ଗୁଣପୁର/ରାୟଗଡ଼ା : ଓଡ଼ିଶା-ଆନ୍ଧ୍ରପ୍ରଦେଶ ମଧ୍ୟରେ ଲାଗି ରହିଥିବା ବଂଶଧାରା ନଦୀଜଳ ବିବାଦର ସମାଧାନ ପାଇଁ ଗଠନ ହୋଇଥିବା ଟ୍ରିବ୍ୟୁନାଲ ଦଳ ଆନ୍ଧ୍ରପ୍ରଦେଶ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଆସନ୍ତାକାଲି ଟ୍ରିବ୍ୟୁନାଲ୍ ଦଳ ଆନ୍ଧ୍ର ପ୍ରକଳ୍ପ ଦ୍ବାରା ପ୍ରଭାବିତ ହେଉଥିବା ଓଡ଼ିଶାର ସାରା ଓ ବାଡିଗାଁ ଅଞ୍ଚଳ ପରିଦର୍ଶନ କରିବେ। ଦୁଇ ଦିନିଆ ଗସ୍ତ ସାରି ଦିଲ୍ଲୀ ଫେରିବା ପରେ ଟ୍ରିବ୍ୟୁନାଲ୍ ଦଳ ରିପୋର୍ଟ ପ୍ରସ୍ତୁତ କରି ମାମଲାର ପରବର୍ତୀ ଶୁଣାଣି କରିବ ବୋଲି ସୂଚନା ମିଳିଛି।

Advertisment

ଆଜି ଦିନ ୧୧ଟାରେ ଟ୍ରିବ୍ୟୁନାଲ୍ ଅଧ୍ୟକ୍ଷ ବିଚାରପତି ଡ. ମୁକୁନ୍ଦକମ ଶର୍ମା, ସଦସ୍ୟ ବିଚାରପତି ବି. ଏନ୍. ଚର୍ତୁବେଦୀ ଓ ବିଚାରପତି ପ୍ରତିଭା ରାଣୀ ପହଞ୍ଚିଥିଲେ। ହୀରମଣ୍ଡଳମ୍, ଗୋଟା, ନେରେଡି, କାଟ୍ରାଗଡା ପ୍ରକଳ୍ପ ଅଞ୍ଚଳ ବୁଲି ଦେଖିଥିଲେ। ଟ୍ରିବ୍ୟୁନାଲ୍ ଦଳଙ୍କ ଅନୁଧ୍ୟାନ ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମୋହନ ବି କାଟାର୍କୀ, ରାଧେଶ୍ୟାମ ଜେନା, ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ ସି. ଏସ୍. ବୈଦ୍ୟନାଥନ୍, ୱାଇ. ରାଜ ଗୋପାଳ ରାଓ ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟ ଯେ, ୨୦୧୭ ସେପ୍ଟେମ୍ବର ୧୩ ତାରିଖରେ ବଂଶଧାରା ଜଳବିବାଦ ଟ୍ରିବ୍ୟୁନାଲ୍ ଦ୍ବାରା ପ୍ରକାଶ ପାଇଥିବା ଚୂଡ଼ାନ୍ତ ରାୟ ଆନ୍ଧ୍ର ସପକ୍ଷରେ ଯିବା ପରେ ଓଡ଼ିଶା ସ୍ପଷ୍ଟୀକରଣ ଲୋଡିଥିଲା। ସ୍ପଷ୍ଟୀକରଣ ଉପରେ ଶୁଣାଣି ଚାଲିଥିବାବେଳେ ୨୦୧୮ ଡିସେମ୍ବର ୫ ତାରିଖରେ ଟ୍ରିବ୍ୟୁନାଲ୍ ଅଧ୍ୟକ୍ଷ ଡ. ଶର୍ମା ଓ ଦୁଇ ବିଚାରପତି ମାମଲାର ଶୁଣାଣି କରି ଆନ୍ଧ୍ର-ଓଡ଼ିଶାରେ ସ୍ଥିତି ଅନୁଧ୍ୟାନ ପାଇଁ ନିଷ୍ପତ୍ତି ନେଇଥିଲେ। ନିଷ୍ପତ୍ତି ମୁତାବକ ଆଜି ଟ୍ରିବ୍ୟୁନାଲ୍ ଦଳ ଆନ୍ଧ୍ର ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଆସନ୍ତାକାଲି କାଶୀନଗର ବ୍ଲକ୍ ଖାଣ୍ଡଭା ପଂଚାୟତର ସାରା, ବାଡିଗାଁରେ ଦଳ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି।

ପ୍ରକାଶଥାଉକି,କଳାହାଣ୍ଡି ଜିଲ୍ଲା ତେନ୍ତୁଳିଗଡ ଗାଁରୁ ବାହାରିଥିବା ବଂଶଧାରା ନଦୀର ସଂପୂର୍ଣ ଜଳ ନିଷ୍କାସନ କ୍ଷେତ୍ର ୧୦୮୩୦ ବର୍ଗ କିମି ମଧ୍ୟରୁ ୮୯୬୦ ବର୍ଗ କିମି ଓଡ଼ିଶାରେ ରହିଛି। ୧୫୫ କିମି ଓଡ଼ିଶାରେ ପ୍ରବାହିତ ହେବା ପରେ ଏହି ନଦୀ ଆନ୍ଧ୍ରକୁ ଯାଇଥିବା ବେଳେ ଆନ୍ଧ୍ର ସରକାର ବହୁ ପୂର୍ବରୁ ବଂଶଧାରା ଉପରେ ଦୁଇଟି ବ୍ୟାରେଜ୍ ନିର୍ମାଣ କରି ସାରିଲେଣି। ଗୋଟାରେ ପ୍ରଥମ ବ୍ୟାରେଜ୍ ନିର୍ମାଣ କରିଥିବା ବେଳେ ଦ୍ବିତୀୟଟି ହୀରମଣ୍ଡଳମରେ ହୋଇଛି। ତତ୍କାଳୀନ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍. ଟି. ରାମା ରାଓଙ୍କ ସମୟରେ ଆନ୍ଧ୍ର ପୁଣି ନେରେଡିରେ ଆଉ ଏକ ବ୍ୟାରେଜ୍ ନିର୍ମାଣ କରୁଥିବା ବେଳେ ଓଡ଼ିଶା ସରକାରଙ୍କ ପକ୍ଷରୁ ତୀବ୍ର ବିରୋଧ ହେବାରୁ ଏହି ପ୍ରକଳ୍ପ ବନ୍ଦ ହୋଇଯାଇଥିଲା। କିନ୍ତୁ ନେରେଡିରୁ ମାତ୍ର ୧ କିମି ଦୂର କାଟ୍ରାଗଡାରେ ପୁଣି ଆନ୍ଧ୍ର ସରକାର ବ୍ୟାରେଜ୍ ନିର୍ମାଣ କରି ଚାଲିଛନ୍ତି। ଯାହା ବର୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କାଟ୍ରାଗୁଡା ବ୍ୟାରେଜ୍ ନିର୍ମାଣ ମାମଲା ଟ୍ରିବ୍ୟୁନାଲରେ ବିଚରାଧୀନ ଥିବା ବେଳେ ଆନ୍ଧ୍ର ସରକାର ଇତିମଧ୍ୟରେ ବ୍ୟାରେଜ୍ ନିର୍ମାଣ ବାବଦକୁ ୧୦୨୦ କୋଟି ଟଂକା ଖର୍ଚ କରି ସାରିଲେଣି। ପ୍ରଭାବିତ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ସହ ବୁଡ଼ି ଅଞ୍ଚଳରେ ଥିବା ଜମିର କ୍ଷୟକ୍ଷତି ବାବଦ ଅନୁଦାନ ମଧ୍ୟ ହିତାଧିକାରୀ ପାଇ ସାରିଲେଣି।

ଓଡ଼ିଶା ସରକାର ଟ୍ରିବ୍ୟୁନାଲ ରାୟକୁ ଅପେକ୍ଷା କରି ବସିଥିବାବେଳେ ଆନ୍ଧ୍ର ଶତ ପ୍ରତିଶତ ଭାବେ ବ୍ୟାରେଜକୁ କାର୍ଯ୍ୟକାରୀ କରିବା ପାଇଁ ସମସ୍ତ ପଦକ୍ଷେପ ନେଇ ସାରିଛନ୍ତି।