ଭୁବନେଶ୍ୱର : ଆଉ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ(ଆରଟିଓ)କୁ ବାରମ୍ବାର ଦୌଡ଼ିବାକୁ ପଡ଼ିବ ନାହିଁ କି ସେହି ଅଫିସ ଭିଡ଼ରେ ବ୍ୟତିବ୍ୟସ୍ତ ହୋଇ ଦଲାଲଙ୍କୁ ଅଗତ୍ୟା ଅଧିକ ଟଙ୍କା ଗଣିବା ଦରକାର ହେବନାହିଁ। ଘରେ ନିଜ କମ୍ପ୍ୟୁଟର ଆଗରେ ବସି ହେଉ କି ବାହାରର ଅନ୍ୟ କୌଣସି କମ୍ପ୍ୟୁଟରରେ କ୍ଲିକ୍‌ କଲେ ଉପଲବ୍ଧ ହେବ ଡ୍ରାଇଭିଂ ଲାଇସେନ୍ସ, ରେଜିଷ୍ଟ୍ରେସନ ଭଳି ପ୍ରାୟ ୩୦ ପ୍ରକାରର ସେବା। ଆସନ୍ତା ନୂଆବର୍ଷ ଜାନୁଆରି ପହିଲାରୁ ଏ ସମସ୍ତ ସେବା ଡିଜିଟାଲ୍‌ ‘ବାହନ-୪.୦’ ଯୋଗେ ମିଳିପାରିବ। ବର୍ତମାନ ଚାଲିଥିବା ‘ବାହନ ୨.୦’ ନାଗରିକ କେନ୍ଦ୍ରିକ ଏବଂ ସଂପୂର୍ଣ୍ଣ ରୂପେ ଡିଜିଟାଲ୍‌ ହୋଇନଥିବାରୁ ନୂଆ ବ୍ୟବସ୍ଥା ଲୋକମାନଙ୍କୁ ଅଧିକ ସେବା, ସୁବିଧା ଯୋଗାଇବାରେ ସକ୍ଷମ ହେବ।

Advertisment

ଆଜି ଏ ନେଇ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ନୀତିଗତ ନିଷ୍ପତ୍ତି ନିଆଯାଇଛି। ସୂଚନାନୁସାରେ ଓଡ଼ିଶା ଜନସେବା ଅଧିକାର ଆଇନରେ ପରିବହନ ସମ୍ପର୍କିତ ପ୍ରାୟ ୩୦ଟି ସେବା ଉପଲବ୍ଧ ହେବା ନେଇ ସମୟ ସୀମା ଧାର୍ଯ୍ୟ କରାଯାଇଛି। ସେସବୁ ସେବା ଆଂଶିକ ଭାବେ ଡିଜିଟାଲ୍‌ ଏବଂ ଆଂଶିକ ଭାବେ ପୁରୁଣା ଫାଇଲ୍‌ ପଦ୍ଧତି(ମାନୁଆଲ୍‌)ରେ କରାଯାଉଛି। କିନ୍ତୁ ସେହି ସେବାଗୁଡ଼ିକ ସଠିକ୍‌ ସମୟରେ ଲୋକେ ପାଉଛନ୍ତି କି ନାହିଁ ସେ ନେଇ ଯାଞ୍ଚ ବ୍ୟବସ୍ଥା ନାହିଁ। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ‘ବାହନ-୪.୦’ ନାମକ କମ୍ପ୍ୟୁଟରୀକୃତ ଅନ୍‌ଲାଇନ ସେବାର ପରିକଳ୍ପନା କରିଛନ୍ତି। ଏହି ଅନ୍‌ଲାଇନ ସେବା ଯୋଗେ ଡ୍ରାଇଭିଂ ଲାଇସେନ୍ସ, ଲାଇସେନ୍ସର ନବୀକରଣ, ଡୁପ୍ଲିକେଟ୍‌, ବୀମା, ଗାଡ଼ିର ମାଲିକାନା ପରିବର୍ତନ, ରେଜିଷ୍ଟ୍ରେସନ, ଠିକଣା ପରିବର୍ତନ ଆଦି ୩୦ ପ୍ରକାରର ସେବା ପ୍ରଦାନ କରାଯିବ।

