ତେଲ ଉପରୁ ଭାଟ୍ ହ୍ରାସ ପ୍ରସ୍ତାବ: ଶୁଣୁନାହାନ୍ତି ରାଜ୍ୟ ସରକାର

ବିଜେପି ଶାସିତ ରାଜ୍ୟ ମଧ୍ୟ କମାଇଲେ ନାହିଁ
ଭାଟ୍ କମାଇବା ପାଇଁ ଶିଳ୍ପଜଗତର ନିବେଦନ
ଦ୍ବନ୍ଦ୍ବ ବଢ଼ାଇଲେ ମହାରାଷ୍ଟ୍ର, କେରଳ, ରାଜସ୍ଥାନ

ନୂଆଦିଲ୍ଲୀ/ଭୁବନେଶ୍ବର : ଦରଦାମ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ଗତକାଲି କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରୁ ଉତ୍ପାଦନ ଶୁଳ୍କ ହ୍ରାସ ଘୋଷଣା କରିଥିଲେ। ଏହାସହିତ ଭାଟ୍ କମାଇବା ଲାଗି ରାଜ୍ୟମାନଙ୍କୁ ମଧ୍ୟ ପରାମର୍ଶ ଦେଇଥିଲେ। ଇତିମଧ୍ୟରେ କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କ ଘୋଷଣାକୁ ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ କୌଣସି ରାଜ୍ୟ ଏପର୍ଯ୍ୟନ୍ତ ଭାଟ୍ କମାଇବାକୁ ଘୋଷଣା କରି ନାହାନ୍ତି। ଏପରିକି ବିଜେପି ଶାସିତ ରାଜ୍ୟମାନେ ମଧ୍ୟ କରି ନାହାନ୍ତି। କେନ୍ଦ୍ରର ଘୋଷଣାକୁ ବିଜେପି ସମର୍ଥନ କରିଥିଲେ ମଧ୍ୟ ଏହାଦ୍ବାରା ଶାସିତ ରାଜ୍ୟମାନଙ୍କ ମଧ୍ୟରେ ଗତଥର ଭଳି ଏଥର ଉତ୍ସାହ ଦେଖିବ‌ାକୁ ମିଳୁନାହିଁ। ଅନ୍ୟପକ୍ଷରେ କିଛି ଅଣବିଜେପି ଶାସିତ ରାଜ୍ୟ ସରକାରଙ୍କ ଭାଟ୍ ହ୍ରାସ ଘୋଷଣା ଦ୍ବନ୍ଦ୍ବ ବଢ଼ାଇ ଦେଇଛି।

ଗତକାଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପେଟ୍ରୋଲ ଉପରେ ଲିଟର ପିଛା ୮ ଟଙ୍କା ଏବଂ ଡିଜେଲ ଉପରେ ୬ ଟଙ୍କା ଉତ୍ପାଦନ ଶୁଳ୍କ ହ୍ରାସ ଘୋଷଣା କରିଥିଲେ। କେନ୍ଦ୍ରୀୟ ଟିକସ ହ୍ରାସ ପାଇବା ପରେ ବିକ୍ରି ମୂଲ୍ୟ କମିଲେ ସବୁରାଜ୍ୟରେ ଭାଟ୍ ମଧ୍ୟ ଆପେ ଆପେ ହ୍ରାସ ପାଏ। ସେହିଦୃଷ୍ଟିରୁ ସୀତାରମଣ କହିଥିଲେ ଯେ ପେଟ୍ରୋଲ ଦାମ ୯ ଟଙ୍କା ୫୦ ପଇସା ଏବଂ ଡିଜେଲ ଦାମ ୭ ଟଙ୍କା କମିଯିବ। ଏହାବାଦ୍ ‌ଭାଟ୍ ଶୁଳ୍କ କମାଇବା ଲାଗି ସେ ରାଜ୍ୟମାନଙ୍କୁ ପରାମର୍ଶ ଦେଇଥିଲେ। ରାଜ୍ୟ ସରକାରମାନେ ଭାଟ୍ ହ୍ରାସ କରିଲେ ପେଟ୍ରୋଲ ଓ ଡିଜେଲ ଦର ଆହୁରି କମ୍‌ ମୂଲ୍ୟରେ ଗ୍ରାହକଙ୍କୁ ମିଳିପାରିବ‌। ମୁଦ୍ରାସ୍ଫୀତିକୁ ମଧ୍ୟ ନିୟନ୍ତ୍ରଣକୁ ଅଣାଯାଇପାରିବ ବୋଲି ସେ କହିଥିଲେ।

