ଭୁବନେଶ୍ବର: ଆଜି ବିଧାନସଭାରେ ବେଦାନ୍ତ ବିଶ୍ବବିଦ୍ୟାଳୟ ତାତି ଦେଖିବାକୁ ମିଳିଥିଲା। ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇବା ସହ ରାଜ୍ୟ ସରକାର ତୁରନ୍ତ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ୬ହଜାର ଲୋକଙ୍କୁ ସେମାନଙ୍କ ଜମି ଫେରାଇବା, ଏହି ଘଟଣାରେ ସଂପୃକ୍ତ ନେତା, ମନ୍ତ୍ରୀ ଓ ଅଧିକାରୀଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ କରିବାକୁ ବାଚସ୍ପତି ରୁଲିଂ ଦେବା ଦାବିରେ ଗୃହରେ ଧାରଣା ଦେଇଥିଲେ। ସ୍ଥିତି ଏପରି ହୋଇଥିଲା ଯେ ବାଚସ୍ପତି ଗୃହକୁ ଚଳାଇ ପାରିନଥିଲେ। ଏହାପରେ ସର୍ବଦଳୀୟ ବୈଠକ ବସିଥିଲେ ବି ଶ୍ରୀ ମିଶ୍ର ଆସନ୍ତା ୯ କିମ୍ବା ୧୩ ତାରିଖ ସୁଦ୍ଧା ବାଚସ୍ପତିଙ୍କ ରୁଲିଂ ଦେବେ ବୋଲି କହିବାକୁ ଦାବି କରିଥିଲେ। ହେଲେ ବାଚସ୍ପତି ଏନେଇ ବିଚାର କରିବେ ବୋଲି କହିଥିଲେ ବି ଶ୍ରୀ ମିଶ୍ର ବାଚସ୍ପତିଙ୍କ ରୁଲିଂ ଦାବିରେ ଅଟଳ ରହିବାରୁ ଗୃହ ଚାଲି ପାରିନଥିଲା।
ଶୂନ୍ୟକାଳରେ ଶ୍ରୀ ମିଶ୍ର କହିଥିଲେ ଯେ ବେଦାନ୍ତ ବିଶ୍ବବିଦ୍ୟାଳୟକୁ ରାଜ୍ୟ ସରକାର ଅହେତୁକ ଅନୁକମ୍ପା ଦେଖାଇଛନ୍ତି। ଏପରିକି କମ୍ପାନି ୩୮୩୭ ଏକର ଜମି ଦରକାର ଥିବା କହିଥିବା େବଳେ ରାଜ୍ୟ ସରକାର ୧୫ହଜାର ଏକର ଜମି ଯୋଗାଇ ଅଧିଗ୍ରହଣ କରିଥିଲେ। ବେଦାନ୍ତକୁ ବିଭିନ୍ନ ଟିକସ ଛାଡ଼ କରିବା ସହ ସ୍ବତନ୍ତ୍ର ଚାରିଥାକିଆ ରାସ୍ତା ନିର୍ମାଣ କରିଦେବେ, ଓଡ଼ିଆ ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ନରହିଲେ ଚଳିବ, କେନ୍ଦ୍ର ସରକାରଙ୍କ ଠାରୁ ବିଭିନ୍ନ ଏନ୍ଓସି ଆଣିବାକୁ ବି ପ୍ରତିଶ୍ରୁତି ଦେଇଥିଲେ। ଏହାକୁ ଓଡ଼ିଶାର ଲୋକପାଳ ମଧ୍ୟ ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ଏନେଇ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିଥିଲେ, ପରେ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିବା ସହ ଜମି ଅଧିଗ୍ରହଣକୁ ରଦ୍ଦ କରିଛନ୍ତି। ଆଉ ତୁରନ୍ତ ଜମି ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ରାଜ୍ୟ ସରକାର କାହିଁକି ଅହେତୁକ ଅନୁକମ୍ପା ଦେଖାଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। ଦୁର୍ନୀତିମୁକ୍ତ ବୋଲି ରାଜ୍ୟ ସରକାର ପ୍ରଚାର କରୁଥିବାବେଳେ କେତେ ଦୁର୍ନୀତିଗ୍ରସ୍ତ ତାହା ଏଥିରୁ ଅନୁମେୟ। ବେଦାନ୍ତ ବିଶ୍ବବିଦ୍ୟାଳୟକୁ ଅନୁକମ୍ପା ଦେଖାଇଲା ବେଳେ ଉଭୟ ବିଜେଡି-ବିଜେପି ସରକାର ଥିଲା। ଉଚ୍ଚଶିକ୍ଷା ଓ ରାଜସ୍ବ ମନ୍ତ୍ରୀ ବିଜେପିର େହାଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ସହମତିରେ ଏହି ନିଷ୍ପତ୍ତି ହୋଇଥିଲା। ତେଣୁ ଏହି ପ୍ରସଙ୍ଗରେ ବିଜେପି-ବିଜେଡି ଚୁପ୍ ବସିଛନ୍ତି। ଏହି ଘଟଣାରେ ସଂପୃକ୍ତ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ଅଧିକାରୀଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ ହେଉ ଏବଂ ଦୁର୍ନୀତି ନିବାରଣ ଆଇନରେ ଏହା ଦଣ୍ଡନୀୟ ଅପରାଧ ହୋଇଥିବାରୁ ସେହି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେଉ।
ବାଚସ୍ପତି ଏହି ଘଟଣାରେ ରାଜ୍ୟ ସରକାରଙ୍କୁ ରୁଲିଂ ନଦେଲେ ଗୃହର ମଧ୍ୟଭାଗକୁ ଆସି ଧାରଣା ଦେବେ ବୋଲି ନରସିଂହ କହିଥିଲେ। ବାଚସ୍ପତି ଏନେଇ ବିଚାର କରିବେ ବୋଲି କହିବାରୁ ଶ୍ରୀ ମିଶ୍ର କହିଥିଲେ ଯେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅଛି, ମୁଁ ରାୟର କପି ପଢ଼ିଲି। ଆପଣ ମୋ କଥା ଶୁଣୁନଥିଲେ କି? ଆପଣ ରୁଲିଂ ନଦେବା ପର୍ଯ୍ୟନ୍ତ ମୁଁ ଧାରଣାରେ ବସିବି। ଏହାପରେ ବାଚସ୍ପତି ବିଧାୟକ ଅମର ଶତପଥୀଙ୍କୁ କହିବାକୁ ଡାକିଥିଲେ। ହେଲେ ଶ୍ରୀ ଶତପଥୀ କହିଥିଲେ ଯେ ବିଧାନସଭାର ସବୁଠୁ ବରିଷ୍ଠ ଓ ଅଭିଜ୍ଞ ସଦସ୍ୟ ଧାରଣାରେ ବସିଥିବାବେଳେ ଆମେ କହିବା ଠିକ୍ ହେବନି। ସେ ଏକ ନ୍ୟାୟିକ ପ୍ରସଙ୍ଗ ଉଠାଇଛନ୍ତି। ତେଣୁ ଆମେ ଅନୁରୋଧ କରୁଛୁ ଯେ ଶ୍ରୀ ମିଶ୍ର ଆସନକୁ ଆସନ୍ତୁ। ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ବି ନିଜ ଆସନରୁ ଉଠି ଶ୍ରୀ ମିଶ୍ରଙ୍କୁ ବୁଝାଇଥିଲେ। ହେଲେ ଶ୍ରୀ ମିଶ୍ର କହିଥିଲେ ଯେ ମୋତେ ବୁଝାନ୍ତୁନି, ବାଚସ୍ପତିଙ୍କୁ କୁହନ୍ତୁ ସେ ରୁଲିଂ ଦେବେ। ଏହାପରେ ବାଚସ୍ପତି ବିଜେଡି ବିଧାୟକ ପ୍ରଣବ ପ୍ରକାସ ଦାସଙ୍କୁ କହିବାକୁ ସୁଯୋଗ ଦେଇଥିଲେ। ଶ୍ରୀ ଦାସ କହିଥିଲେ ଯେ ନିର୍ବାଚନ ପୂର୍ବରୁ ଏହା ଗୃହର ଶେଷ ଅଧିବେଶନ ହୋଇଥିବାବେଳେ ଗୃହର ଜଣେ ବରିଷ୍ଠ ସଦସ୍ୟ ଧାରଣାରେ ବସିଥିବାବେଳେ ଆଲୋଚନା କରିବା ଠିକ୍ ନୁହେଁ। ତେଣୁ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରି ସର୍ବଦଳୀୟ ବୈଠକ ଡାକନ୍ତୁ। ୧୧ଟା ୫୯ରେ ବାଚସ୍ପତି ଗୃହକୁ ମୁଲତବୀ କରି ସର୍ବଦଳୀୟ ବୈଠକ ଡାକିଥିଲେ ହେଁ ଏହାପରେ ସମାଧାନର ବାଟ ନବାହାରିବାରୁ ଉପବାଚସ୍ପତି ସାଲୁଗା ପ୍ରଧାନ ୧୨ଟା ୫୯ରେ ଗୃହକୁ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ଅପରାହ୍ନ ୪ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ପରେ ଶାସକ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ। ଆସନ୍ତାକାଲି ଏହା ଉପରେ ଆଲୋଚନା ହେବ। ଅପରାହ୍ନରେ କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ର ଗୃହକୁ ଆସି ନଥିଲେ।