ଭୁବନେଶ୍ବର: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହାର୍ଭାର୍ଡ ବିଶ୍ବବିଦ୍ୟାଳୟ ଉପରେ ଲଗାଇଥିବା କଟକଣା ଭାରତ ପାଇଁ ଉଚ୍ଚ ଶିକ୍ଷା କ୍ଷେତ୍ରରେ ବ୍ୟାପକ ସୁଯୋଗ ସୃଷ୍ଟି କରିଥିବା ବେଦାନ୍ତ ଲିମିଟେଡ୍ର ମୁଖ୍ୟ ଅନୀଲ ଅଗ୍ରୱାଲ୍ କହିଛନ୍ତି। ଏହି ବାହାନାରେ ସେ ନିଜର ମହତ୍ବକାଂକ୍ଷୀ ପୁରୀ ବିଶ୍ବବିଦ୍ୟାଳୟ ପ୍ରକଳ୍ପ କଥା ମନେ ପକାଇ ସେଥିପାଇଁ ଜମି ମାଗିଛନ୍ତି। ସୋସିଆଲ ମିଡିଆ ‘ଏକ୍ସ’ (ପୂର୍ବରୁ ଟ୍ବିଟର୍)ରେ ସେ ଲେଖିଛନ୍ତି ଯେ ଆମକୁ ବି ହାର୍ଭାର୍ଡ ଓ ଏମ୍ଆଇଟି ଭଳି ଶିକ୍ଷାନୁଷ୍ଠାନ ଗଢ଼ିବାକୁ ପଡ଼ିବ। ଓଡ଼ିଶାର ପୁରୀରେ ସେଭଳି ଏକ ଅନୁଷ୍ଠାନ କରିବାକୁ ବେଦାନ୍ତ ଯୋଜନା ରଖିଛି। ତାହା ଏକ ଅଣ ଲାଭଜନକ ଓ ଡିଜିଟାଲ୍-ପ୍ରଥମ ବିଶ୍ବବିଦ୍ୟାଳୟ ହେବ। ସେଥିରେ ଦେଶବିଦେଶର ଶ୍ରେଷ୍ଠ ଫାକଲ୍ଟି ଓ ଛାତ୍ରଛାତ୍ରୀ ରହିବେ। ଆର୍ଥିକ ସ୍ତରରେ ସ୍ବଚ୍ଛଳ ନଥିବା ବର୍ଗର ଛାତ୍ରଛାତ୍ରୀମାନଙ୍କୁ ପଢ଼ିବା ଲାଗି ସମ୍ପୂର୍ଣ୍ଣ ଆର୍ଥିକ ସହାୟତା ପ୍ରଦାନ କରାଯିବ। ବୃହତ୍ ବିଶ୍ବବିଦ୍ୟାଳୟ ଗଢ଼ିବା ଲାଗି ଜମି ଏକ ପ୍ରତିବନ୍ଧକ ହେବା ଅନୁଚିତ ବୋଲି ସେ ଲେଖିଛନ୍ତି। ସମାଜକୁ ଏହାର ଉଲ୍ଲେଖନୀୟ ଲାଭ ମିଳିବ। ଜ୍ଞାନ ଓ ଗବେଷଣାର ନେତୃତ୍ବ ନେବା ଲାଗି ଅନ୍ୟ ଦେଶ ହାତଛଡ଼ା କରୁଥିବା ସୁଯୋଗକୁ ହାତେଇବା ଲାଗି ସେ ଆହ୍ବାନ ଦେଇଛନ୍ତି।
ବୃହତ୍ ବିଶ୍ବବିଦ୍ୟାଳୟ ପାଇଁ ଜମି ପ୍ରତିବନ୍ଧକ ହେବା ଅନୁଚିତ: ଅଗ୍ରୱାଲ୍
ପୁରୀରେ ବିଶ୍ବବିଦ୍ୟାଳୟ ସ୍ଥାପନ କରିବା ଲାଗି ଶ୍ରୀ ଅଗ୍ରୱାଲ୍ ଦୀର୍ଘଦିନରୁ ଉଦ୍ୟମ କରୁଛନ୍ତି। ୨୦୦୬ରେ ଏନେଇ ବେଦାନ୍ତ ପକ୍ଷରୁ ରାଜ୍ୟ ସରକାରଙ୍କ ସହ ଏକ ବୁଝାମଣାପତ୍ର ସ୍ବାକ୍ଷର କରାଯାଇଥିଲା। ପୁରୀ-କୋଣାର୍କ ବେଳାମାର୍ଗ ଅଞ୍ଚଳରେ ଉକ୍ତ ବିଶ୍ବବିଦ୍ୟାଳୟ ନିର୍ମାଣ କରିବାକୁ ଶ୍ରୀ ଅଗ୍ରୱାଲ୍ ଚାହୁଛନ୍ତି। ସେହି ସମୟରେ ରାଜ୍ୟରେ ଥବା ବିଜେଡି-ବିଜେପି ସରକାର ଉକ୍ତ ପ୍ରକଳ୍ପ ଲାଗି ଜମି ଅଧିଗ୍ରହଣ କରିଥିଲେ। କିନ୍ତୁ ବିସ୍ଥାପିତ ପରିବାରଗୁଡ଼ିକ ଉକ୍ତ ପ୍ରକଳ୍ପକୁ ତୀବ୍ର ବିରୋଧ କରିବା ସହ ଜମି ଅଧିଗ୍ରହଣ ନିଷ୍ପତ୍ତିକୁ ଓଡ଼ିଶା ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ବିଶ୍ବବିଦ୍ୟାଳୟ ଗଠନ କରିବାକୁ ଚାହୁଥିବା ସଂସ୍ଥା ନାଁ ବାରମ୍ବାର ପରିବର୍ତ୍ତନ କରାଯାଉଥିବା ନେଇ ହାଇକୋର୍ଟ ପ୍ରଶ୍ନ କରିବା ସହ ୨୦୧୦ରେ ଜମି ଅଧିଗ୍ରହଣକୁ ରଦ୍ଦ କରି କ୍ଷତିଗ୍ରସ୍ତଙ୍କୁ ସେମାନଙ୍କ ଜମି ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ରାୟକୁ ବେଦାନ୍ତ ସୁପ୍ରିମ୍କୋର୍ଟରେ ଚ୍ୟାଲେଞ୍ଜ କରିଥିଲା। ୨୦୨୩ରେ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟ କାଏମ ରଖିଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟ ସରକାର ମାଲିକମାନଙ୍କୁ ସେମାନଙ୍କ ଜମି ଫେରାଇଥିଲେ। ଚଳିତ ବର୍ଷ ଜାନୁଆରିରେ ଅନୁଷ୍ଠିତ ଉତ୍କର୍ଷ ଓଡ଼ିଶା କନ୍କ୍ଲେଭ୍ ୨୦୨୫ରେ ଯୋଗଦେଇଥିବା ଶ୍ରୀ ଅଗ୍ରୱାଲ୍ ଗଣମାଧ୍ୟମକୁ ପୁରୀରେ ବିଶ୍ବବିଦ୍ୟାଳୟ ସ୍ଥାପନ କରିବା ଲାଗି ବେଦାନ୍ତର ରହିଥିବା ଯୋଜନା ସମ୍ପର୍କରେ କହିଥିଲେ।