ପାଉଁଶ ପୋଖରୀ ବନ୍ଧ ଭାଙ୍ଗିବା ପ୍ରସଙ୍ଗ : ସଫେଇ ଦିଗରେ କଣ ପଦକ୍ଷେପ ନେଇଛ ଜଣାଅ: ହାଇକୋର୍ଟ

କଟକ : ସଫେଇ ଦିଗରେ କଣ ପଦକ୍ଷେପ ନିଆଯାଇଛି; ସଫେଇ ବାବଦରେ ଏବେ ସୁଦ୍ଧା କେତେ ଟଙ୍କା ଖର୍ଚ୍ଚ କରାଯାଇଛି ଓ କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କୁ ଥଇଥାନ ପ୍ରସଂଗରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ନେଇ ସବିଶେଷ ତଥ୍ୟ ରଖିବାକୁ ବେଦାନ୍ତ କମ୍ପାନିକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍ ଜାଭେରୀ ଓ ଜଷ୍ଟିସ କେ.ଆର୍.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ବେଦାନ୍ତ କମ୍ପାନିର ପାଉଁଶ ପୋଖରୀ ବନ୍ଧ ଭାଙ୍ଗିବା ପ୍ରସଂଗକୁ ନେଇ ମନମୋହନ ସିଂହଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୬ରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଶିବଶଙ୍କର ମହାନ୍ତି ମାମଲା ପରିଚାଳନା କରୁଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ଝାରସୁଗୁଡା ଜିଲାରେ ବେଦାନ୍ତ କମ୍ପାନି ରହିଥିବାବେଳେ ୨୦୧୭, ଅଗଷ୍ଟ ୨୮ରେ ଏହାର ପାଉଁଶ ପୋଖରୀ ବନ୍ଧ ଭାଙ୍ଗି ଯାଇଥିଲା। ଫଳରେ ପାଉଁଶ ପୋଖରୀ ପାଣି ଚାଷ ଓ ଅଣ ଚାଷ ଜମିକୁ ମାଡିଯାଇଥିଲା। ୧୧୫ ଏକର ଜମିରେ ଫସଲ ନଷ୍ଟ ହୋଇଥିଲା। ଏହାସହ ପ୍ରଦୂଷିତ ପାଣି ଭେଡେନ, ମହାନଦୀ ଓ ଆଖପାଖ ଅଞ୍ଚଳକୁ ପ୍ରବେଶ କରିଥିଲା। ସ୍ଥାନୀୟ ଗ୍ରାମବାସୀ କ୍ଷତିଗ୍ରସ୍ତ ହୋଇଥିବାବେଳେ ଚାଷ ଜମିରେ ମୋଟା ବହଳର ପାଉଁଶ ପଟୁ ମାଡିଯାଇଥିଲା। ଫଳରେ ଗ୍ରାମବାସୀ ଚାଷରୁ ବଞ୍ଚିତ ହୋଇଥିଲେ ବୋଲି ଅଭିଯୋଗ ହୋଇଥିଲା। କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କୁ ଅନ୍ୟତ୍ର ଥଇଥାନ ଓ ଜମିରୁ ପାଉଁଶ ପଟୁ ସଫେଇ ପାଇଁ ଆବେଦନକାରୀ ପ୍ରାର୍ଥନା କରି ଏହି ମାମଲା ଦାୟର କରିଛନ୍ତି।

ସମ୍ବନ୍ଧିତ ଖବର