ଭଦ୍ରକ/ ତିହିଡି/ ଧାମନଗର: ଗତକାଲି ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚ୍ଚୁଆଲ ମୋଡରେ ନିର୍ବାଚନୀ ପ୍ରଚାର କରିଥିବାବେଳେ ଆଜି ନିର୍ବାଚନ ପାଇଁ ଶେଷ ପ୍ରଚାରରେ ବିଜେଡି ସିନେ ତାରକାମାନଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇ ଅବନ୍ତୀ ଦାସଙ୍କ ସପକ୍ଷରେ ଭୋଟ ଦେବା ପାଇଁ ପ୍ରଚାର କରିଥିଲେ। ଧାମନଗର ଓ ତିହିଡି ବ୍ଲକରେ ଆଜି ବିଜେଡି ତରଫରୁ ମାରାଥନ ପ୍ରଚାର କରାଯିବା ସହ ମୋଟର ସାଇକେଲ ରାଲି କରାଯାଇଥିଲା। ବିଜେଡି ଶେଷ ବେଳକୁ ତାର ପ୍ରଚାର ଜୋରଦାର କରିଛି। ଆଜି ତିହିଡି ବ୍ଲକର ବିଭିନ୍ନ ପଞ୍ଚାୟତରେ ବିଜେଡି ଜୋରଦାର ପ୍ରଚାର କରିଥିବାବେଳେ ଏହି ପ୍ରଚାରରେ ସାମିଲ ହୋଇଥିଲେ ସିନେ ତାରକା ବର୍ଷା ପ୍ରିୟଦର୍ଶନୀ। ବର୍ଷାଙ୍କ ସହ ରୋଡ ସୋରେ ଥିଲେ ବିଧାୟକ ବ୍ୟୋମକେଶ ରାୟ, ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ର, ବିଧାୟକ ବିଷ୍ଣୁବ୍ରତ ରାଉତରାୟ। ସୋର ବିଧାୟକ ପର୍ଶୁରାମ ଧଡା, ରାଜ୍ୟ ମତ୍ସ୍ୟ ନିଗମର ପୂର୍ବତନ ଅଧ୍ୟକ୍ଷ ଅସିତ ପଟ୍ଟନାୟକଙ୍କ ସମେତ ବହୁ ଦଳୀୟ ନେତା |
ସେହିପରି ଆଜି ଧାମନଗର ବ୍ଲକରେ ବିଜେଡିର ମାରାଥନ୍ ପ୍ରଚାର ବେଳେ ପ୍ରଚାର ରଥରେ ଥିଲେ ସିନେ ତାରକା ମୁନା ଖାନ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ସାଂସଦ ସୁଲତା ଦେଓ, ସାଂସଦ ମଂଜୁଲତା ମଣ୍ଡଳ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଧାମନଗର ବ୍ଲକର ପୂର୍ବତନ ଅଧ୍ୟକ୍ଷ ଅଶୋକ ନାୟକ ପ୍ରମୁଖ। ବିଜେଡିର ଆଜି ଏଇ ଶେଷ ପ୍ରଚାର ବେଶ୍ ଚିତାର୍ଷକ ହୋଇଥିବା ବେଳେ ଭୋଟରକୁ ଧରି ରଖିବା ପାଇଁ ଏହା ଥିଲା ବିଜେଡିର ଶେଷ ପ୍ରୟାସ। ଆଜି କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣଙ୍କ ପାଇଁ ପ୍ରଚାର ମଇଦାନରେ ଥିଲେ ଜଟଣୀ ବିଧାୟକ ସୁର ରାଉତରାୟ। ଏଇ ପ୍ରଚାର ବେଳେ କଂଗ୍ରେସ ଓ ବିଜେଡିର ପ୍ରଚାରକ ଗାଡି ସାମ୍ନାସାମ୍ନି ହୋଇଥିଲା। ସୁର ରାଉତରାୟଙ୍କୁ ଦେଖି ବିଜେଡି ପ୍ରଚାର ଗାଡିରେ ଥିବା ସିନେ ତାରକା ମୁନା ଖାନ ନାଚିଥିବାବେଳେ କଂଗ୍ରେସ ନେତା ସୁର ରାଉତରାୟ ମଧ୍ୟ ନାଚି ଉଠି ଥିଲେ। ମାଡି ଚାଲ ବୋଲି ରଡି ଛାଡିଥିଲେ ସୁର। କଂଗ୍ରେସ ଓ ବିଜେଡିର ଏଇ ପ୍ରଚାର ଆଜି ବେଶ୍ ରୋଚକ ମୋଡ ନେଇଥିଲା।