ମାଲବାହୀ ଜାହାଜ ଫସିବା ଘଟଣା: ଟାଙ୍କିରୁ ତେଲ ଲିକ୍‌ ହେଲେ ବିପଦ ସୃଷ୍ଟି ହେବ !

ଭୁବନେଶ୍ୱର/ବ୍ରହ୍ମଗିରି: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅନ୍ତର୍ଗତ ଚିଲିକା ହ୍ରଦର ରାଜହଂସ ନିକଟ ସମୁଦ୍ରରେ ଫସିଥିବା ମାଲବାହୀ ଜାହାଜର ଟାଙ୍କିରୁ ଡିଜେଲ ଲିକ୍‌ ହେବାର ଆଶଙ୍କା ଦେଖାଯାଇଛି। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପ୍ରାୟ ଏକ ସପ୍ତାହ ହେବ ଅଟକି ରହିଥିବା ଜାହାଜର ଟାଙ୍କିରୁ ଡିଜେଲ ଲିକ୍‌ ହେଲେ ଚିଲିକା ପ୍ରତି ଘୋର ବିପଦ ସୃଷ୍ଟି ହେବ। ଚିଲିକା ଜଳରାଶିରେ ଥିବା ପ୍ରାଣୀଜଗତ, ଜୈବବିବିଧତା, ଡଲଫିନ, ସରୀସୃପ ଆଦି ସଂପଦକୁ କ୍ଷତି ପହଞ୍ଚାଇବ। କାରଣ ଜାହାଜର ତେଲ ଟାଙ୍କିରେ ଏବେ ପ୍ରାୟ ୩୦ ହଜାର ଲିଟର ଡିଜେଲ ଅଛି।

ବୃହତ୍ତ ଜଳରାଶିରେ ଫସିଥିବା ଜାହାଜକୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି। ପାରାଦୀପରୁ ବୁଧବାର ଟେକନିକାଲ ଟିମ୍‌ ପହଂଚି ମାଲବାହୀ ଜାହାଜ ଦେଖିଛନ୍ତି। ବାଲିରେ ପୋତି ହୋଇଯାଇଥିବାରୁ ଜାହାଜକୁ ଠିକ୍‌ କରିବାରେ ଅସୁବିଧା ଦେଖାଯାଇଛି। ଅନ୍ୟପଟରେ ଚିଲିକା ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ଏଠାରେ ଭିଡ଼ ଜମାଉଛନ୍ତି। ସୁରକ୍ଷାକୁ ଦୃଷ୍ଟିରେ ରଖି ଏଠାରେ ପୁଲିସ ମୁତୟନ କରାଯାଇଛି।

ସୂଚନାଯୋଗ୍ୟ ଓଡ଼ିଶା ଉପକୂଳରେ ଗତ ୯ ତାରିଖରେ ଦିଗହରା ହୋଇ ଏକ ମାଲବାହୀ ଜାହାଜ ଚିଲିକାରେ ଅଟକିଛି। ଜାହାଜଟି ମାଲେସିଆରୁ ଲୁହାପଥର ଓ ମାଙ୍ଗାନିଜ ଆଣିବାକୁ ବାଂଲାଦେଶ ଯାଉଥିଲା। ମାତ୍ର ଗଞ୍ଜାମ ଜିଲ୍ଲାର ଗୋପାଳପୁର ନିକଟ ସମୁଦ୍ରରେ ଦୁର୍ଘଟଣାଗ୍ରସ୍ତ ହୋଇ ଚିଲିକାର ରାଜହଂସ ନିକଟରେ ଅଟକିଥିଲା। ଜାହାଜରେ ମାଲେସିଆର ୭ ଜଣ ନାଗରିକ ଓ ଜଣେ ଭାରତୀୟ ନାଗରିକ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର