୦ଟି ମିନିଟ୍‌ ପରେ ଯୋଗାଯୋଗ କରିବାରୁ କୌଣସି ଉତ୍ତର ଦେଇ ନ ଥିଲେ। କୁଳପତି ପ୍ର୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ସମାବର୍ତନ ଉତ୍ସବ ସମ୍ପର୍କରେ ମୁହଁ ଖୋଲିନାହାନ୍ତି।

ସମ୍ବନ୍ଧିତ ଖବର