ନୂଆବର୍ଷରେ ମୁଖ୍ୟମନ୍ତ୍ରୀଙ୍କ ନୂଆ ଭିଡିଓ; ଦେଢ଼ ମିନିଟର ଭିଡିଓକୁ ନେଇ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା

ଭୁବନେଶ୍ବର: ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡିଓ । ନୂଆବର୍ଷ ଅବସରରେ ନବୀନ ନିବାସରେ ସୁଟ୍ ହୋଇଛି ଏକ ଦେଢ ମିନିଟର ଭିଡିଓ । ଯେଉଁଥିରେ ଏକ ଧଳା ଟି-ସାର୍ଟ ଓ ଲୁଙ୍ଗି ପିନ୍ଧି ମୁଖ୍ୟମନ୍ତ୍ରୀ ନିଜ କୋଠରୀ ବାହାରକୁ ଆସି ଜଗନ୍ନାଥଙ୍କୁ ମୁଣ୍ଡିଆ ମାରୁଥିବାର ଦୃଶ୍ୟ ରହିଛି । ଆଉ ଏହି ଭିଡିଓର ପ୍ରଛଦପଟ୍ଟରେ ଶୁଭୁଛି ଭଜନ ସମ୍ରାଟ ଭିକାରୀ ବଳଙ୍କର ଲୋକପ୍ରିୟ ଭଜନ ।

ତେବେ ଏହି ଭିଡିଓ ମାଧ୍ୟମରେ ମୁଖ୍ୟତଃ ଦୁଇଟି ଦିଗକୁ ସାମ୍ନାକୁ ଆଣିବାକୁ ଚେଷ୍ଟା କରାଯାଉଥିବା ଚର୍ଚ୍ଚା ହେଉଛି । ମୁଖ୍ୟମନ୍ତ୍ରୀ, ଜଗନ୍ନାଥଙ୍କର ସବୁଠାରୁ ବଡ ଭକ୍ତ ବୋଲି ୫-ଟି ସଚିବ ପୂର୍ବରୁ କହିଥିଲେ । ଆଉ ନୂଆବର୍ଷର କଟକଣାରେ ପୁରୀ ଯାଇନପାରି ନିଜ ଘରୁ ହିଁ ମହାପ୍ରଭୁଙ୍କ ନିକଟରେ ରାଜ୍ୟବାସୀଙ୍କ ପାଇଁ ଆଶିଷ ଭିକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ନୂଆବର୍ଷରେ ଶ୍ରୀମନ୍ଦିର ବନ୍ଦ ଥିବାରୁ, ନବୀନ ନିବାସରୁ ହିଁ ମୁଖ୍ୟମନ୍ତ୍ରୀ ଠାକୁରଙ୍କୁ ସ୍ମରଣ କରିଛନ୍ତି । ଆଉ ଦ୍ୱିତୀୟ ଦିଗଟି ହେଉଛି, ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ବିରୋଧୀ ଉଠାଉଥିବା ତମାମ ପ୍ରଶ୍ନକୁ ଏହାରି ମାଧ୍ୟମରେ କାଉଣ୍ଟର୍ କରାଯାଇଛି ।

୨୦୧୯ ନିର୍ବାଚନ ପୂର୍ବରୁ ମଧ୍ୟ ସମାନ ଫର୍ମୁଲା ଆପଣା ଯାଇଥିଲା । ଯେଉଁଥିରେ ମୁଖ୍ୟମନ୍ତ୍ରୀ ଏକ୍ସରସାଇଜ୍ କରି ସମ୍ପୂର୍ଣ୍ଣ ଫିଟ୍ ଥିବାର ବାର୍ତ୍ତା ଦେଇଥିଲେ । ରାଜ୍ୟ ରାଜନୀତିରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ସେତେବେଳେ ବି ବିରୋଧୀ ଉଠାଇଥିବା ପ୍ରଶ୍ନର ଉତ୍ତର ଏଭଳି ଢଙ୍ଗରେ ଦିଆଯାଇଥିଲା । ଆଉ ଗତ କିଛି ଦିନ ତଳେ ନିଜ କ୍ୟାବିନେଟ ସହଯୋଗୀଙ୍କ ସହ ମୁଖ୍ୟମନ୍ତ୍ରୀ କରିଥିବା ଆଲୋଚନା ବେଳର ଗୋଟିଏ ଫଟୋବି ସୋସିଆଲ ମିଡିଆରେ ଟ୍ରେଣ୍ଡ କରିଥିଲା । ଏପରିକି ବ୍ୟାୟାମ କରି ଫିଟ୍ ରହିବାକୁ ପରାମର୍ଶ ଦେବା ସହ ସେ ନିଜେ ମଧ୍ୟ ଓଜନ କମାଇବାରେ ସକ୍ଷମ ହୋଇଥିବା ନେଇ କହିଥିଲେ । ସେତେବେଳେ ଫିଟନେସକୁ ଗୁରୁତ୍ୱ ଦେଇ କହିଥିବା କଥା ଆଉ ଆଜିର ଭିଡିଓ ଗୋଟିଏ କଥା ଦର୍ଶାଉଛି, ରାଜନୀତିରେ ଏବେ ବି ବେଶ ଫିଟ୍ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୂଆବର୍ଷ ଅବସରରେ ରାଜ୍ୟବାସୀଙ୍କ ପାଇଁ ଏହି ଭିଡିଓ ଜରିଆରେ ଜଗନ୍ନାଥଙ୍କ ଆଶିଷ ମୁଖ୍ୟମନ୍ତ୍ରୀ ମାଗିଥିବା କୁହାଯାଉଛି ।

ସମ୍ବନ୍ଧିତ ଖବର