ଦେବାଳିଆ ଅବସ୍ଥାକୁ ଚାଲିଆସିଥିବା ଫେରୋ ଆଲଏଜ୍ କର୍ପୋରେସନ (ଫେକର)କୁ କିଣିବ ବେଦାନ୍ତ!

ଅନିଶ୍ଚିତତା ମଧ୍ୟରେ ତିନି କ୍ରୋମାଇଟ୍‌ ଖଣି, ଦ୍ବନ୍ଦ୍ବରେ ୨ ହଜାର ଶ୍ରମିକ ଓ କର୍ମଚାରୀ

କାଳିଆପାଣି : ସୁକିନ୍ଦା କ୍ରୋମ୍‌ ଉପତ୍ୟକାରେ ୧୯୭୨ ମସିହାରୁ ଖଣି ବ୍ୟବସାୟ କରି ଏକଦା ଆର୍ଥିକ ଅଭିବୃଦ୍ଧିର ଶିଖରରେ ଥିବା ଫେରୋ ଆଲଏଜ୍ କର୍ପୋରେସନ (ଫେକର) ଏବେ ଦେବାଳିଆ ଅବସ୍ଥାକୁ ଚାଲିଆସିଛି। ବେଦାନ୍ତ କମ୍ପାନି ଫେକରକୁ କିଣିବା ଆପାତତଃ ସ୍ଥିର ହୋଇସାରିଛି। ଏଥିସହ ଫେକର ମାଲିକାନାରେ ଥିବା ଯାଜପୁର ଜିଲ୍ଲା ସୁକିନ୍ଦା ତହସିଲ କାଳିଆପାଣି ଥାନା ଅନ୍ତର୍ଗତ ଓସ୍ତପାଳ କ୍ରୋମାଇଟ୍‌ ମାଇନ୍ସ ଓ କଲରଙ୍ଗିଅତ୍ତା କ୍ରୋମାଇଟ୍‌ ମାଇନ୍ସ, ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ତହସିଲ ଓ ଥାନା ଅନ୍ତର୍ଗତ କାଠପାଳ ଭୂତଳ କ୍ରୋମାଇଟ୍‌ ମାଇନ୍ସ ଏବଂ ଭଦ୍ରକ ଜିଲ୍ଲା ଅନ୍ତର୍ଗତ ରାନ୍ଦିଆସ୍ଥିତ ଫେରୋ ଆଲଏଜ୍ କାରଖାନାର ସ୍ବତ୍ତ୍ବ ‌ବେଦାନ୍ତ କମ୍ପାନିକୁ ହସ୍ତାନ୍ତର ପାଇଁ ଜାତୀୟ ଆଇନ ନ୍ୟାୟାଧୀକରଣ ପରିଷଦ(ଏନ୍‌ସିଏଲ୍‌ଟି)ରେ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି। ଫଳତଃ ଏକ ହଜାରରୁ ଅଧିକ ଖଣି ଶ୍ରମିକ ଓ କର୍ମଚାରୀ ଏବଂ ସମାନ ସଂଖ୍ୟାରେ କାରଖାନା ଶ୍ରମିକ ଓ କର୍ମଚାରୀ ପରିବାର ପ୍ରଭାବିତ ହେବା ଆଶଂକା ସୃଷ୍ଟି ହୋଇଛି। ଜୀବନ ଜୀବିକା ଦୋ’ଛକିରେ ୨ ହଜାରୁ ଅଧିକ କୁଶଳୀ ଶ୍ରମିକ ଓ ଅଭିଜ୍ଞ କର୍ମଚାରୀ ଛନ୍ଦିହୋଇ ରହିଛନ୍ତି।