ଏସବୁ ସେବା ପାଇବା ନିମନ୍ତେ ସଂପୃକ୍ତ ଆବେଦନରକାରୀଙ୍କୁ ବାରମ୍ବାର ଆରଟିଓ ଦୌଡ଼ିବାକୁ ପଡ଼ିବ ନାହିଁ। କେବଳ ଫଟୋଉଠା, ବାୟୋମେଟ୍ରିକ୍ସ ଆଦି କିଛି କାମ ନିମନ୍ତେ ପାସ୍‌ପୋର୍ଟ ଅଫିସ୍‌ ଭଳି ଆବେଦନକାରୀଙ୍କୁ ଥରେ ଦୁଇଥର ଆରଟି ଅଫିସ ଯିବାକୁ ପଡ଼ିବ। ଏଥିପାଇଁ ଅଫିସ ତରଫରୁ ନିର୍ଦିଷ୍ଟ ସମୟ ନିର୍ଧାରଣ କରାଯିବ। ଏହାଛଡ଼ା ଅନ୍ୟ ସମସ୍ତ କାର୍ଯ୍ୟ କମ୍ପ୍ୟୁଟର ସହାୟତାରେ ଆବେଦନକାରୀ ନିଜେ କରିପାରିବେ। ‘ବାହନ’ର ଏହି ନୂଆ ସଫ୍ଟେଓ୍ଵର କାର୍ଯ୍ୟକ୍ରମରେ ସମସ୍ତ ସେବା ସୁବିଧା ଉପଲବ୍ଧ ହେବ। ଫଳରେ ଆରଟି ଅଫିସରେ ଦଲାଲରାଜ ରହିବନି କି ଲୋକମାନଙ୍କ ଭିଡ଼ ରହିବନି। ଲୋକେ ଅଯଥା ଖର୍ଚରୁ ରକ୍ଷା ପାଇବେ। ଏହି ଅନ୍‌ଲାଇନ ସେବା ଯୋଗେ ଅଧିକାରୀଙ୍କୁ ଦାୟିତ୍ୱ ନ୍ୟସ୍ତ କରିହେବ। ବ୍ୟବସ୍ଥାରେ ସ୍ୱଚ୍ଛତା ଅଣାଯିବା ଦ୍ୱାରା ଆରଟିଓ ଦୁର୍ନୀତି ଅନେକାଂଶରେ ଆପଣାଛାଏଁ ବନ୍ଦ ହୋଇଯିବ। ଆରଟିଓରେ ଭିଡ଼ ବନ୍ଦ କରି ଲୋକଙ୍କୁ ସଠିକ ରୂପେ ସେବା ଯୋଗାଇଦେବା ପାଇଁ ମୁଖ୍ୟ ସଚିବ ଶ୍ରୀ ପାଢ଼ୀ ବାଣିଜ୍ୟ ଓ ପରିବହନ ବିଭାଗକୁ ନିର୍ଦେଶ ଦେଇଛନ୍ତି।

‘ବାହନ-୪.୦’ର କାର୍ଯ୍ୟକାରିତା ନିମନ୍ତେ ଆସନ୍ତା ୧୦ ତାରିଖରୁ ସଂପୃକ୍ତ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ତାଲିମ ଦିଆଯିବ। ପାଇଲଟ୍‌ ପ୍ରକଳ୍ପ ଭାବେ ‘ବାହନ-୪.୦’ କାର୍ଯ୍ୟକ୍ରମ କଟକରେ ଆରମ୍ଭ ହୋଇ ସଫଳତାର ସହିତ କାର୍ଯ୍ୟ କରିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ଥିବା ୩୫ଟି ଆରଟିଓ ଏବଂ ଅତିରିକ୍ତ ୩ଟି ଆରଟିଓରେ ଜାନୁଆରି ୧ ତାରିଖରୁ କରାଯିବ। ଏହା ସହିତ ସମସ୍ତ ଆରଟିଓରୁ ବିଭିନ୍ନ ପ୍ରକାରର ଡାଟା ସଂଗ୍ରହ କରି ସେଗୁଡ଼ିକୁ ଗୋଟିଏ ପୋର୍ଟାଲ୍‌ରେ ଏକତ୍ରିତ ରଖିବା ପାଇଁ ଓ୍ଵିପ୍ରୋ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି। ଏହି କାର୍ଯ୍ୟ ପ୍ରାୟ ୬ ମାସ ଲାଗିବ ବୋଲି କୁହାଯାଉଛି। ଉଲ୍ଲେଖଯୋଗ୍ୟ ଯେ ଗତ ଅଗଷ୍ଟ ମାସରୁ ଅନ୍‌ଲାଇନ ଯୋଗେ ଅସ୍ଥାୟୀ ପର୍‌ମିଟ୍‌ ପ୍ରଦାନ ବ୍ୟବସ୍ଥା ଆରମ୍ଭ ହୋଇଛି। ଚଳିତ ମାସ ଶେଷ ସୁଦ୍ଧା ପର୍‌ମିଟ୍‌ ସମ୍ବନ୍ଧୀୟ ଆଉ ୪ଟି ସେବା ଅନ୍‌ଲାଇନ ଯୋଗେ ମିଳିପାରିବ। ଡିସେମ୍ଭର ଶେଷ ସୁଦ୍ଧା ସବୁ ପ୍ରକାରର ପର୍‌ମିଟ୍‌ କାର୍ଯ୍ୟ ଡିଜିଟାଲ୍‌ ଯୋଗେ ହୋଇପାରିବ ବୋଲି ଆଶା କରାଯାଉଛି।