ଝାରସୁଗୁଡ଼ା : ଭାରତର ବୃହତ୍ ଆଲୁମିନିୟମ୍ ଉତ୍ପାଦକ ବେଦାନ୍ତ ଆଲୁମିନିୟମ୍ ଝାରସୁଗୁଡ଼ାରେ ପ୍ରଧାନମନ୍ତ୍ରୀଙ୍କ ଟିବି-ମୁକ୍ତ ଭାରତ ଅଭିଯାନ ‘ନିକ୍ଷୟ ମିତ୍ର’କୁ ସମର୍ଥନ କରିବାକୁ ପ୍ରତିଶ୍ରୁତି ଦେଇଛି। ନିକ୍ଷୟ ମିତ୍ର ହେଉଛି ୨୦୨୫ ସୁଦ୍ଧା ଦେଶରୁ ଯକ୍ଷ୍ମାମୁକ୍ତ କରିବା ଲାଗି କେନ୍ଦ୍ର ସରକାରଙ୍କ ଏକ ପଦକ୍ଷେପ।
ଝାରସୁଗୁଡ଼ାଠାରେ ଏହି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ ବେଦାନ୍ତ ଲିଃ, ଝାରସୁଗୁଡ଼ାର ସିଇଓ ସୁନୀଲ ଗୁପ୍ତା। ଏହି ଅବସରରେ ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ ଡୋଳାମଣି ପଟେଲ ଓ ଜନସ୍ୱାସ୍ଥ୍ୟ ଅଧିକାରୀ ମିସ ରେସମା ରଣା ପ୍ରମୁଖ ଉପସ୍ଥିତ ଥିଲେ। ବେଦାନ୍ତ ଆଲୁମିନିୟମ୍ ଝାରସୁଗୁଡ଼ାର ୬୫ ଜଣ ରୋଗୀଙ୍କୁ ସହାୟତା କରିବା ସହ ସେମାନଙ୍କୁ ଉପଯୁକ୍ତ ପୋଷକ ଓ ଚିକିତ୍ସା ପରାମର୍ଶ ଦେବାକୁ ପ୍ରତଶ୍ରୁତି ଦେଇଛି।
ଡା. ଡୋଳାମଣି ପଟେଲ କହିଥିଲେ ଯେ, ଯକ୍ଷ୍ମା ଚିକିତ୍ସା ସହ ରୋଗୀଙ୍କୁ ସହାୟତା କରିବା ଓ ଦେଶରୁ ଏହି ରୋଗକୁ ବିଲୋପ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଟିବି-ମୁକ୍ତ ଭାରତ ଅଭିଯାନରେ ସବୁ ହିତାଧିକାରୀଙ୍କୁ ଏକାଠି କରିବା ପାଇଁ ଯୋଜନା କରାଯାଇଛି। ଅନେକ ସମୟରେ ରୋଗୀ ଉପଯୁକ୍ତ ପରାମର୍ଶ ଓ ପୁଷ୍ଟିକର ଖାଦ୍ୟ ପାଉ ନ ଥିବା ବେଳେ ଏଥିରେ ସେମାନଙ୍କୁ ସହଯୋଗ କରୁଥିବାରୁ ସେ ବେଦାନ୍ତ ଆଲୁମିନିୟମ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।