ତାଙ୍କ ଆହ୍ବାନର ୨୪ ଘଣ୍ଟା ପରେ ମଧ୍ୟ କୌଣସି ରାଜ୍ୟ ସେମାନଙ୍କ ଆଡ଼ୁ ଭାଟ୍ ହ୍ରାସ ଘୋଷଣା କରିନାହାନ୍ତି। ଅଣ ବିଜେପି ଶାସିତ ରାଜ୍ୟ ତ ଦୂରର କଥା, ବିଜେପି ଶାସିତ ରାଜ୍ୟମାନେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଆଗ୍ରହ ପ୍ରକାଶ କରି ନାହାନ୍ତି। ସୂଚନାଯୋଗ୍ୟ ଯେ ଗତ ନଭେମ୍ବର ମାସରେ କେନ୍ଦ୍ର ପେଟ୍ରୋଲ ଓ ଡିଜେଲ ଉପରୁ ଶୁଳ୍କ ହ୍ରାସ କରିବା ପରେ ଭାଟ୍ ହ୍ରାସ ଲାଗି ବିଜେପି ଶାସିତ ରାଜ୍ୟ ସରକାରମାନଙ୍କ ମଧ୍ୟରେ ଏକ ରକମର ପ୍ରତିଦ୍ବନ୍ଦ୍ବିତା ଆରମ୍ଭ ହୋଇଯାଇଥିଲା। କିନ୍ତୁ ଏଥର ସେମାନଙ୍କ ମଧ୍ୟରେ ଏହାକୁ ନେଇ ସେଭଳି ଉତ୍ସାହ ଦେଖାଯାଇ ନାହିଁ। ଏହାର କାରଣ ରାଜସ୍ବ ଚିନ୍ତା ହୋଇପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ସେମାନେ କହିଛନ୍ତି ଯେ ରାଜ୍ୟମାନଙ୍କ ସମ୍ବଳର ସୂତ୍ର ସୀମିତ ଥିବାରୁ ରାଜ୍ୟ ଆର୍ଥିକ ଅବସ୍ଥା ଉପରେ ଚାପ ରହିଛି। ତେଣୁ ‌ରାଜ୍ୟମାନେ ଏଦିଗରେ ରିସ୍କ ନେବାକୁ ଚାହୁ ନାହାନ୍ତି। କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥ ମନ୍ତ୍ରୀ ପି. ଚିଦମ୍ବରମ କହିଛନ୍ତି ଯେ ରାଜ୍ୟମାନଙ୍କୁ ଭାଟ୍‌ରୁ ସୀମିତ ସମ୍ବଳ ମିଳୁଛି। ତେଣୁ କେନ୍ଦ୍ର ସରକାର ଏଭଳି ପରାମର୍ଶ ଦେବା ପୂର୍ବରୁ ରାଜ୍ୟମାନଙ୍କୁ ଅଧିକ ପରିମାଣରେ ଅନୁଦାନ ଦିଅନ୍ତୁ।

GoNewsIndia

ଇତିମଧ୍ୟରେ କେରଳ, ରାଜସ୍ଥାନ ଏବଂ ମହାରାଷ୍ଟ୍ର ସରକାର ଭାଟ୍ ହ୍ରାସ କରିଥିବା ନେଇ ଯେଉଁ ଦାବି କରୁଛନ୍ତି ତାହାକୁ ନେଇ ଦ୍ବନ୍ଦ୍ବ ବଢ଼ିଯାଇଛି। କେରଳ ସରକାର ପେଟ୍ରୋଲ୍‌ରୁ ୨ ଟଙ୍କା ୪୧ ପଇସା ଓ ଡିଜେଲ୍‌ରୁ ୧ ଟଙ୍କା ୩୬ ପଇସା, ରାଜସ୍ଥାନ ସରକାର ପେଟ୍ରୋଲ୍‌ରୁ ୧ ଟଙ୍କା ୨୮ ପଇସା ଓ ଡିଜେଲ୍‌ରୁ ୧ ଟଙ୍କା ୧୬ ପଇସା ଏବଂ ମହାରାଷ୍ଟ୍ର ସରକାର ପେଟ୍ରୋଲ୍‌ରୁ ୨ ଟଙ୍କା ୮ ପଇସା ଓ ଡିଜେଲ୍‌ରୁ ୧ ଟଙ୍କା ୪୪ ପଇସାର ଭାଟ୍‌ କମାଇଛନ୍ତି ବୋଲି ଘୋଷଣା କରିଛନ୍ତି। ବିଶେଷଜ୍ଞମାନଙ୍କ ମତରେ ଏହି ରାଜ୍ୟମାନଙ୍କ ଘୋଷଣା ଅଯଥାରେ ଦ୍ବନ୍ଦ୍ବ ବଢ଼ାଉଛି। କାରଣ କେନ୍ଦ୍ରର ଟିକସ ହ୍ରାସ ଘୋଷଣା ପରେ ରାଜ୍ୟଗୁଡ଼ିକର ଭାଟ୍‌ ଆପେ କମିଥିଲେ ମଧ୍ୟ ସେମାନେ ନିଜ ଆଡ଼ୁ ଭାଟ୍ ହ୍ରାସ କରିଥିବାର ଶ୍ରେୟ ନେବାକୁ ଆଗେଇ ଆସିବା ଠିକ୍ ନୁହେଁ। ଗତବର୍ଷ ନଭେମ୍ବର ୩ ତାରିଖରେ କେନ୍ଦ୍ର ସରକାର ପେଟ୍ରୋଲ ଉପରେ ୫ ଟଙ୍କା ଏବଂ ଡିଜେଲ ଉପରେ ୧୦ ଟଙ୍କା ଉତ୍ପାଦନ ଶୁଳ୍କ କମାଇଥିଲେ। ଏହା ପରଦିନ ରାଜ୍ୟମାନଙ୍କରେ ପେଟ୍ରୋଲ ଓ ଡିଜେଲ ଦର ୬ ଟଙ୍କା ଏବଂ ୧୨ ଟଙ୍କାରୁ ଅଧିକ କମିଯାଇଥିଲା।

ଉଦାହରଣ ସ୍ବରୂପ ଗତ ନଭେମ୍ବରରେ କେନ୍ଦ୍ରର ଘୋଷଣା ପରେ ଓଡ଼ିଶା‌ରେ ପେଟ୍ରୋଲ ଦାମ୍ ୬ ଟଙ୍କା ୬୬ ପଇସା ଏବଂ ଡିଜେଲ ୧୨ ଟଙ୍କା ୮୩ ପଇସା କମିଯାଇଥିଲା। ଫଳରେ ରାଜ୍ୟ ସରକାରଙ୍କୁ ପେଟ୍ରୋଲ ଓ ଡିଜେଲ ବାବଦ ଭାଟ୍ ଆକାରରେ ଯଥାକ୍ରମେ ୧ ଟଙ୍କା ୬୬ ପଇସା ଓ ୨ ଟଙ୍କା ୮୩ ପଇସା ହରାଇବାକୁ ପଡ଼ିଥିଲା। କିନ୍ତୁ ଓଡ଼ିଶା ପକ୍ଷରୁ ସେହିମାସ ୬ ତାରିଖରେ ଉଭୟ ଇନ୍ଧନ ଉପରୁ ଭାଟ୍ ଲିଟର ପିଛା ଅତିରିକ୍ତ ୩ ଟଙ୍କା ହ୍ରାସ ଘୋଷଣା କରାଯାଇଥିଲା। ଫଳରେ ପେଟ୍ରୋଲ ଓ ଡିଜେଲ ଦର ଯଥାକ୍ରମେ ୧୦୧ ଟଙ୍କା ଏବଂ ୯୧ ଟଙ୍କା ସ୍ତରକୁ ଖସିଆସିଥିଲା। କେବଳ ଓଡ଼ିଶା ନୁହେଁ, ଅନ୍ୟ କିଛି ରାଜ୍ୟ ସେମାନଙ୍କ ଆଡ଼ୁ ଭାଟ୍ ହ୍ରାସ କରିଥିବା ବେଳେ ଆଉ କିଛି ରାଜ୍ୟ ହ୍ରାସ କରି ନଥିଲେ। ସେହିଭଳି ଗତକାଲି କେନ୍ଦ୍ର ଘୋଷଣା ପରେ ଓଡ଼ଶାରେ‌ ଭାଟ୍ ବାବଦରେ ପେଟ୍ରୋଲରେ ୧ ଟଙ୍କା ୩୧ ପଇସା ଏବଂ ଡିଜେଲରେ ୧ ଟଙ୍କା ୪୮ ପଇସା ହ୍ରାସ ପାଇଛି। କିନ୍ତୁ ଗତ ନଭେମ୍ବର ଭଳି ଏଥର ରାଜ୍ୟ ସରକାର ଅତିରିକ୍ତ ଭାଟ୍ କମାଇବାକୁ ଘୋଷଣା କରି ନାହାନ୍ତି। ଅନ୍ୟପକ୍ଷରେ ବିଜେଡି ସାଂସଦ ଅମର ପଟ୍ଟନାୟକ କହିଛନ୍ତି ଯେ ଅଧିକ ଭାଟ୍ କମାଇଲେ ରାଜସ୍ବ ଆୟ ପ୍ରଭାବିତ ହେବ। ରାଜ୍ୟ ଅପେକ୍ଷା କେନ୍ଦ୍ର ପାଖରେ ଟିକସ କମାଇବାର ଅଧିକ ସୁଯୋଗ ରହିଛି।