ଫେକର କମ୍ପାନି ୨୦୦୭ ମସିହାରେ ଭଦ୍ରକ ଜିଲ୍ଲା ରାନ୍ଦିଆରେ ନିଜସ୍ବ ପାୱାର ପ୍ଲାଣ୍ଟ୍‌ ପ୍ରତିଷ୍ଠା କରିବା ପାଇଁ ଦିଲ୍ଲୀ ଓ ଗୁଜୁରାଟରେ ସକ୍ରିୟ ଥିବା ରିଜିଓନାଲ ଇଲେକ୍ଟ୍ରିସିଟି କର୍ପୋରେସନ(ଆରଇସି)ରୁ ପାଖାପାଖି ୪ ଶହ କୋଟି ଟଙ୍କା ଋଣ ଆଣିଥିଲା। ଠିକ୍‌ ସମୟରେ ଋଣ ପରିଶୋଧ କରାନଯିବା କାରଣରୁ ୨୦୧୬ ମସିହା ବେଳକୁ ଋଣଭାର ୭ ଶହ କୋଟିରୁ ଅଧିକ ଟଙ୍କାକୁ ବୃଦ୍ଧି ପାଇଥିଲା। ଏପରିକି ବାରମ୍ବାର କିସ୍ତି ପ୍ରଦାନରେ ବିଫଳ ହେବା କାରଣରୁ ଫେକର ବିରୁଦ୍ଧରେ ଆରଇସି ପକ୍ଷରୁ ଏନ୍‌ସିଏଲ୍‌ଟିରେ ମକଦ୍ଦମା ଦାଏର କରାଯାଇଥିଲା। ଗତ ତିନିବର୍ଷ ଧରି ଏନ୍‌ସିଏଲ୍‌ଟିରେ ମାମଲା ବିଚାରାଧୀନ ରହିଥିଲା। ଫେକର କମ୍ପାନିଠୁ ଅର୍ଥ ଆଦାୟ ପାଇଁ ଏନ୍‌ସିଏଲ୍‌ଟି ପକ୍ଷରୁ କିଛି ଅଭିଜ୍ଞ ଅର୍ଥନୈତିଜ୍ଞ ଓ ହିସାବ ରକ୍ଷକଙ୍କୁ ସାଧନ ବ୍ୟକ୍ତି ଭାବେ ନିୟୋଜିତ କରାଯାଇଛି। ଗତ ୨ ବର୍ଷ ଧରି ସେମାନଙ୍କ ନିର୍ଦେଶରେ ଫେକର କମ୍ପାନିର ଉକ୍ତ ତିନି ଖଣି ଓ କାରଖାନା ପରିଚାଳିତ ହୋଇଆସୁଛି। ତେବେ କମ୍ପାନିର ଆର୍ଥିକ ସ୍ଥିତିରେ ଉଲ୍ଲେଖନୀୟ ପ୍ରଗତି ହୋଇନପ‌ାରିବା କାରଣରୁ ଫେକର କମ୍ପାନିକୁ ରୁଗ୍‌ଣ ଘୋଷଣା କରାଯାଇଛି। ଏଥିସହ ଏହି କମ୍ପାନି ମାଲିକାନାରେ ଥିବା ତିନିଟିଯାକ କ୍ରୋମାଇଟ୍‌ ଖଣି ଓ ଫେରୋ ଆଲଏଜ୍ କ‌ାରଖାନାକୁ ବିକ୍ରୟ ପାଇଁ ଚୂଡ଼ାନ୍ତ ନିଷ୍ପତ୍ତି ହୋଇଛି। ଏଥିପାଇଁ ବର୍ଷକ ତଳୁ ଜାତୀୟ ସ୍ତରରେ ‌ନିଲାମ୍‌ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଆଦିତ୍ୟ ବିର୍ଲା(ଏସେଲ ମାଇନିଂ), ଇମ୍ଫା, ବେଦାନ୍ତ ଓ ଉତ୍ତର ପ୍ରଦେଶର ଏକାଧିକ ଖଣି କର୍ତ୍ତୃପକ୍ଷ ଏଥିରେ ଭାଗ ନେଇ ତିନିଟିଯାକ ଖଣି ଓ କାରଖାନା ପରିଦର୍ଶନ କରିଥିଲେ। ୧୪ ତାରିଖରେ ଅନୁଷ୍ଠିତ ଚୂଡ଼ାନ୍ତ ନିଲାମ ପ୍ରକ୍ରିୟାରେ ବେଦାନ୍ତ କର୍ତ୍ତୃପକ୍ଷ ଯୋଗ୍ୟ ବିବେଚିତ ‌ହୋଇଥିବା ଜଣାପଡ଼ିଛି। ଆସନ୍ତା ୨୨ ତାରିଖ ଏ ସଂପର୍କରେ ଘୋଷଣାନାମାକୁ ସାର୍ବଜନୀନ କରାଯିବ।

ଏ ସଂପର୍କରେ ଫେକର ଖଣି ବରିଷ୍ଠ ମହାପ୍ରବନ୍ଧକ ରାକେଶ କୁମାର ସିଂ ଓ ସହକାରୀ ମହାପ୍ରବନ୍ଧକ ଅଜୟ କୁମାର ପାତ୍ରଙ୍କୁ ପଚାରିବାରେ ଉଭୟ ଉକ୍ତ ପ୍ରସଙ୍ଗକୁ ସ୍ବୀକାର କରିଥିଲେ। ଦେଢ଼ବର୍ଷରୁ ଅଧିକ ସମୟ ଧରି ଏନ୍‌ସିଏଲଟି ଦ୍ବାରା ନିଯୁକ୍ତ ସାଧନ ବ୍ୟକ୍ତିଙ୍କ ମାଧ୍ୟମରେ ଖଣି ବ୍ୟବସାୟ ଚାଲୁ ରହିଥିବା କହିଥିଲେ। ଏନ୍‌ସିଏଲ୍‌ଟିରେ ହୋଇଥିବା ଚୂଡ଼ାନ୍ତ ନିଷ୍ପତ୍ତି ସଂପର୍କରେ ବିଶେଷ ଭାବେ କିଛି କହି ପାରିବେନି ବୋଲି ମତ ରଖିଥିଲେ।

ସମ୍ବନ୍ଧିତ ଖବର