ଝାରସୁଗୁଡ଼ା : ସୁପ୍ରିମକୋର୍ଟଙ୍କ ନିୟମାନୁସାରେ ଜଙ୍ଗଲ ଥିବା କୌଣସି ବି କିସମ ଜମିରେ ଶିଳ୍ପ ବା ଖଣି ପୂର୍ବରୁ ଭରଣା ବନୀକରଣ (ଫରେଷ୍ଟ ଡାଇଭର୍ସନ) ନିତାନ୍ତ ଆବଶ୍ୟକ। ବେଦାନ୍ତର ଲଖନପୁର ବ୍ଲକ୍‌ରେ ହେବାକୁ ଯାଉଥିବା କୁଡ଼ାଲୋଇ ନର୍ଥ (ଏ) କୋଇଲା ଖଣି ପ୍ରସଙ୍ଗରେ ଅଦ୍ୟାବଧି ଭରଣା ବନୀକରଣ ପାଇଁ ଜିଲ୍ଲା ପ୍ରଶାସନ ଜାଗା ଦେଇନି। କିନ୍ତୁ ବେଦାନ୍ତ ତଞ୍ଚକତା କରି ତରବରିଆ ଭାବେ ଜନଶୁଣାଣି ସାରିଦେଇ ଖଣିରୁ କୋଇଲା ଉତ୍ତୋଳନ ପାଇଁ ଅଣ୍ଟା ଭିଡ଼ିଛି। ଆଞ୍ଚଳିକ ପରିବେଶ ସୁରକ୍ଷା ସଂଘର ଉପାଲି ମୁନିତା ରାଓଙ୍କ ଏତଲା ଅନୁସାରେ, ଗତ ୧୭ ତାରିଖରେ ଡବ୍ଲ୍ୟୁପିସି/୦୦୩୪୬୮୮/୨୦୨୩ରେ ଏଥିନେଇ ହାଇକୋର୍ଟରେ ଏକ ମାମଲା ରୁଜୁ ‌ହୋଇଛି। ଫଳରେ ଖଣିରୁ କୋଇଲା ଉତ୍ତୋଳନ କରିବା ପୂର୍ବରୁ ବେଦାନ୍ତର ଏହି ପ୍ରକଳ୍ପରେ ଏବେ ନ୍ୟାୟିକ ଗ୍ରହଣ ଲାଗିଛି।

Advertisment

କୁଡ଼ାଲୋଇରେ ହେବାକୁ ଯାଉଥିବା ଏହି କୋଇଲା ଖଣି ପାଇଁ ମୋଟ ୯୫୬.୫୮ ହେକ୍ଟର ଜମି ଯିବ। ଏହି ଜମିକୁ ଇଡ୍‌କୋ ସରକାରଙ୍କଠାରୁ ଲିଜ୍‌ ସୂତ୍ରରେ ନେବା ପରେ ତାହା ବେଦାନ୍ତକୁ ପ୍ରଦାନ କରିବ। ଗତ ମେ ୧ ତାରିଖ ଝାରସୁଗୁଡ଼ା ଡିଏଫ୍‌ଓଙ୍କ କାର୍ଯ୍ୟାଳୟରୁ ଲଖନପୁର ତହସିଲଦାରଙ୍କୁ ଏକ ଚିଠି କରାଯାଇ ଥିଲା। ଯେଉଁଥିରେ ପିପିଲିମାଲ ମୌଜାର ଅଣଜଙ୍ଗଲ ଜମିରେ ଥିବା ଗଛଗୁଡ଼ିକର ମୂଲ୍ୟାଙ୍କନ କରି ରିପୋର୍ଟ ଦାଖଲ କରିବାକୁ କୁହାଯାଇ ଥିଲା। ଏହି ଚିଠିରେ‌ ଡିଏଫ୍‌ଓ ସ୍ପଷ୍ଟ ଭାବେ ଉଲ୍ଲେଖ କରିଥିଲେ ଯେ, ଲଖନପୁର ତହସିଲଦାର ୟୁଜର ଏଜେନ୍ସି ବା ବେଦାନ୍ତକୁ ୧୦ ଗୁଣା ଭରଣା ବନୀକରଣ ସମ୍ପର୍କରେ ପରାମର୍ଶ ଦେବେ। ଏହି ୪୬.୫୧ ଏଜର ଜମିରେ ରହିଥିବା ୧୩୦୦ ଗଛ ପାଇଁ ୧୦ ଗୁଣା ଅର୍ଥାତ୍‌ ୧୩ ହଜାର ଗଛ କେଉଁଠି ଲଗାଇବେ ସେନେଇ ଏକ ବନୀକରଣ ଯୋଜନା ୧୫ ଦିନ ମଧ୍ୟରେ ଡିଏଫ୍‌ଓଙ୍କ କାର୍ଯ୍ୟାଳୟରେ ଦାଖଲ କରିବେ।

