ଝାରସୁଗୁଡ଼ା : ୨୦୧୭ ଅଗଷ୍ଟ ୨୮ରେ ଝାରସୁଗୁଡ଼ାସ୍ଥିତ ବେଦାନ୍ତ କମ୍ପାନିର କାତିକେଲାସ୍ଥିତ ଆସ୍‌ପଣ୍ଡ ଭୁଶୁଡ଼ି ଲୋକଙ୍କ ଘରକୁ ପାଉଁଶ ମିଶ୍ରିତ ବିଷାକ୍ତ ପାଣି ପଶିଥିଲା। ଯଦ୍ବାରା କାତିକେଲାର ପଡ଼ାବାସୀଙ୍କ ସାଧାରଣ ଜନଜୀବନ ବ୍ୟାହତ ହୋଇଥିଲା।  ସେହିଦିନଠାରୁ ଗ୍ରାମବାସୀମାନେ ସମସ୍ତଙ୍କୁ ବିସ୍ଥାପନ କରିବା ସହ ଉଚିତ ପ୍ରାପ୍ୟ ଓ ସ୍ଥାୟୀ ଚାକିରି ଦାବି କରି ଆସୁଥିଲେ।

Advertisment

ଗତ ୬ ବର୍ଷ ହେବ ଏହି ସମସ୍ୟା ଲାଗି ରହିଥିଲା। ଏହି ଘଟଣାକୁ ନେଇ ବିରୋଧ ତେଜିବା ପରେ ଗୁରୁବାର ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସଙ୍କ ପ୍ରୟାସରେ ଜିଲ୍ଲା ପ୍ରଶାସନ, ବେଦାନ୍ତ କମ୍ପାନି ଓ କାତିକେଲାବାସୀଙ୍କୁ ନେଇ ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା। ବିସ୍ଥାପନ ହେବାକୁ ଥିବା ଲୋକଙ୍କ ମୋଟ୍‌ ଘରର ବର୍ଗଫୁଟ ପିଛା ୨୫୦୦ ଟଙ୍କା ଦେବା ନେଇ ବୈଠକରେ ସ୍ଥିରୀକୃତ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ପ୍ରତି ବର୍ଗଫୁଟ ପିଛା ୨୨୦୦ ଟଙ୍କା ହିସାବରେ ୪୦ ପ୍ରତିଶତ ଅର୍ଥ ପ୍ରଦାନ କରାଯିବ ଓ ଜମି ପଞ୍ଜୀକରଣ ଦିନ ବଳକା ଅର୍ଥ ପ୍ରଦାନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ‌ହୋଇଥିଲା। ବୈଠକରେ ବିଧାୟିକା ଦୀପାଳି ଦାସ, ଜିଲ୍ଲାପାଳ ଅବୋଲୀ ସୁନୀଲ ନରୱଣେ, ତହସିଲଦାର ବସନ୍ତ ହାତୀ, ପ୍ରବନ୍ଧକ ଆର୍‌ ଏଣ୍ଡ ଆର୍‌ ଆଲୋମଣି ସେଠୀ, ବେଦାନ୍ତର କିଛି ଅଧିକାରୀ ଓ କାତିକେଲାବାସୀ ଉପସ୍ଥିତ ଥିଲେ। ଆଜିର ଏହି ବୈଠକ ପୂର୍ବରୁ କାତିକେଲାବାସୀଙ୍କ ସପକ୍ଷରେ ବିଧାୟିକାଙ୍କ ଉଦ୍ୟମ ନେଇ ଏକ ଅଡିଓ ମଧ୍ୟ ମୋବାଇଲ୍‌ରୁ ମୋବାଇଲ୍‌କୁ ଘୂରି ବୁଲିଥିଲା।

ସ୍ବର୍ଗତ ବିଧାୟକ ନବ ଦାସଙ୍କ ସମୟରେ ପ୍ରତି ବର୍ଗଫୁଟ ପିଛା ୩ ହଜାର ଟଙ୍କା ସ୍ଥିର ହୋଇଥିବାରୁ ସେହି ଟଙ୍କା ପାଇଁ କାତିକେଲାବାସୀ ଜିଦ୍‌ ଧରିଥିଲେ। କିନ୍ତୁ ସେତିକି ଟଙ୍କା ଦେବାକୁ ବେଦାନ୍ତ ମନା କରିଥିଲା। ଏହି ଘଟଣାକୁ ନେଇ‌ ବୈଠକ ମଝିରେ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା ଓ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ବୈଠକରୁ ଉଠି ଯାଇଥିଲେ। ପରେ ପୁଣିଥରେ ବୈଠକ ବସି ନିଷ୍ପତ୍ତି ନିଆଯାଇଥିଲା। ସେପଟେ, ଘର ଛାଡ଼ୁଥିବା ପ୍ରତି ପରିବାର ପିଛା ଜଣଙ୍କୁ ଚାକିରି ଦେବାକୁ ମଧ୍ୟ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ବୈଠକ ଅଧାରୁ ଯେତେବେଳେ ବନ୍ଦ ହୋଇଥିଲା ସେତେବେଳେ ବେଦାନ୍ତର ଅଧିକାରୀମାନେ ମଧ୍ୟ ବାହାରକୁ ଆସିଥିଲେ।

ଉପସ୍ଥିତ ଗଣମାଧ୍ୟମ ଉକ୍ତ ଅଧିକାରୀଙ୍କଠାରୁ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିବା ବେଳେ ଅଧିକାରୀମାନେ ତାକୁ ଏଡ଼ାଇ ଯାଇଥିଲେ। ତେବେ କାହିଁକି ବେଦାନ୍ତର ଅଧିକାରୀ ଉତ୍ତର ଦେବେନି କହି ‌କିଛି ଲୋକ ଅଧିକାରୀଙ୍କୁ ଟାଣି ଗଣମାଧ୍ୟମ ସମ୍ମୁଖରେ ଆଣି ଛିଡ଼ା କରାଇବା ଦୃଶ୍ୟ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।
ପୂର୍ବରୁ ଏହି କାତିକେଲାବାସୀଙ୍କ ସମସ୍ୟାର ସମାଧାନ ପାଇଁ ଏକାଧିକ ଥର ତ୍ରିପାକ୍ଷିକ ବୈଠକ ହେଲାଣି। ୨୦୨୦ ମସିହାରେ ହୋଇଥିବା ବୈଠକରେ ମଧ୍ୟ ୩ ମାସ ମଧ୍ୟରେ ସମାଧାନ କରାଯିବ ବୋଲି ବେଦାନ୍ତ ପ୍ରତିଶ୍ରୁତି ଦେଇଥିଲା ଓ ଅଞ୍ଚଳବାସୀଙ୍କ ଦ୍ବାରା ଚାଲିଥିବା ଆନ୍ଦୋଳନ ସ୍ଥଗିତ ରହିଥିଲା। ମାତ୍ର ୩ ମାସ ପରେ ୩ ବର୍ଷ ବିତି ଯାଇଥିଲେ ସୁଦ୍ଧା ବେଦାନ୍ତ ପ୍ରତିଶ୍ରୁତି ରକ୍ଷା ନକରିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି।

ଉଲ୍ଲେଖଯୋଗ୍ୟ, ପୂର୍ବ ଆକଳନ ଅନୁସାରେ ପାଉଁଶ ଦ୍ବାରା ପ୍ରଭାବିତ ହୋଇଥିବା କାତିକେଲା ଗ୍ରାମର ୩୫୨ ପରିବାର ବିସ୍ଥାପିତ ହେବେ।