ଭୁବନେଶ୍ବର : ସୁନ୍ଦରଗଡ଼ ଜିଲ୍ଲା ଜମକାନୀ କୋଇଲା ଖଣି ଉତ୍ତୋଳନରେ ନିୟମର ବ୍ୟାପକ ଉଲ୍ଲଂଘନ କରାଯାଇଛି। ପରିବେଶ ମଞ୍ଜୁରି ନ ଥାଇ ବେଦାନ୍ତ ସଂପୃକ୍ତ ଖଣିରୁ କୋଇଲା ଉତ୍ତୋଳନ କରୁଛି। କମ୍ପାନି ଖୋଲାଖୋଲି ଭାବେ ନିୟମର ଉଲ୍ଲଂଘନ କରୁଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ। ତେଣୁ କୋଇଲା ଉତ୍ତୋଳନ ବନ୍ଦ ନ ହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କହିଲେ, ଜନକାନୀ କୋଇଲା ଖଣିକୁ ପ୍ରଥମେ ଭୂଷଣ କମ୍ପାନିକୁ ଆବଣ୍ଟିତ ହୋଇଥିଲା। ମାତ୍ର ସୁପ୍ରିମକୋର୍ଟ ରାୟ ପରେ ଏହି କୋଇଲା ଖଣି ରାଜ୍ୟ ସରକାରଙ୍କ ପାଖକୁ ଫେରି ଆସିଥିଲା। ପରବର୍ତ୍ତୀ ନିଲାମୀ ଜରିଆରେ ଏହି ଖଣି ବେଦାନ୍ତକୁ ମିଳିଥିଲା। କୋଇଲା ଖଣିରେ ଖନନ ପୂର୍ବରୁ ପ୍ରଥମେ ପରିବେଶ ମଞ୍ଜୁରି ମିଳିବା କଥା। ଏହି ପ୍ରକଳ୍ପ ପାଇଁ ବେଦାନ୍ତକୁ ପରିବେଶ ମଞ୍ଜୁରି ମିଳିଛି କି ନାହିଁ ତାହା ସନ୍ଦେହ ସୃଷ୍ଟି କରୁଛି। ବେଦାନ୍ତକୁ ଏହି ଖଣି ମିଳିବା ପୂର୍ବରୁ ଏହା ଭୂଷଣ ନିକଟରେ ଥିଲା ଓ ପରେ ରାଜ୍ୟ ସରକାରଙ୍କ ପାଖକୁ ଫେରିଥିବାରୁ ପୁନର୍ବାର ପରିବେଶ ମଞ୍ଜୁରି ଆବଶ୍ୟକତା ରହିଛି। ତେଣୁ ବେଦାନ୍ତ କମ୍ପାନିର ପରିବେଶ ମଞ୍ଜୁରି ନ ଥାଇ ଖଣି ଖନନ କରୁଥିବା ସନ୍ଦେହ ହେଉଛି।
ସେହିପରି ୨୦୧୩ ମସିହା ଜମି ଅଧିଗ୍ରହଣ ଆଇନକୁ ମଧ୍ୟ ବେଦାନ୍ତ ଉଲ୍ଲଂଘନ କରୁଛି। ଏହି କାରଣରୁ ଖଣି ଅଞ୍ଚଳରେ ବେଆଇନଭାବେ ଜମି ଅଧିଗ୍ରହଣ ହୋଇଥିବାରୁ ସ୍ଥାନୀୟ ବାସିନ୍ଦାଙ୍କୁ ଉପଯୁକ୍ତ ନ୍ୟାୟ ମିଳିପାରି ନାହିଁ। ଲୋକଙ୍କ ଘରର ଅତି ନିକଟରେ ଖଣି ଖୋଳା ଯାଉଛି। ବ୍ଲାଷ୍ଟିଂ ପାଇଁ ଘର ଭାଙ୍ଗି ଯାଉଛି। ସଂପୃକ୍ତ ଖଣି ବେଦାନ୍ତକୁ ଆବଣ୍ଟିତ ହୋଇଥିବା ବେଳେ ଖଣି ଖୋଳିବା ଦାୟିତ୍ବ ନେଇଥିବା ବିଜିଆର କମ୍ପାନି ପକ୍ଷରୁ କିଛି ଲୋକଙ୍କୁ ନିଯୁକ୍ତି ଦିଆଯାଇଛି। ବେଦାନ୍ତ କୌଣସି ନିଯୁକ୍ତି ଦେଇନାହିଁ। ତେଣୁ ଆଗକୁ ଯଦି ଖଣି ଖୋଳୁଥିବା କମ୍ପାନି ଦେବାଳିଆ କିମ୍ବା ବନ୍ଦ ହୋଇଯାଏ ତାହାଲେ ଯେଉଁମାନେ ନିଯୁକ୍ତି ପାଇଛନ୍ତି ସେମାନଙ୍କ ଭାଗ୍ୟ କ’ଣ ହେବ। ଏହିଭଳି ଭାବେ ବେଦାନ୍ତ କମ୍ପାନି ବଡ଼ ଧରଣର ନିୟମ ଉଲ୍ଲଂଘନ କରି କୋଇଲା ଉତ୍ତୋଳନ କରୁଛି। ବେଆଇନ ଭାବେ ଖଣି ଖୋଳା ଯାଉଥିବା ବେଳେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇ ଚୁପ୍ ବସିଛନ୍ତି। ବେଦାନ୍ତର ଏହି ବେଆଇନ କାର୍ଯ୍ୟ ବିରୋଧରେ ରାଜ୍ୟ ସରକାରଙ୍କୁ ପତ୍ର ଲେଖାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ରାଜନ ଏକ୍କା, ପଞ୍ଚାନନ ଦାସ ଏବଂ ସ୍ଥାନୀୟ ଅଞ୍ଚଳର କିଛି ବ୍ୟକ୍ତି ଉପସ୍ଥିତ ଥିଲେ।