କେବଳ ୪୬ ଏକର ଜମି ପାଇଁ ୧୩୦୦ ଗଛ କଟୁଥିବା ବେଳେ ସମଗ୍ର ୯୫୬ ହେକ୍ଟର ଜମିରେ ଅନ୍ୟୂନ ୧ ଲକ୍ଷ ୨୦ ହଜାର ଗଛ କଟିବ। ଜିଲ୍ଲା ପ୍ରଶାସନର ରାଜସ୍ବ ବିଭାଗରେ ଇଡ୍‌କୋ କୋଇଲା ଖଣି ପାଇଁ ଜମି ଲିଜ୍‌ ଆବେଦନ କରିଥିବା ବେଳେ ମୋଟ ୫୦୪.୯୩ ଏଜର ଜଙ୍ଗଲ ଜମି ଥିବାରୁ ଲିଜ୍‌ ପ୍ରକ୍ରିୟା ଆରମ୍ଭ ହୋଇପାରିନାହିଁ। ଇତିମଧ୍ୟରେ ବଞ୍ଜାରି ଗ୍ରାମର ୮୫.୦୭ ଏକର, ଧୌରାମୁଣ୍ଡାର ୦.୩୨ ଏକର, ବେଲପାହାଡ଼ର ୧୮୬.୧୬ ଏକର ଜମି ମଧ୍ୟ ରହିଛି। ଲଇକେରା ତହସିଲର ନିକ୍ତିମାଲ, ଖଜୁରିଖମନ ମୌଜାର ୮୬.୯୩ ଏକର ଅଣଜଙ୍ଗଲ ସରକାରୀ ଜମିରେ ଭରଣା ବନୀକରଣ ପାଇଁ ଗତ ୨୧ ଜୁଲାଇରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଡିଏଫ୍‌ଓଙ୍କୁ ଚିଠି ଯାଇଥିଲା। କିନ୍ତୁ ବେଦାନ୍ତକୁ ଅଦ୍ୟାବଧି କୌଣସି ସରକାରୀ ଜମି ଭରଣା ବନୀକରଣ ପାଇଁ ମିଳିପାରିନାହିଁ।

ଗୋଟିଏ ପଟେ, ଜିଲ୍ଲା ପ୍ରଶାସନ ନିଜେ ଭରଣା ବନୀକରଣ ପାଇଁ କମ୍ପାନିକୁ ପରାମର୍ଶ ଦେଇଥିବା ବେଳେ ଏ ବାବଦରେ କେତେ ଏକରରେ କେତେ ଟଙ୍କା ଖର୍ଚ୍ଚ ହେବ ତାର ମଧ୍ୟ ହିସାବ ଦେଇଛି। ଅନ୍ୟପଟେ, ଭରଣା ବନୀକରଣ ନହେଉଣୁ ବେଦାନ୍ତକୁ ଜମି ଲିଜ୍‌ ପାଇଁ ସବୁଜ ସଙ୍କେତ ଦିଆଯାଇଛି। ଯାହା ବେଦାନ୍ତକୁ ନେଇ ଜିଲ୍ଲା ପ୍ରଶାସନର ଦୋ-ମୁହାଁ ନୀତିକୁ ଦର୍ଶାଉଥିବା ଅଭିଯୋଗ ହୋଇଛି। କୋଇଲା ଖଣି ହେବାକୁ ଥିବା ଏହି ସ୍ଥାନର ୧୦ କିମି ପରିଧିରେ ୧୨ଟି ଜଙ୍ଗଲ ଓ ୪ଟି ସଂରକ୍ଷିତ ଜଙ୍ଗଲ ରହିଛି। ଖଣି ଖନନ ଦ୍ବାରା ଏହି ଜଙ୍ଗଲରେ ରହୁଥିବା ବନ୍ୟପ୍ରାଣୀଙ୍କ ଉପରେ ମଧ୍ୟ ନକାରାତ୍ମକ ପ୍ରଭାବ ପଡ଼ିବ। କିନ୍ତୁ ବେଦାନ୍ତ ସମଗ୍ର ପରିବେଶ ପରିଚାଳନା ଯୋଜନାକୁ ମାତ୍ର ୩ଟି ଧାଡ଼ିରେ ଶେଷ କରିଥିବା ବେଳେ ଏହି ବନ୍ୟପ୍ରାଣୀ ଓ ମୂଲ୍ୟବାନ ତଥା ଲୁପ୍ତପ୍ରାୟ ପ୍ରଜାତିର ବୃକ୍ଷଙ୍କ ସୁରକ୍ଷା ଦିଗରେ କୌଣସି ବିସ୍ତୃତ ତଥ୍ୟ ଉପସ୍ଥାପନ କରି ନ ଥିବା ମଧ୍ୟ ଅଭିଯୋଗ ହୋଇଛି।