ମେଧାବୀଙ୍କ ସହ ଖେଳୁଛି ବାଣୀବିହାର : ମାସେ ହେଲା ନାହାନ୍ତି ପରୀକ୍ଷା ନିୟନ୍ତ୍ରକ, ଅନିଶ୍ଚିତତା ଭିତରେ ଫର୍ମ ପୂରଣ ଓ ପରୀକ୍ଷା

ଭୁବନେଶ୍ବର : ବିବାଦରୁ ମୁକୁଳି ପାରୁନି ଉତ୍କଳ ବିଶ୍ବବିଦ୍ୟାଳୟ। ଏସ୍‌ସିବି ମେଡିକାଲ କଲେଜରେ ସମାବର୍ତନ ଉତ୍ସବ ଆୟୋଜନ ବିବାଦ ଥମି ନ ଥିବା ବେଳେ ଏବେ ପରୀକ୍ଷା ପରିଚାଳନାରେ ଅବ୍ୟବସ୍ଥା ପଦାକୁ ଆସିଛି। ୬ ମାସ ହେଲା ବିଭିନ୍ନ ପାଠ୍ୟକ୍ରମର ପରୀକ୍ଷା ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଫଳ ବାହାରି ପାରିନି। ରେଜଲ୍ଟ ଆଶାରେ ହଜାର ହଜାର ଛାତ୍ରଛାତ୍ରୀ ଅପେକ୍ଷା କରି ରହିଛନ୍ତି। ଦୂରନିରନ୍ତର ଶିକ୍ଷା, ପ୍ରାଇଭେଟ୍‌ ପାଠ୍ୟକ୍ରମ ପରୀକ୍ଷା ଫଳ ବାହାରି ପାରୁ ନ ଥିବାରୁ ଉଚ୍ଚଶିକ୍ଷା କରିବାକୁ ଯାଇ ପାରୁନାହାନ୍ତି ଛାତ୍ରଛାତ୍ରୀ। ବିଚିତ୍ର କଥା ହେଲା, ମାସେ ହେଲା ବିଶ୍ବବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ପଦ ଖାଲି ପଡ଼ିଛି। ନିୟନ୍ତ୍ରକ ନିଯୁକ୍ତ ହୋଇ ନଥିବାରୁ ନୂତନ ପାଠ୍ୟକ୍ରମ ପ୍ରସ୍ତୁତ ହୋଇପାରୁନି। ପରୀକ୍ଷାର ଫର୍ମ ପୂରଣ ନେଇ ମଧ୍ୟ ଆଶଙ୍କା ସୃଷ୍ଟି ହେଲାଣି।

ନିର୍ଦ୍ଧାରିତ ସମୟରେ ପରୀକ୍ଷା ପରିଚାଳନା, ସାର୍ଟିଫିକେଟ୍‌ ପ୍ରଦାନ, ଖାତା ମୂଲ୍ୟାୟନରେ ତ୍ରୁଟି ପରି ସମସ୍ୟା ଦେଖାଦେଉଛି। ଯେଉଁଥିପାଇଁ ସମସ୍ୟାରେ ଘାଣ୍ଟି ହେଉଛନ୍ତି ମେଧାବୀ ଛାତ୍ରଛାତ୍ରୀ। ଗତ ଏପ୍ରିଲରୁ କେତେକ ପାଠ୍ୟକ୍ରମର ପରୀକ୍ଷା ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଫଳ ପ୍ରକାଶ ପାଇପାରିନି। ଛାତ୍ରଛାତ୍ରୀମାନେ ବାରମ୍ବାର ପରୀକ୍ଷା ନିୟନ୍ତ୍ରକଙ୍କ କାର୍ଯ୍ୟାଳୟକୁ ଦୌଡ଼ୁଥିଲେ ମଧ୍ୟ ଆଜି ବାହାରିବ, କାଲି ବାହାରିବ କହି ଦିନ ଗଡ଼ାଇ ଚାଲିଛନ୍ତି କର୍ତୃପକ୍ଷ। ଏପରିକି ପ୍ରାଇଭେଟ୍‌ ପାଠ୍ୟକ୍ରମରେ ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀ ଦୌଡ଼ି‌ଦୌଡ଼ି ନୟାନ୍ତ ହୋଇଥିଲେ ମଧ୍ୟ କେହି ଶୁଣୁନାହାନ୍ତି। ପରୀକ୍ଷା ନିୟନ୍ତ୍ରକ ନାହାନ୍ତି, ତେଣୁ ବିଳମ୍ବ ହେଉଛି କହି କର୍ତୃପକ୍ଷ ଦିନ ଗଡ଼ାଉଛନ୍ତି। ବଡ଼ କଥା ହେଉଛି ଯେ କେତେକ ଘରୋଇ କଲେଜର ବିଭିନ୍ନ ପାଠ୍ୟକ୍ରମରେ ପରୀକ୍ଷା‌ ଦେଇଥିବା ଛାତ୍ରଛାତ୍ରୀଙ୍କ ଫଳ ଦେଢ଼ ବର୍ଷ ହେଲା ବାହାରିନି। କଟକରେ ଥିବା ଏକ ଘରୋଇ କଲେଜରେ ଏମ୍‌ଏଫ୍‌ସି ପାଠ୍ୟକ୍ରମରେ ପରୀକ୍ଷା ଦେଇଥିବା କେତେକ ପରୀକ୍ଷାର୍ଥୀଙ୍କ ରେଜଲ୍ଟ ବାହାରିନି। ଏକ ନର୍ସିଂ କଲେଜର ପରୀକ୍ଷା ଫଳ ବାହାରି ନଥିବାରୁ ସେଠାକାର ଛାତ୍ରଛାତ୍ରୀ ପ୍ରତିଦିନ ବିଶ୍ବବିଦ୍ୟାଳୟକୁ ଦୌଡ଼ୁଛନ୍ତି।

