ଭୁବନେଶ୍ବର : କୋଭିଡ୍ ଆକ୍ରାନ୍ତ ପରିଜନଙ୍କ ଅବସ୍ଥା ଗୁରୁତର ଅଛି, ଡାକ୍ତରଖାନାରେ ଶଯ୍ୟା ଖାଲି ଅଛିକି ନାହିଁ ଜାଣି ପାରୁ ନାହାନ୍ତି। ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ବି ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଷୟରେ ଅବଗତ ହୋଇ ପାରୁ ନାହାନ୍ତି। ରାଜ୍ୟରେ ସବୁ କୋଭିଡ୍ ଡାକ୍ତରଖାନାରେ ଏହିଭଳି ସ୍ଥିତି ରହିଛି। ଏହି ସମସ୍ୟାର ସମାଧାନ ପାଇଁ ଏମ୍ସ ଭୁବନେଶ୍ବର ପକ୍ଷରୁ ୪ଟି ବିଭିନ୍ନ ପ୍ରକାର ସେବା ଆରମ୍ଭ ହୋଇଛି। ଏଥିରେ ଡାକ୍ତରଖାନାରେ ଉପଲବ୍ଧ ଶଯ୍ୟା, ଚିକିତ୍ସିତ ରୋଗୀଙ୍କ ସମ୍ପର୍କରେ ସୂଚନା ମିଳିବ ବୋଲି ଏମ୍ସ ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି। ଡାକ୍ତରଖାନାରେ ଉପଲବ୍ଧ ଖାଲି ଶଯ୍ୟା ସମ୍ପର୍କରେ ଜାଣିବା ପାଇଁ ହେଲ୍ପ ଲାଇନ ନମ୍ବର ୦୬୭୪-୨୪୭୬୭୮୯ ସେବା ଆରମ୍ଭ ହୋଇଛି। ଏହା ୨୪ ଘଣ୍ଟା ଧରି କାର୍ଯ୍ୟ କରିବ।
ଡାକ୍ତରଖାନାରେ ଚିକିତ୍ସିତ ରୋଗୀଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ସୂଚନା ପାଇଁ ଏମ୍ସ ଭୁବନେଶ୍ବର ଓ୍ବେବ୍ସାଇଟରେ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ଏଥିରେ ରୋଗୀଙ୍କ ସମ୍ପର୍କୀୟମାନେ ରୋଗୀଙ୍କ ସିଆର ନମ୍ବରକୁ ବ୍ୟବହାର କରି ନିୟମିତ ସୂଚନା ପାଇପାରିବେ। ରୋଗୀଙ୍କ ସମ୍ପର୍କୀୟମାନେ ୭୬୫୫୦-୭୩୦୨୭ ନମ୍ବରକୁ କଲ୍ କରି ଚିକିତ୍ସିତ ରୋଗୀଙ୍କୁ ସେବା ଯୋଗାଉଥିବା ନର୍ସିଂ ଅଧିକାରୀଙ୍କ ସହ ଆଲୋଚନା କରିପାରିବେ। ୨୪ ଘଣ୍ଟା ଧରି କୋଭିଡ୍ ସମ୍ପର୍କରେ ଜାଣି ପାରିବେ। ସାଧାରଣ ଜନତା ୮୨୮୦୩-୪୬୬୮୪ ନମ୍ବରରେ କଲ୍ କରି ସାମାଜିକ ଗଣମାଧ୍ୟମ ଫେସବୁକ (ମେସେଞ୍ଜର) ଜରିଆରେ ଏହି ସେବା ପାଇପାରିବେ। ରୋଗୀ, ସମ୍ପର୍କୀୟମାନଙ୍କୁ ସୂଚନା ପ୍ରଦାନ ପାଇଁ ଡାକ୍ତରଖାନା ପରିସରରେ ୨୪ ଘଣ୍ଟିଆ ହେଲ୍ପ ଡେସ୍କ, ନିୟନ୍ତ୍ରଣ କକ୍ଷ ଖୋଲା ଯାଇ ନିରନ୍ତର ସୂଚନା ପ୍ରଦାନ କରାଯାଉଛି।
ଏଥିସହିତ ଅଣକୋଭିଡ୍ ରୋଗୀଙ୍କ ପାଇଁ ଟେଲି ମେଡିସିନ ସ୍ବାସ୍ଥ୍ୟ ଆପ୍, ଟେଲିମେଡିସିନ ବହିର୍ବିଭାଗ ଜରିଆରେ ସ୍ବାସ୍ଥ୍ୟ, ଚିକିତ୍ସା ସମ୍ପର୍କରେ ସୂଚନା, ସେବା ପ୍ରଦାନ କରାଯାଉଛି। ଗତବର୍ଷରୁ ଆଜି ପର୍ଯ୍ୟନ୍ତ ଏମ୍ସ ଭୁବନେଶ୍ବରରେ ୫ ହଜାରରୁ ଊର୍ଧ୍ବ ରୋଗୀ ଚିକିତ୍ସିତ ହୋଇଛନ୍ତି। ୫୦ ହଜାରରୁ ଊର୍ଧ୍ବଙ୍କ କୋଭିଡ୍ ସ୍କ୍ରିନିଂ, ୧ ଲକ୍ଷ ୧୦ ହଜାରଙ୍କ ଟେଷ୍ଟ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/aiims-bbsr.jpg)