ବାଣୀବିହାରର ୪୦ ଏକର ଜମି ଗାଏବ ଘଟଣା : ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ

କଟକ : ଉତ୍କଳ ବିଶ୍ୱବିଦ୍ୟାଳୟର ମୂଲ୍ୟବାନ ୪୦ ଏକର ଜମି ହଡପ ଘଟଣାର ତଦନ୍ତ ଓ ଏହି ପ୍ରସଂଗରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ ପାଇଁ ନିର୍ଦ୍ଦେଶ ପ୍ରାର୍ଥନା କରି ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି।

ପ୍ରାୟ ୬ଶହ କୋଟିରୁ ଉର୍ଦ୍ଧ ମୂଲ୍ୟର ଏହି ଜମିକୁ ଉଦ୍ଧାର କରିବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ। ଜବର ଦଖଲରେ ଥିବା ବିଶ୍ୱବିଦ୍ୟାଳୟ ଜମି ଉପରେ ଥିବା ବେଆଇନ୍‌ ନିର୍ମାଣକୁ ଭାଙ୍ଗି ଏହାକୁ ବାଣୀବିହାର କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିବା କରାଯାଉ। ଏଥିସହିତ ଜବର ଦଖଲକାରୀ ଓ ଏପରି ଜମି ହଡପ ଘଟଣାରେ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସମାଜସେବୀ ଅଚ୍ୟୁତାନନ୍ଦ ସ୍ୱାଇଁଙ୍କ ପକ୍ଷରୁ ଦାୟର ଜନସ୍ୱାର୍ଥ ମାମଲାରେ ଦର୍ଶାଯାଇଛି। ମାମମଲାରେ ଆଇନ ସଚିବ, ରାଜସ୍ୱ ସଚିବ, ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି, ରେଜିଷ୍ଟ୍ରାର, ଖୋର୍ଦ୍ଧା ଜିଲ୍ଲାପାଳ, ଭୁବନେଶ୍ୱର ତହସିଲଦାର, କେନ୍ଦ୍ରାଞ୍ଚଳ ଆରଡିସି, ବିଏମସି କମିସନର, ବିଡିଏ, ପୁଲିସ କମିସନର ଓ ଉଚ୍ଚଶିକ୍ଷା ବିଭାଗ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅନ୍ତର୍ଯ୍ୟାମୀ ସ୍ୱାଇଁ ମାମଲା ପରିଚାଳନା କରୁଛନ୍ତି।

ଆବେଦନକାରୀ ଦର୍ଶାଇଛନ୍ତି ଯେ ଉତ୍କଳ ବିଶ୍ୱବିଦ୍ୟାଳୟ ୩୯୮.୯୮ ଏକର ଜମି ଉପରେ ଛିଡା ହୋଇଛି ବୋଲି ରେକର୍ଡ କହୁଛି। ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗର ଭୂ-ଲେଖରେ ଥିବା ତଥ୍ୟ କିନ୍ତୁ କହୁଛି ବିଶ୍ୱବିଦ୍ୟାଳୟ ୩୫୯ ଏକର ଜମିରେ ରହିଛି। ଏପରି ପରିସ୍ଥିତିରେ ବିଶ୍ୱବିଦ୍ୟାଳୟକୁ ଦିଆଯାଇଥିବା ଜମିରୁ ୪୦ ଏକର ଜମି ହଡପ ହୋଇଥିବା ନେଇ ସ୍ପଷ୍ଟ ହୋଇଛି। ଏହି ୪୦ ଏକର ଜମିର ମୂଲ୍ୟ ୬ଶହ କୋଟି ଟଙ୍କା ହେବ। ଏହି ଜମି ଜବର ଦଖଲରେ ରହିଛି ନାଁ କେହି ଚଞ୍ଚକତା କରି ନିଜ ନାଁରେ ରେକର୍ଡ କରି ଏହାକୁ ବିକ୍ରି କରିଛି ତାହା ସ୍ପଷ୍ଟ ହେଉ ନାହିଁ। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଓ ରାଜସ୍ୱ ବିଭାଗ ନିକଟରେ ଏହି ଜମିର କିଛି ସଠିକ ତଥ୍ୟ ନାହିଁ। କିଛି ମାସ ତଳେ ବାଣୀବିହାର ଜମି ଜବର ଦଖଲ ନେଇ ବିଧାନସଭାରେ ଉଠିଥିବା ପ୍ରଶ୍ନର ଉତ୍ତରରେ କୁହାଯାଇଥିଲା ଯେ ୩୦ ଏକର ଜମି ଜବର ଦଖଲରେ ରହିଛି। ବିଶ୍ୱବିଦ୍ୟାଳୟ ପୂର୍ବ ପାର୍ଶ୍ୱ ତଥା ପଥରବନ୍ଧ ବସ୍ତି ନିକଟରେ ୧୫ ଏକର, ଉତ୍ତର ପାର୍ଶ୍ୱ ତଥା ଲକ୍ଷ୍ମୀବିହାର ଅଞ୍ଚଳରେ ୮ ଏକର ଓ ଦକ୍ଷିଣପାର୍ଶ୍ୱ ତଥା ଏନଏଚ୍‌-୧୬ ନିକଟରେ ୭ ଏକର ଜମି ଜବରଦଖଲ ହୋଇଛି। ବହୁ ଲୋକ ବିଶ୍ୱବିଦ୍ୟାଳୟ ଜମି ଜବର ଦଖଲ କରିଛନ୍ତି। ବିଶ୍ୱବିଦ୍ୟାଳୟ ଜମିରୁ ଜବର ଦଖଲ ଉଚ୍ଛେଦ ପାଇଁ କିନ୍ତୁ ସରକାର କିଛି ପଦକ୍ଷେପ ଗ୍ରହଣ କରୁ ନାହାନ୍ତି। ଏହି ଘଟଣାରେ ସରକାରଙ୍କ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଓ ବହୁ ପ୍ରଭାବଶାଳୀ ଲୋକଙ୍କ ସଂପୃକ୍ତି ଥିବା ସନ୍ଦେହ କରାଯାଉଛି। ଏହି ଘଟଣାର ଉପଯୁକ୍ତ ତଦନ୍ତ କରାଯିବା ସହିତ ବିଶ୍ୱବିଦ୍ୟାଳୟ ଜମିକୁ ଜବର ଦଖଲମୁକ୍ତ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବା ଜରୁରି ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ‘ସମ୍ବାଦ’ ମେ’ ୧୨ ତାରିଖ ସଂସ୍କରଣରେ ପ୍ରକାଶିତ ଏ ସଂପର୍କିତ ଖବରକୁ ଆବେଦନକାରୀ ରିଟ୍‌ ଆବେଦନ ସହିତ ହାଇକୋର୍ଟରେ ଦାଖଲ କରିଛନ୍ତି।

ସମ୍ବନ୍ଧିତ ଖବର