ଅନ୍ୟପକ୍ଷରେ ଦୁଇ ମାସ ‌ତଳେ ବିଶ୍ବବିଦ୍ୟାଳୟର ବାଣିଜ୍ୟ ବିଭାଗରେ ସ୍ନାତକୋତ୍ତର ଶିକ୍ଷା କରୁଥିବା ଜଣେ ମେଧାବୀ ଛାତ୍ରୀଙ୍କୁ କମ୍‌ ମାର୍କ ଦେଇ ଭବିଷ୍ୟତକୁ ଅନ୍ଧକାର ମଧ୍ୟକୁ ଠେଲିବାକୁ ଉଦ୍ୟମ ହୋଇଥିଲା। ସୌଭାଗ୍ୟବଶତଃ ଛାତ୍ରୀଜଣଙ୍କୁ ପରବର୍ତୀ ସମୟରେ ନ୍ୟାୟ ମିଳିଛି। ଏଥିପାଇଁ ବିଶ୍ବବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ କର୍ତୃପକ୍ଷଙ୍କୁ ଭର୍ତ୍ସନା କରିଥିଲେ। ଯେଉଁ ଅଧିକାରୀଙ୍କ ପାଇଁ ମେଧାବୀ ଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଚାଲିଯିବାକୁ ବସିଥିଲା, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ବାଣିଜ୍ୟ ବିଭାଗ ମୁଖ୍ୟଙ୍କୁ ପଦରୁ ହଟାଯାଇଥିବା ବେଳେ ବିଶ୍ବବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକଙ୍କୁ ବଦଳି କରାଯାଇଥିବା କ୍ୟାମ୍ପସରେ ଚର୍ଚ୍ଚା ଜୋର ଧରିଛି।

ସୂଚନା ଅନୁଯାୟୀ, ବାଣିଜ୍ୟ ବିଭାଗରେ ସ୍ନାତକୋତ୍ତର କରୁଥିବା ଛାତ୍ରୀ ସମୃଦ୍ଧା ନାୟକ ଶେଷବର୍ଷ ତଥା ୪ର୍ଥ ସେମିଷ୍ଟାର ପରୀକ୍ଷା ଦେଇଥିଲେ। ତାଙ୍କର ସମସ୍ତ ବିଷୟ‌ରେ ଭଲ ମାର୍କ ରହିଥିଲା। କିନ୍ତୁ ଗୋଟିଏ ବିଷୟରେ ‌ମୋଟ ୭୦ରୁ ୩୫ ମାର୍କ ମିଳିଥିଲା। ଏହାପରେ ସେ ୩୫୦ଟଙ୍କା ଦେଇ ଖାତା ପୁନଃଯାଞ୍ଚ ପାଇଁ ଆବେଦନ କରିଥିଲେ। ବିଭାଗୀୟ ମୁଖ୍ୟଙ୍କୁ ମଧ୍ୟ ଏ ସମ୍ପର୍କରେ ଅବଗତ କରାଇଥିଲେ। ହେଲେ କୌଣସି ସୁଫଳ ମିଳି ନଥିଲା। ଛାତ୍ରୀଜଣକ ସୂଚନା ଅଧିକାର ଆଇନ(ଆରଟିଆଇ)ରେ ଖାତା ମାଗିଥିଲେ। ସେଥିରେ ସେ ଯାହା ଦେଖିବାକୁ ପାଇଲେ, ତାହା ଆଶ୍ଚର୍ଯ୍ୟଜନକ ଥିଲା। ଉତ୍ତର ଖାତାରେ ୭୦ ମାର୍କରୁ ୪୫ ମାର୍କ ଦିଆଯାଇଥିବା ବେଳେ ୩୫ ମାର୍କ ‌ଉଲ୍ଲେଖ ହୋଇଥିଲା। କେତେକ ଉତ୍ତରକୁ ମୂଲ୍ୟାୟନ କରାଯାଇ ନ ଥିବା ଦେଖିବାକୁ ପାଇଥିଲେ। ଏଭଳି ଘଟଣା ପଦାକୁ ଆସିବା ପରେ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ବାହାରୁ ପ୍ରଫେସରଙ୍କୁ ଡାକି ଖାତା ମୂଲ୍ୟାୟନ କରିଥିଲେ। ଶେଷରେ ଛାତ୍ରୀଙ୍କୁ ସମ୍ପୃକ୍ତ ବିଷୟରେ ୭୦ରୁ ୬୦ମାର୍କ ମିଳିଥିଲା। କେବଳ ଏହି ଘଟଣା ନୁହେଁ, ଗତବର୍ଷ ମଧ୍ୟ କେତେକ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ଗୋଟିଏ ବିଷୟରେ ଶୂନ ମାର୍କ ମିଳିଥିଲା।

ସମ୍ବନ୍ଧିତ ଖବର