ଝାରସୁଗୁଡ଼ା: ବେଦାନ୍ତ ଆଲୁମିନିୟମ୍‌ ଲେବର ସେସ୍‌ ଠକେଇ କରିଥିବା ‘ସମ୍ବାଦ’ରେ ଖବର ପ୍ରକାଶନ ପରେ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଦେଇଛି। ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଶ୍ରମ ଅଧିକାରୀଙ୍କ ନେତୃତ୍ବରେ ଏକ ଟିମ୍‌ ବେଦାନ୍ତ କାରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ୨୦୦୮ ମସିହାରେ ଏହି ଲେବର ସେସ୍‌ ନିୟମ ଲାଗୁ ହେବା ପରଠାରୁ ବେଦାନ୍ତରେ କେତେଜଣ କଣ୍ଟ୍ରା‌କ୍ଟର୍‌ କେତେ ଦିନ କାମ କରିଛନ୍ତି, ସେମାନଙ୍କ ଅଧୀନରେ କେତେ ଲେଖାଏଁ ଶ୍ରମିକ କାମ କରୁଥିଲେ, ବେଦାନ୍ତ ପରିସରରେ ୨୦୦୮ ମସିହା ପରଠାରୁ କଣ ସବୁ ନିର୍ମାଣ କାମ ହୋଇଛି ଆଦି ବାବଦରେ ଟିମ୍‌ ପଚରାଉଚରା କରିଛି। ତଥ୍ୟ ଉପଲବ୍ଧ ନଥିବା ଆଳ ଦେଖାଇ ବେଦାନ୍ତ ପକ୍ଷରୁ ଅନେକ ଗୁରୁତ୍ବପୂର୍ଣ୍ଣ ସୂଚନା ଶ୍ରମ ବିଭାଗକୁ ପ୍ରଦାନ କରି ନଥିବା ବେଳେ ଆଉ କିଛି ଦସ୍ତାବିଜକୁ ବିଭାଗ ଜବତ କରିଛି। ଏ ନେଇ ଜିଲ୍ଲା ଶ୍ରମ ଅଧିକାରୀ ସୁନିତା କିଷାନଙ୍କୁ ପଚାରିବାରେ, ଜିଲ୍ଲାପାଳଙ୍କ ନିକଟ‌ରେ ରିପୋର୍ଟ ଦାଖଲ କରିବା ପରେ ଏ ସମ୍ପର୍କରେ କୌଣସି ଉତ୍ତର ଦେଇପାରିବେ ବୋଲି କହିଛନ୍ତି।

Advertisment

୨୦୦୫ ମସିହାରେ ଉଭୟ ଘରୋଇ ଓ ସରକାରୀ ଉଦ୍ୟୋଗ ଲେବର ସେସ୍‌ ବାବଦକୁ ସରକାରୀ ପାଣ୍ଠିକୁ ମୋଟ ପ୍ରକଳ୍ପ ମୂଲ୍ୟର ୧ ପ୍ରତିଶତ ପ୍ରଦାନ କରିବାକୁ ସରକାରୀ ନିର୍ଦ୍ଦେଶ ଜାରି ହୋଇଥିଲା। ୨୦୦୮ ମସିହା ଡିସେମ୍ବରରେ ଏହି ନିୟମ ଲାଗୁ ହେଲା। ଷ୍ଟେର‌ଲାଇଟ୍‌ ଏନର୍ଜି ଲିମିଟେଡ୍‌ (ବର୍ତ୍ତମାନର ବେଦାନ୍ତ) ‌୨୦୦୯ରେ ସରକାରଙ୍କୁ ଚିଠି ଲେଖି ତାଙ୍କ କମ୍ପାନି ଫ୍ୟାକ୍ଟ୍ରି ଆଇନ୍‌ ୧୯୪୮ରେ ପଞ୍ଜିକୃତ ହୋଇଥିବାରୁ ଏହି ନିୟମରେ ଆସୁନଥିବା ଦର୍ଶାଇଥିଲା। ଏହା ପରେ ପୁଣି ସେହି ବର୍ଷ ମେ ୧ରେ କମ୍ପାନି କୋର୍ଟରେ ସଂଶୋଧିତ ପିଟିସନ୍‌ ଦାଖଲ କରି ଫ୍ୟାକ୍ଟ୍ରି ଆଇନ୍‌ରେ ପଞ୍ଜୀକରଣ ନଥିବା ଉତ୍ତର ରଖିଥିଲା।
ଏହା ପରଠାରୁ କମ୍ପାନିକୁ ଲଗାତାର ନୋଟିସ୍‌ ପ୍ରଦାନ କରାଯାଇଥିଲେ ହେଁ କମ୍ପାନି ସରକାରଙ୍କ ନିକଟରେ ସେସ୍‌ ଦାଖଲ କରିନଥିଲା। ଯେଉଁଠି ତୁରନ୍ତ ସେସ୍‌ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ଘଟଣାକୁ ‌ନେଇ ବେଦାନ୍ତ ସମେତ ଆଉ କିଛି କମ୍ପାନି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ମଧ୍ୟ ହାଇକୋର୍ଟଙ୍କ ରାୟ କାଏମ୍‌ ରଖି ଲେବର ସେସ୍‌ ପ୍ରଦାନ କରିବାକୁ ହେବ ବୋଲି ୧୮.୧୦.୨୦୧୬ରେ ରାୟ ଦେଇଥିଲେ। କିନ୍ତୁ ବେଦାନ୍ତ ଏହି ସେସ୍‌ ପଇଠ ନକରିବାରୁ ଶ୍ରମ କାର୍ଯ୍ୟାଳୟ ୨୦୧୭ ମସିହାରେ ଗୋଟିଏ, ୨୦୧୮ରେ ୩ଟି, ୨୦୧୯ରେ ଗୋଟିଏ ଚିଠି କରିଥିଲା।