ତେବେ ଶିଳ୍ପ ଜଗତ ପକ୍ଷରୁ ରାଜ୍ୟଗୁଡ଼ିକୁ ଭାଟ୍ ହ୍ରାସ କରିବା ପାଇଁ ଆଜି ନିବେଦନ କରାଯାଇଛି। ତୈଳର ବର୍ଦ୍ଧିତ ଦର ଚାପରୁ ଗ୍ରାହକମାନଙ୍କୁ ଆଶ୍ବସ୍ତି ପ୍ରଦାନ କରିବା ଲାଗି ବ୍ୟବସାୟୀ ଓ ରପ୍ତାନିକାରୀମାନେ ମଧ୍ୟ ସମାନ ନିବେଦନ କରିଛନ୍ତି। ଭାରତୀୟ ଶିଳ୍ପ ମହାସଂଘ ବା ସିଆଇଆଇ ପକ୍ଷରୁ କୁହାଯାଇଛି କେନ୍ଦ୍ର ଟିକସ କମ୍ କରିଥିବାରୁ ଦରଦାମ୍ ସ୍ଥିତି ନିୟନ୍ତ୍ରଣକୁ ଆସିବ। ଆଗକୁ ରାଜ୍ୟଗୁଡ଼ିକ ମଧ୍ୟ ଟିକସ କମ୍ କରିବେ ବୋଲି ସିଆଇଆଇ ସଭାପତି ସଞ୍ଜୀବ ବଜାଜ ଆଶା ପ୍ରକଟ କରିଛନ୍ତି। ଅନ୍ୟତମ ଶିଳ୍ପ ସଂଘ ଆସୋଚାମ୍‌ର ମହାସଚିବ ଦୀପକ ସୁଦ କହିଛନ୍ତି ଯେ ଟିକସ ହ୍ରାସ ଦରଦାମ୍‌ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବ। ସର୍ବଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି) ପକ୍ଷରୁ କୁହାଯାଇଛି ଟିକସ ହ୍ରାସ ହୋଇଥିବାରୁ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀଗୁଡ଼ିକର ଦାମ୍ ଅତିକମ୍‌ରେ ୧୦% କମିବ। ଦରବୃଦ୍ଧିରୁ ଲୋକମାନଙ୍କୁ ଆଶ୍ବସ୍ତି ଦେବା ଲାଗି ରାଜ୍ୟଗୁଡ଼ିକ ଟିକସ କମ୍ କରନ୍ତୁ ବୋଲି ମହାସଂଘ ନିବେଦନ କରିଛି। ସେହିପରି, ପିଏଚ୍‌ଡିସିସିଆଇର ସଭାପତି ପ୍ରଦୀପ ମୁଲତାନି କହିଛନ୍ତି ଯେ ଏଭଳି ସମୟରେ ଟିକସ କମ୍ କରିବା ଲାଗି ରାଜ୍ୟଗୁଡ଼ିକ ଆଗେଇ ଆସିବା ଦରକାର। ରପ୍ତାନିକାରୀଙ୍କ ସଂଘ ଏଫ୍‌ଆଇଇଓର ସଭାପତି ଏ ଶକ୍ତିଭେଲ କହିଛନ୍ତି ଯେ ତେଲରୁ ଟିକସରେ କରାଯାଇଥିବା ହ୍ରାସ ବହୁ କଞ୍ଚାମାଲ ଦାମ୍ କମ୍ କରିବାରେ ସହାୟକ ହେବ।

ସମ୍ବନ୍ଧିତ ଖବର