ଭୁବନେଶ୍ବର: କନକ ନ୍ୟୁଜ ପକ୍ଷରୁ ଆୟୋଜିତ ୩ୟ ଓଡିଶା ନିର୍ମାଣ କନକ୍ଲେଭରେ ଯୋଗଦେଇ ବିଜେପି ସାଂସଦ ବରୁଣ ଗାନ୍ଧୀ କହିଛନ୍ତି ଯେ, ବର୍ତ୍ତମାନ ଦେଶରେ ମହିଳା ସଂରକ୍ଷଣ ନେଇ ବିଭିନ୍ନ ଦଳ ସ୍ୱର ଉଠାଉଛନ୍ତି । କିନ୍ତୁ ପ୍ରକୃତରେ ଆମ ଦେଶରେ ଏବେ ବି ମହିଳାମାନଙ୍କ ଜରିଆରେ ତାଙ୍କ ସ୍ୱାମୀମାନେ ରାଜନୀତିରେ କ୍ଷମତା ଦଖଲ କରିଛନ୍ତି । ମୂଳ କଥା ହେଲା ଏବେ ବି ଅନେକ ପଞ୍ଚାୟତରେ ମହିଳା ସରପଞ୍ଚମାନଙ୍କ ସ୍ଥାନରେ ତାଙ୍କର ସ୍ୱାମୀମାନେ କ୍ଷମତା ସମ୍ଭାଳୁଛନ୍ତି । ଏହି ପରମ୍ପରା ବନ୍ଦ ନ ହେବା ଯାଏଁ ମହିଳାଙ୍କ ଲାଗି ସଂରକ୍ଷଣର କୌଣସି ଅର୍ଥ ରହିବ ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ସାଂସଦ ବରୁଣ ଗାନ୍ଧୀଙ୍କ କହିବା ମୁତାବକ, ପ୍ରଥମେ ଦେଶର ସମସ୍ତ ପଞ୍ଚାୟତ ବା ତୃଣମୂଳ ସ୍ତରରେ ମହିଳାଙ୍କ ହାତରେ ଶାସନର ଡୋରି ଦେବା ଆବଶ୍ୟକ । ଏହାଦ୍ୱାରା ପଞ୍ଚାୟତରେ ଜଣେ ମହିଳା ପ୍ରତିନିଧି ନିଜେ କ୍ଷମତା ଡ଼ୋରି ସମ୍ଭାଳିବା ଦରକାର । ଆଉ ଖାସ୍ କରି ଦେଶରେ ଯେଉଁ ‘ପ୍ରଧାନପତି’ ପ୍ରଥା ରହିଛି ତାକୁ ହଟାଇବା ଦରକାର ଏବଂ ମହିଳାମାନଙ୍କୁ ପ୍ରତି ପଞ୍ଚାୟତରୁ ହିଁ ପ୍ରଥମେ କ୍ଷମତା ସମ୍ଭାଳିବା ପାଇଁ ଦିଆଯିବା ଦରକାର । ଯାହାଦ୍ୱାରା ପଞ୍ଚାୟତରୁ ବ୍ଲକ ଓ ପରେ ଏହା ଜିଲ୍ଲା ଓ ରାଜ୍ୟରୁ ଦେଶକୁ ସମ୍ଭାଳିବା ପାଇଁ ସକ୍ଷମ ହେବେ । ଏହା ହିଁ ସମ୍ପୂର୍ଣ୍ଣ ଭାରତ ନିର୍ମାଣ କରିବାର ସହାୟକ ହେବ ବୋଲି ମତ ରଖିଛନ୍ତି ବରୁଣ ଗାନ୍ଧୀ ।
ସେହିପରି ଦେଶର ଆଶାନୁରୂପ ବିକାଶ ନ ହେବା ପାଇଁ ସମସ୍ତେ ଦାୟୀ । ତୃଣମୂଳ ସ୍ତରରେ ଏକ ଦୁର୍ନୀତି ଚାଲିଛି ଓ ଯଦି ଏହି ଦୁର୍ନୀତି ସଂସ୍ପର୍ଶରେ ଏକ ଭଲ ଲୋକ ଆସିଯାଏ, ସେ ମଧ୍ୟ ଖରାପ ହୋଇଯାଏ । ତେଣୁ ଏହାକୁ ଧ୍ୟାନ ଦେବା ଦରକାର । କେବଳ ଭାରତୀୟ କ୍ରିକେଟ୍ ମ୍ୟାଚ ଦେଖି ଷ୍ଟାଡ଼ିୟମରେ ତାଳି ମାରିଲେ କିମ୍ବା .କୌଣସି ଦେଶତ୍ମକବୋଧକ ଫିଲ୍ମ ଦେଖି ଖୁସି ହୋଇଗଲେ ଦେଶର ବିକାଶ ହେବ ନାହିଁ । ଦେଶର ବିକାଶ ପାଇଁ ପାଦ ବଢ଼ାଇ ନିଜର ସହଯୋଗ ଦେବା ଆବଶ୍ୟକ ବୋଲି କହିଛନ୍ତି ସାଂସଦ ବରୁଣ ଗାନ୍ଧୀ ।