ଏହା ପରେ ବେଦାନ୍ତ ନିଜର ପ୍ରକଳ୍ପ ମୂଲ୍ୟ ୬୭୪ କୋଟି ଦର୍ଶାଇ ସେ ବାବଦକୁ ୩ଟି କିସ୍ତିରେ ୧ ପ୍ରତିଶତ ଟଙ୍କା ଅର୍ଥାତ୍‌ ମାତ୍ର ୬ କୋଟି ୭୪ ଲକ୍ଷ ଟଙ୍କା ପ୍ରଦାନ କରିଛି। ୨୦୦୮ ମସିହାରେ କମ୍ପାନିର ପ୍ରକଳ୍ପ ମୂଲ୍ୟ ୬୭୪ କୋଟି ବୋଲି ଦର୍ଶାଯାଇଥିଲା। ୨୦୧୧ ମସିହାରେ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ଖବର ଅନୁସାରେ, ସେତେବେଳେ ବେଦାନ୍ତର ପ୍ରକଳ୍ପ ମୂଲ୍ୟ ୮୦ ହଜାର କୋଟି ରହିଥିଲା। ଏହା ପରେ ବେଦାନ୍ତ ସ୍ମେଲଟର ପ୍ଲାଣ୍ଟ ଓ ତାପଜ ବିଦ୍ୟୁତ୍‌ ଉତ୍ପ‌ାଦନ କେନ୍ଦ୍ର ସମ୍ପ୍ରସାରଣ କରିସାରିଛି। ଫଳସ୍ବରୂପ ବର୍ତ୍ତମାନ ମୋଟ ମୂଲ୍ୟ ପ୍ରାୟ ୯୦ ହଜାର କୋଟି ହେବ ବୋଲି ଆକଳନ କରାଯାଉଛି। ବର୍ତ୍ତମାନ ହିସାବରେ ବେଦାନ୍ତ ସରକାରଙ୍କୁ ୯୦୦ କୋଟି ଟଙ୍କା ଦେବା ବଦଳରେ କେବଳ ୬ କୋଟି ଟଙ୍କା ‌ଦେଇ ଭଣ୍ଡାଇ ଦେଇଥିବା ଅଭିଯୋଗ ହୋଇଛି। ତେଣୁ ବେଦାନ୍ତ ନିଜର ପ୍ରକଳ୍ପ ମୂଲ୍ୟ ପୁନଃ ନିର୍ଦ୍ଧାରଣ କରିବାକୁ ବାରମ୍ବାର ଚିଠି ଲେଖାଯାଉଥିଲେ ହେଁ ତଞ୍ଚକତା କରି ପ୍ରଶାସନକୁ ଭୁଆଁ ବୁଲାଉଥିବା ଅଭିଯୋଗ ହୋଇଛି।