ରାଉରକେଲା: ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରାମ୍ୟ ନିର୍ମାଣ(ଆର୍‌ଡବ୍ଲ୍ୟୁ) ବିଭାଜନ ଅଧିନରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ କରାଯାଉଛି। ଉପାନ୍ତ ଅଞ୍ଚଳକକୁ ସଂଯୋଗ ପାଇଁ ରାସ୍ତା ନିର୍ମାଣଠାରୁ ଆରମ୍ଭକରି ସେତୁ, କଲ୍‌ଭର୍ଟ ଆଦି ନିର୍ମାଣ ହେଉଛି। ମୁଖ୍ୟ ଉଦ୍ଦେଶ୍ୟ ହେଲା, ବିଭିନ୍ନ ଅଞ୍ଚଳବାସୀଙ୍କୁ ବିକାଶର ମୁଖ୍ୟସ୍ରୋତରେ ସାମିଲ କରିବା। କିନ୍ତୁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ପ୍ରକଳ୍ପ ନିର୍ଦ୍ଧାରିତ ସମୟରେ ଶେଷ ହେଉନି; ଯଦ୍ବାରା ସେବା ପାଇବାକୁ ‌ଜନସାଧାରଣଙ୍କୁ ଅଯଥା ଅପେକ୍ଷା କରିବାକୁ ପଡ଼ୁଛି। ନିର୍ମାଣକାର୍ଯ୍ୟ ଆରମ୍ଭରେ ବିଳମ୍ବ ହେଉ ଅବା ବିଭାଗୀୟ କର୍ତ୍ତୃପକ୍ଷଙ୍କ ପ୍ରାରମ୍ଭିକ କାର୍ଯ୍ୟ ସମ୍ପାଦନ‌ ପ୍ରକ୍ରିୟାରେ ବିଳମ୍ବ, ପୁଣି ଜମି ସମସ୍ୟାର ସମାଧାନ ଆଦି ବିଭିନ୍ନ କାରଣରୁ ନିର୍ମାଣକାର୍ଯ୍ୟ ବେଗ ଧରିପାରୁନି।
Advertisment
ଚଳିତ ଆର୍ଥିକ ବର୍ଷ ଆରମ୍ଭରୁ ଗ୍ରାମ୍ୟ ନିର୍ମାଣ ବିଭାଜନର ଅବହେଳା ସ୍ପଷ୍ଟ ବାରି ହେଲାଣି। ସଂପ୍ରତି ରାଜ୍ୟର ୬୦ଟି ଗ୍ରାମ୍ୟ ନିର୍ମାଣ ବିଭାଜନ ମାଧ୍ୟମରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ ପାଇଁ ୩୯୧୧ କୋଟି ବ୍ୟୟ ଅଟକଳ ରଖାଯାଇଛି। ଏମିତିକି ପ୍ରଥମ ପର୍ଯ୍ୟାୟରେ ୫୦୬.୮୯ କୋଟି ଟଙ୍କା ଅନୁମୋଦିତ ହୋଇସାରିଛି। କିନ୍ତୁ ଏପ୍ରିଲ ୨୫ ତାରିଖ ସୁଦ୍ଧା ମାତ୍ର ୬୩.୨୯ କୋଟି ଟଙ୍କା ବ୍ୟୟ ହୋଇଛି। ଅର୍ଥାତ୍‌ ମୋଟ୍‌ ଅନୁମୋଦିତ ଅନୁଦାନରୁ କେବଳ ୧୨.୪୯% ଅର୍ଥ ହିଁ ବ୍ୟୟ ହୋଇଛି। ତେବେ ମୋଟ୍‌ ବ୍ୟୟ ଅଟକଳ ତୁଳନାରେ ବ୍ୟୟ କରାଯାଇଥିବା ଅନୁଦାନର ହାର ମାତ୍ର ୧.୬୨ ପ୍ରତିଶତ। ଏଥିରେ ବ୍ୟାପକତା ଆଣି ଜୁନ ଶେଷ ସୁଦ୍ଧା ଅନୁମୋଦିତ ଅର୍ଥର ଅନ୍ୟୁନ ୪୦% ପ୍ରତିଶତ ବ୍ୟୟ କରିବାକୁ ବିଭାଗୀୟ ଉଚ୍ଚ୍ କର୍ତ୍ତୃପକ୍ଷ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି।
ମୁଖ୍ୟତଃ ଏପ୍ରିଲ, ମେ’ ମାସରେ ବିଭିନ୍ନ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ ହୋଇଥାଏ। କିନ୍ତୁ ଆର୍ଥିକ ବର୍ଷ ଆରମ୍ଭରୁ ବିଭାଗର ଚିରାଚରିତ ଅବହେଳା ଆରମ୍ଭ ହୋଇଯାଇଛି। ସୁନ୍ଦରଗଡ଼ ଓ ରାଉରକେଲା ଆର୍‌ଡବ୍ଲ୍ୟୁ ଡିଭିଜନ ଅଧିନସ୍ଥ ନିର୍ମାଣାଧୀନ ପ୍ରକଳ୍ପ ସ୍ଥିତି ମଧ୍ୟ ଅତ୍ୟନ୍ତ ନୈରାଶ୍ୟଜନକ। ରାଉରକେଲା ଆର୍‌ଡବ୍ଲ୍ୟୁ ଡିଭିଜନ ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପ ପାଇଁ ୭ କୋଟି ବ୍ୟୟ ବରାଦ ହୋଇଛି। ତେବେ ଏଥିମଧ୍ୟରୁ ଏଯାଏ ମାତ୍ର ୧.୭୩ କୋଟି(୨୪.୮୨%) ହିଁ ବ୍ୟୟ ହୋଇଛି। ସେହିଭଳି ସୁନ୍ଦରଗଡ଼ ଡିଭିଜନ ପାଇଁ ୧.୯୮ କୋଟି ଅନୁମୋଦିତ ହୋଇଥିବାବେଳେ ଏଯାଏ ଟଙ୍କାଟିଏ ବି ବ୍ୟୟ କରାଯାଇନି। ମୋଟ୍‌ ୬୦ଟି ଡିଭିଜନ ମଧ୍ୟରୁ ୩୫ଟି ଡିଭିଜନରେ କିଛିମାତ୍ରାରେ ବ୍ୟୟ କରାଯାଇଥିବାବେଳେ ୨୫ଟି ଡିଭିଜନରେ କିନ୍ତୁ କାଣିଚାଏ ବି ବ୍ୟୟ କରାଯାଇପାରିନି।