ଭୁବନେଶ୍ୱର: ଗଦ୍ୟ ସାହିତ୍ୟ ଗଣତନ୍ତ୍ର ପାଇଁ ଅପରିହାର୍ଯ୍ୟ। ଏହା ସମୃଦ୍ଧ ହେଲେ ଗଣତନ୍ତ୍ର ସମୃଦ୍ଧ ହେବ। କେବଳ ଏଥିରେ ଭାଷାର ମର୍ଯ୍ୟାଦା ରହିବାର ଆବଶ୍ୟକତା ରହିଛି। ଆଧୁନିକ ଜ୍ଞାନକୌଶଳ ବା ମୋବାଇଲ ଆମ ଶତ୍ରୁ ନୁହେଁ, ବରଂ ଏହା ସାହିତ୍ୟକୁ ଉତ୍ତର ପିଢ଼ି ପାଖରେ ପହଞ୍ଚାଇବାର ମାଧ୍ୟମ ହୋଇପାରିବ। ତେଣୁ ପ୍ରକାଶନୀ ସଂସ୍ଥା ବା ଆମେମାନେ ଏହାକୁ ଘୃଣା ନକରି ଏହା ମାଧ୍ୟମରେ ଆମ ସାହିତ୍ୟ, କଳା, ସଂସ୍କୃତି କିଭଳି ସୁଦୂରପ୍ରସାରୀ ହୋଇପାରିବ ସେଥିପାଇଁ ଚେଷ୍ଟା କରିବା ଉଚିତ। ରତ୍ନଚିରା ପବ୍ଲିକେସନ୍ସ ପକ୍ଷରୁ ଗୀତଗୋବିନ୍ଦ ସଦନରେ ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋଙ୍କ ଗଳ୍ପ ସଙ୍କଳନ ‘ବିବର୍ଣ୍ଣ ମମତା’ର ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ‘ସମ୍ୱାଦ’ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ। ଏଥିସହିତ ଏହି ପୁସ୍ତକ ସାହିତ୍ୟିକ ଓ ରାଜନୀତିଜ୍ଞଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବାରେ ସହାୟକ ହେବ ବୋଲି ସେ କହିଥିଲେ।

Advertisment

କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ବିଶିଷ୍ଟ ଭାଷାବିତ୍‌ ଦେବୀ ପ୍ରସନ୍ନ ପଟ୍ଟନାୟକ କହିଲେ, ଗଳ୍ପ ପ୍ରବାହମାନ ନଦୀ ସଦୃଶ। ଏଥିରେ ଘଟଣା, ସଂଳାପ, ଭାଷା ସହିତ ମମତା ରହିବା ଆବଶ୍ୟକ। ମୁଖ୍ୟବକ୍ତା ଅବସରପ୍ରାପ୍ତ ପ୍ରଶାସକ ରବି ନାରାୟଣ ସେନାପତି କହିଲେ ଯେଉଁ ପୁସ୍ତକ ବା ଗଦ୍ୟ ସାହିତ୍ୟରେ ମୂଲ୍ୟବୋଧ ଓ ଅନୁଭବ ରୁହେ ତାହା ହିଁ ଶ୍ରେଷ୍ଠ। ଏଥିସହିତ ପଞ୍ଚାନନ କାନୁନଗୋ ବହୁମୁଖୀ ପ୍ରତିଭାର ଅଧିକାରୀ ବୋଲି ସେ କହିଥିଲେ। ବିଶିଷ୍ଟ ସାହିତ୍ୟିକ ଅଧ୍ୟାପକ ବିଶ୍ୱରଞ୍ଜନ କାର୍ଯ୍ୟକ୍ରମରେ ସଭାପତିତ୍ୱ କରି କହିଲେ, ପ୍ରତ୍ୟେକ ମଣିଷର ଜୀବନ ଗୋଟିଏ ଗୋଟିଏ ଗଳ୍ପ। ତେଣୁ ଏହି ଗଳ୍ପରେ ତା’ର ସାମାଜିକ ଜୀବନର ଅସ୍ଥିରତା, ଉଦ୍‌ବେଗ ଓ ଭାବନା ପ୍ରତିଫଳିତ ହେବା ଉଚିତ। ଯେଉଁ ଗଳ୍ପରେ ସମାଜର ଉଷ୍ମତା ନାହିଁ ତାହା ହୃଦୟସ୍ପର୍ଶୀ ହୁଏ ନାହିଁ।

ଗଳ୍ପ ସଂକଳନର ଲେଖକ ଶ୍ରୀ କାନୁନଗୋ ନିଜ ଗଳ୍ପ ଲେଖିବାର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିବା ସହିତ ଏହାର ସଫଳତା ପଛରେ ଥିବା ଲୋକମାନଙ୍କୁ କୃତଜ୍ଞତା ଜଣାଇଥିଲେ। ଝୁନା ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିବା ବେଳେ ଧନ୍ୟବାଦ ଦେଇଥିଲେ ପ୍ରକାଶକ କରୁଣାକର ପୃଷ୍ଟି। ମିର ଅହମ୍ମଦ ଅଲ୍ଲୀ, ତାପସ ଦେ, ବିନୋଦ କୁମାର ରାଉତ, କ୍ଷୀରୋଦ, ମନୋଜ, ଚନ୍ଦନ ଓ ପ୍ରଦୀପ କାର୍ଯ୍ୟକ୍ରମ ପରିଚାଳନା ସହଯୋଗ କରିଥିଲେ।