ପ୍ରତିଷ୍ଠା ଦିବସ ଉପଲକ୍ଷେ ସାହିତ୍ୟ ଏକାଡେମି ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା, ୨୦ରେ ରାଜ୍ୟସ୍ତରୀୟ ଚୂଡ଼ାନ୍ତ ପ୍ରତିଯୋଗିତା ଭୁବନେଶ୍ବରରେ

ଭୁବନେଶ୍ୱର : ଓଡ଼ିଶା ସାହିତ୍ୟ ଏକାଡେମିର ପ୍ରତିଷ୍ଠା ଦିବସ ଉପଲକ୍ଷେ ଏକାଡେମି ପକ୍ଷରୁ ରାଜ୍ୟବ୍ୟାପୀ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। କୋଭିଡ୍‌ କଟକଣାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଜିଲ୍ଲାର ସଂସ୍କୃତି ଅଧିକାରୀ, ଶିକ୍ଷା ଅଧିକାରୀ, ବ୍ଲକ ଉନ୍ନୟନ ଅଫିସର ଓ ଏକାଡେମିର ଜିଲ୍ଲା ପ୍ରତିନିଧି ମିଳିତ ଭାବେ ଭର୍ଚୁଆଲ ମୋଡ୍‌ରେ ଏସବୁ ପ୍ରତିଯୋଗିତା ପରିଚାଳନା କରିଥିଲେ। ୩୦ଟି ଜିଲ୍ଲାର ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓଡ଼ିଆ ବକ୍ତୃତା, ଦେଶାତ୍ମବୋଧ କବିତା ଆବୃତ୍ତି ଓ ଭାଷା-ସାହିତ୍ୟ କୈନ୍ଦ୍ରିକ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତାଗୁଡ଼ିକର ଫଳାଫଳ ଏକାଡେମିର ହସ୍ତଗତ ହେବା ପରେ ଆସନ୍ତା ୨୦ ତାରିଖରେ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ଚୂଡ଼ାନ୍ତ ପ୍ରତିଯୋଗିତା ଅନୁଷ୍ଠିତ ହେବ।

ଏ ସଂପର୍କରେ ଏକାଡେମିର ସଭାପତି ହୃଷୀକେଶ ମଲ୍ଲିକ ସୂଚନା ଦେଇ କହିଛନ୍ତି ଯେ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓଡ଼ିଆ ଭାଷା, ସାହିତ୍ୟ ପ୍ରତି ଅନୁରାଗ ସୃଷ୍ଟି କରିବା ଉଦ୍ଦେଶ୍ୟ‌ରେ ଏକାଡେମି ପକ୍ଷରୁ ଏହି ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଛି। ଆସନ୍ତା ୨୫ ତାରିଖରେ ଏକାଡେମିର ପ୍ରତିଷ୍ଠା ଦିବସରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବ। ଓଡ଼ିଆ ଭାଷାରେ କିଶୋର ବୟସରୁ ଛାତ୍ରଛାତ୍ରୀମାନଙ୍କୁ ଧୂରୀଣ କରିବା ପାଇଁ ଏଥର କାର୍ଯ୍ୟକ୍ରମକୁ ଏକାଡେମି ଅଧିକ ସମୟ ଉପଯୋଗ କରିଛି। ପ୍ରତିଭା ସନ୍ଧାନ ଓ ପ୍ରତିଭାର ବିକାଶ ଦିଗରେ ଏହି ଉଦ୍ୟମ ଭବିଷ୍ୟତରେ ଫଳପ୍ରଦ ସାବ୍ୟସ୍ତ ହେବ ବୋଲି ସେ କହିଛନ୍ତି।

ଏକାଡେମିର ସଂପାଦକ ପ୍ରବୋଧ କୁମାର ରାଉତ କହିଛନ୍ତି ଯେ ଛାତ୍ରଛାତ୍ରୀଙ୍କୁ ମାନସିକ ସ୍ତରକୁ ଦୃଷ୍ଟିରେ ରଖି କନିଷ୍ଠ ଓ ବରିଷ୍ଠ ଦୁଇଟି ବର୍ଗରେ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀକୁ କନିଷ୍ଠ ବର୍ଗ ଓ ନବମ, ଦଶମ ଶ୍ରେଣୀକୁ ବରିଷ୍ଠ ବର୍ଗରେ ରଖାଯାଇଛି। ଜୁଲାଇ ୨୫ ତାରିଖରେ ଏକାଡେମିର ପ୍ରତିଷ୍ଠା ଦିବସରେ ବିଶିଷ୍ଟ ଅତିଥିମାନେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିବେ।

ସମ୍ବନ୍ଧିତ ଖବର