ଭୁବନେଶ୍ବର : କେନ୍ଦ୍ର ସାହିତ୍ୟ ଅକାଦେମି ତରଫରୁ ଆସନ୍ତା ୨୨, ୨୩ ଓ ୨୪ ତାରିଖରେ କେତେକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ୨୨ ତାରିଖ ଦିନ ୧୦ଟାରେ ଭୁବନେଶ୍ବରର କିସ୍ ବିଶ୍ବବିଦ୍ୟାଳୟ ପରିସରରେ ପଞ୍ଚସଖା ପରମ୍ପରା ଓ ଭୀମ ଭୋଇ ଏବଂ ସନ୍ଧ୍ୟା ୫ଟାରେ ଶ୍ରୀରାମଚନ୍ଦ୍ର ଭବନ, କଟକରେ କବି ଜୀବାନନ୍ଦ ଆଚାର୍ଯ୍ୟ ଜନ୍ମଶତବାର୍ଷିକୀ ଆଲୋଚନାଚକ୍ର ଅନୁଷ୍ଠିତ ହେବ। ୨୩ ତାରିଖ ଦିନ ୧୦ଟାରେ ଭୁବନେଶ୍ବରର ଗୀତଗୋବିନ୍ଦ ସଦନରେ ପ୍ରଖ୍ୟାତ କଥାକାର, ସଂପାଦକ ଏବଂ ଜନନାୟକ ସୁରେନ୍ଦ୍ର ମହାନ୍ତି ଜନ୍ମ ଶତବାର୍ଷିକୀ ଉତ୍ସବ ଅନୁଷ୍ଠିତ ହେବ।
ଏହି ଉତ୍ସବରେ ଉଦ୍ଘାଟକ ଭାବେ ଯୋଗଦେବେ ବିଶିଷ୍ଟ କବି ଓ ସମାଲୋଚକ ହରପ୍ରସାଦ ଦାସ। ମୂଳ ଭାଷଣ ପ୍ରଦାନ କରିବେ ବିଶିଷ୍ଟ କଥାକାର ଗୌରହରି ଦାସ ଏବଂ ସମ୍ମାନିତ ଅତିଥି ଭାବେ ଯୋଗଦେବେ ମୁମ୍ବାଇର ମୁଖ୍ୟ ଆୟକର ଆୟୁକ୍ତ ମନୋରଞ୍ଜନ ପାଣିଗ୍ରାହୀ। ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆବାହକ ବିଜୟାନନ୍ଦ ସିଂହଙ୍କ ସଭାପତିତ୍ବରେ ହେବାକୁ ଥିବା ପ୍ରଥମ ଅଧିବେଶନରେ ସ୍ବାଗତ ଭାଷଣ ପ୍ରଦାନ କରିବେ ଅକାଦେମିର ସଚିବ କେ.ଶ୍ରୀନିବାସରାଓ। ଅନ୍ୟ ଦୁଇଟି ଅଧିବେଶନରେ ବିଶିଷ୍ଟ ସ୍ତମ୍ଭକାର ଅସିତ ମହାନ୍ତି ଏବଂ ଗିରିଶ ଚନ୍ଦ୍ର ସାହୁଙ୍କ ସଭାପତିତ୍ବରେ ପ୍ରବନ୍ଧ ପାଠ କରିବେ ପ୍ରକାଶ କୁମାର ପରିଡ଼ା, ସୁଭାଷ ଶତପଥୀ, ବାସନ୍ତୀ ମହାନ୍ତି ଏବଂ ଶ୍ବେତା ମହାନ୍ତି। ସେହିଦିନ ସନ୍ଧ୍ୟା ୬ଟାରେ ଲୋହିଆ ଭବନ, ଭୁବନେଶ୍ବରରେ ଆୟୋଜିତ ଲେଖକଙ୍କ ସହିତ କାର୍ଯ୍ୟକ୍ରମରେ ଯୋଗଦେଇ ନିଜ ଜୀବନ ଓ ସାହିତ୍ୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିବେ ବିଶିଷ୍ଟ କଥାକାର ବିଭୂତି ପଟ୍ଟନାୟକ। ସେହିପରି ୨୪ ତାରିଖ ଦିନ ୧୦ଟାରେ ଲୋହିଆ ଭବନରେ ରାୟ ରାମାନନ୍ଦ ସଂପାନ ଅନୁଷ୍ଠିତ ହେବ। ଏହାକୁ ଉଦ୍ଘାଟନ କରିବେ ପ୍ରାକ୍ତନ ମୁଖ୍ୟ ଶାସନ ସଚିବ ସୁବାସ ପାଣି। ଏହି କାର୍ଯ୍ୟକ୍ରମଗୁଡ଼ିକରେ ଲେଖକ ଲେଖିକା, ବୁଦ୍ଧିଜୀବୀ, ଗବେଷକ, ଛାତ୍ରଛାତ୍ରୀ ଓ ସାହିତ୍ୟପ୍ରେମୀମାନେ ଯୋଗଦେବା ପାଇଁ ଓଡ଼ିଆ ଉପଦେଷ୍ଟା ପରିଷଦର ସଦସ୍ୟଗଣ ଅନୁରୋଧ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/surendra-mohanty.jpg)