ଭୁବନକୁ ବଦ୍‌ନାମ କରୁଛି କିଏ? ବାଜିରେ ଲାଗିଛି ଝିଅଙ୍କ ଇଜ୍ଜତ, ଝିଅ ନିର୍ବନ୍ଧ ଦିନ ଭାଇରାଲ୍ ହେଲା ଅଶ୍ଳୀଳ ଭିଡ଼ିଓ

ଜିଦ୍‌ ଧରିଲା ପୁଅ, ବାହାଘର ନ ହେବାରୁ ଝିଅ ଭିଡିଓ ଭାଇରାଲ୍

ଭୁବନ: ଏସିଆ ମହାଦେଶର ବଡ଼ ଗାଁ ହେଉ ଅଥବା ସହଦି ବାଜିରାଉତଙ୍କ ଜନ୍ମମାଟି ହେଉ, ଦେଶବିଦେଶରେ ଭୁବନର ନାଁ ଗୌରବମୟ ଇତିହାସରେ ସ୍ଥାନ ପାଇଥିଲା। କିନ୍ତୁ, ଏବେ ନଗ୍ନ ଭିଡିଓକୁ ନେଇ ଭୁବନ ଅପଖ୍ୟାତି ସାଉଁଟିଛି। ଗୋଟିଏ କି ଦୁଇଟି ନୁହେଁ, ଗଲା କେଇଟା ମାସ ମଧ୍ୟରେ ପ୍ରାୟ ୪ଜଣ ଝିଅଙ୍କର ନଗ୍ନ ଭିଡିଓ ଭାଇରାଲ୍ ହେଲାଣି। ବିଡମ୍ବନାର କଥା ହେଉଛି, ସବୁଯାକ ଘଟଣା ଭୁବନ ଏନ୍‌ଏସି ଅଞ୍ଚଳର। ଗୋଟିଏ ପରେ ଗୋଟିଏ ଏ ପ୍ରକାର ଭିଡିଓ ଭାଇରାଲ୍‌ ଘଟଣାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଗୌରବମୟ ଇତିହାସ ବହନ କରୁଥିବା ଭୁବନର ସମ୍ମାନ ବି ହାନୀ ହେଲାଣି। ତେବେ ଭୁବନକୁ ଏଭଳି ବଦ୍‌ନାମ୍‌ କରୁଥିବା ଦୁର୍ବୃତ୍ତ କିଏ? କାହିଁକି ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଗୋଟିଏ ପଟେ ସରକାର ମହିଳା ସଶକ୍ତିକରଣ ତଥା ସମ୍ମାନ କଥା କହୁଥିବା ବେଳେ ଅନ୍ୟପଟେ ଗୋଟିଏ ପରେ ଗୋଟିଏ ଝିଅଙ୍କର ନଗ୍ନ ଭିଡିଓ ଭାଇରାଲ ହେବା ଘଟଣା କେବଳ ବୁଦ୍ଧିଜୀବୀଙ୍କୁ ଆଚମ୍ବିତ କରିଛି ତାହା ନୁହେଁ, ପୁଲିସର ନରମ ଆଭିମୁଖ୍ୟ ଉପରେ ବି ପ୍ରଶ୍ନ ଚିହ୍ନ ଠିଆ କରିଛି।

କିଛି ଦିନ ତଳେ ଜଣେ ଅଙ୍ଗନବାଡ଼ି କର୍ମୀ ଏମିତି ଯୁବକଙ୍କ ଜାଲରେ ଫଶିଥିବା କଥା ପଦାକୁ ଆସିଥିଲା। ଅନୁରୂପ ଭାବେ ଜଣେ ନାବାଳିକା ମଧ୍ୟ ଏହିଭଳି ଘଟଣାର ଶିକାର ହୋଇ ସାରିଛନ୍ତି। ଭୁବନ ଏନ୍ଏସି ୱାର୍ଡ଼ ନମ୍ବର-୪ର ଜଣେ ଝିଅ ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ଜଣେ ଯୁବକ ତାଙ୍କୁ ପ୍ରେମ ଜାଲରେ ଫସାଇଥିଲେ। ଦୀର୍ଘ ଦୁଇ ବର୍ଷ କାଳ ତାଙ୍କ ସହ ସମ୍ପର୍କ ରଖିବା ପରେ ସୁଯୋଗ ଉଣ୍ଡି ତାଙ୍କର ଅଶ୍ଳୀଳ ଭିଡିଓ ତିଆରି କରିଥିଲେ। କିଛି ଦିନ ତଳେ ଏ ଘଟଣା ଝିଅ ଘର ଲୋକଙ୍କ କାନକୁ ଯାଇଥିଲା। ପରିବାର ଲୋକେ ଚିନ୍ତିତ ହୋଇ ପଡ଼ିଥିଲେ। ଘଟଣାର ଆପୋଷ ସମାଧାନ ପାଇଁ ଝିଅ ଘର ଲୋକେ ପୁଅ ଘରକୁ ଯାଇଥିଲେ। ପୁଅ ଓ ଝିଅଙ୍କର ବିବାହ କରିବା ପାଇଁ ପରସ୍ପର ମଧ୍ୟରେ ଚୁକ୍ତି ମଧ୍ୟ ହୋଇଥିଲା। କିନ୍ତୁ, ଏହାରି ଭିତରେ ଝିଅର ଅନ୍ତରଙ୍ଗ ସମୟର ଭିଡିଓକୁ ଯୁବକର ସାଙ୍ଗ ଭାଇରାଲ କରି ଦେଲା। ଯେଉଁଥିପାଇଁ ପରିବାର ଲୋକେ ପଦାକୁ ବାହାରି ପାରୁ ନାହାନ୍ତି।

ଦ୍ବିତୀୟ ଘଟଣା ଆସିଛି ୱାର୍ଡ଼ ନମ୍ବର-୮ରୁ। ସ୍ଥାନୀୟ ଅଞ୍ଚଳର ଜଣେ ଡ୍ରାଇଭର ଅନୁରୂପ ଭାବେ ଜଣେ ଝିଅ ସହିତ ପ୍ରେମ ସମ୍ପର୍କ ଯୋଡ଼ିଥିଲା। ଗତ କରୋନା ସମୟରେ ସୁଯୋଗ ଉଣ୍ଡି ଝିଅ ସହ ଡ୍ରାଇଭର ଭିଡିଓ କଲିଂ କରି ଅଶ୍ଳୀଳ ଭିଡିଓ ତିଆରି କରିଥିଲା। ଶେଷରେ ଝିଅକୁ ବାହାଘର ହେବାକୁ ପୁଅ ଜିଦ୍‌ ଧରିଥିଲା। କିନ୍ତୁ, ଝିଅ ଘର ଲୋକେ ଏଥିରେ ଅମଙ୍ଗ ହୋଇଥିଲେ। ଝିଅକୁ ଅନ୍ୟତ୍ର ବାହାଘର କରିବା ପାଇଁ ମନସ୍ଥ କରିଥିଲେ। ଗତ ଡିସେମ୍ବର ମାସରେ ଝିଅର ନିର୍ବନ୍ଧ ପଡ଼ିଥିଲା। ତେଣୁ, ପ୍ରତିଶୋଧ ପରାୟଣ ହୋଇ ଯୁବକ ଜଣକ ଝିଅର ଭିଡିଓକୁ ଭାଇରାଲ୍ କରିଛି। ଯେଉଁଥିପାଇଁ ବାହାଘର କେବଳ ଭାଙ୍ଗିଯାଇ ନାହିଁ, ପରିବାର ଲୋକଙ୍କୁ ବିଷାଦ ଭିତରକୁ ଠେଲି ଦେଇଛି।

ଏନ୍ଏସିର ଦୁଇ ନମ୍ବର ୱାର୍ଡ଼ରୁ ଏହିଭଳି ଆହୁରି ଏକ ଘଟଣା ସାମ୍ନାକୁ ଆସିଛି। ୧୯ବର୍ଷର ଝିଅକୁ ଫସାଇ ଜଣେ ଯୁବକ ଭିଡିଓ କଲିଂ ଜରିଆରେ ଅଶ୍ଳୀଳ ଭିଡିଓ ତିଆରି କରିଥିଲା। ଝିଅ ଘର ପରିବାର ଲୋକେ ଏହାକୁ ବିରୋଧ କରିବାରୁ ପ୍ରତିଶୋଧ ପରାୟଣ ଯୁବକ ଝିଅର ଇଜ୍ଜତକୁ ନେଇ ବଜାରରେ ଖେଳିଛି। ଝିଅର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ୍ କରି ଦେଇଛି। କେବଳ ସହରରେ ନୁହେଁ, ଭୁବନ ବ୍ଳକ ମୃଦଙ୍ଗା ଅଞ୍ଚଳର ଜଣେ ନବମ ଶ୍ରେଣୀ ଝିଅକୁ ନେଇ ଏମିତି ଜୋର୍‌ ଚର୍ଚ୍ଚା ଚାଲିଛି। ହଠାତ୍‌ ଝିଅଟିର ମୃତ୍ୟୁ ଏବଂ ରାତାରାତି ଝିଅଟିକୁ ପରିବାର ଲୋକେ ପୋଡ଼ି ଦେବା ଘଟଣା ମଧ୍ୟ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି।

ଏମିତି ଜଣେ ପରେ ଜଣେ ଦୁର୍ବୃତ୍ତ ଝିଅଙ୍କର ଇଜ୍ଜତକୁ ନେଇ ଖେଳ ଖେଳୁଥିବା ବେଳେ ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ପୁଲିସ ଯେଭଳି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନେବା କଥା ତାହା ଦୃଶ୍ୟମାନ ହେଉ ନାହିଁ। ଯାହା ବୁଦ୍ଧିଜୀବୀ ମହଲକୁ ଆଚମ୍ବିତ କରିଛି। ଭୁବନକୁ ବଦ୍‌ନାମ କରୁଥିବା ଏ ଦୁର୍ବୃତ୍ତମାନେ କେବେ ବନ୍ଧା ହେବେ ତାହାକୁ ନେଇ ବୁଦ୍ଧିଜୀବୀ ମହଲ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର