କଟକ: ସାଂସଦ ଅନୁଭବ ମହାନ୍ତିଙ୍କ ପତ୍ନୀ ଭାବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ମିଳିଥିବା ସ୍ପାଉସ୍ (ପତ୍ନୀ) ପରିଚୟପତ୍ର ଫେରାଇବା ପାଇଁ ପାର୍ଲାମେଣ୍ଟ ହାଉସ ଉପନିର୍ଦ୍ଦେଶକ (ସୁରକ୍ଷା) ୨୦୨୧, ଡିସେମ୍ବର ୨୨ରେ ଜାରି କରିଥିବା ଚିଠି ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ସ୍ପାଉସ୍ ପରିଚୟପତ୍ର ଫେରାଇବା ପ୍ରସଙ୍ଗ ଏବଂ ବୈବାହିକ ବିବାଦ ସଂକ୍ରାନ୍ତରେ ତଥା ବର୍ଷାଙ୍କ ଉପରେ ଗଣମାଧ୍ୟମରେ ଅନୁଭବଙ୍କ ମନ୍ତବ୍ୟ ଦେବା ଘଟଣାକୁ ବିରୋଧ କରି ଦାୟର ଏହି ମାମଲାକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରି ନୋଟିସ୍ ଜାରି କରିଛନ୍ତି। ହାଇକୋର୍ଟ ଲୋକସଭା ମହାସଚିବ, ଉପନିର୍ଦ୍ଦେଶକ (ସୁରକ୍ଷା) ଓ ଅନୁଭବ ମହାନ୍ତିଙ୍କୁ ନୋଟିସ୍ ଜାରି କରି ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ବର୍ଷାଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୫କୁ ଧାର୍ଯ୍ୟ କରାଯାଇଛି।
ମାମଲାର ବିବରଣୀରୁ ପ୍ରକାଶ ଯେ ବର୍ଷାଙ୍କୁ ଲୋକସଭା ସଚିବାଳୟ ତରଫରୁ ପ୍ରଦାନ କରାଯାଇଥିବା ସ୍ପାଉସ୍ ପରିଚୟପତ୍ରକୁ ବାତିଲ ପାଇଁ ଅନୁଭବ ୨୦୨୧, ଡିସେମ୍ବର ୨୦ରେ ମହାସଚିବଙ୍କୁ ଚିଠି ଲେଖିଥିଲେ। ସଂସଦ ପରିସର ଓ ବିଦେଶ ଭ୍ରମଣ ପାଇଁ ବର୍ଷାଙ୍କ ଏପରି ପରିଚୟପତ୍ର ବ୍ୟବହାରକୁ ବାରଣ କରାଯାଉ। ସ୍ପାଉସ୍ ପରିଚୟପତ୍ର ସହିତ ଅନ୍ୟାନ୍ୟ ସ୍ବାଧିକାର ଓ ଅଧିକାର ଗୁଡିକର ଯେଭଳି ବର୍ଷାଙ୍କ ଦ୍ବାରା ଦୂରୁପଯୋଗ ହେବନାହିଁ, ସେଥିପାଇଁ ତ୍ବରିତ ଓ ଆବଶ୍ୟକ ପଦକ୍ଷେପ ନେବାକୁ ଲୋକସଭା ସଚିବାଳୟକୁ ଅନୁଭବଙ୍କ ତରଫରୁ ଚିଠି ଲେଖା ଯାଇଥିଲା।
ଏହାପରେ ୨୦୨୧, ଡିସେମ୍ବର ୨୨ରେ ଉପନିର୍ଦ୍ଦେଶକ (ସୁରକ୍ଷା) ଦୀପିକା ଭଲ୍ଲାଙ୍କ ତରଫରୁ ବର୍ଷାଙ୍କୁ ଚିଠି କରାଯାଇଥିଲା। ସାଂସଦ ଅନୁଭବ ମହାନ୍ତିଙ୍କ ପତ୍ନୀ ଭାବେ ବର୍ଷାଙ୍କୁ ପ୍ରଦାନ କରାଯାଇଥିବା ସ୍ପାଉସ୍ ପରିଚୟପତ୍ର (ନଂ-୩୦୦)କୁ ବାତିଲ କରାଯାଇଥିବା ବେଳେ ଏହାକୁ ଲୋକସଭା ସଚିବାଳୟର ସିପିଆଇସି ନିକଟରେ ଦାଖଲ କରିବାକୁ ଚିଠିରେ କୁହାଯାଇଥିଲା। ଏପରି ଚିଠିକୁ ବିରୋଧ କରି ବର୍ଷା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ବର୍ଷାଙ୍କ ତରଫରୁ ଆଇନଜୀବୀ ସୁଜାତା ଜେନା ମାମଲା ପରିଚାଳନା କରୁଛନ୍ତି।