ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଗତକାଲିଠାରୁ ପୁରୀ-କୋଣାର୍କ ବେଳାଭୂମି ନିକଟରେ ପ୍ରସ୍ତାବିତ ବେଦାନ୍ତ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ଓ ହଜାର ହଜାର ଏକର ଜମି ଅଧିଗ୍ରହଣକୁ ନେଇ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ପାଖରେ ଶୁଣାଣି ଆରମ୍ଭ ହୋଇ ଆଜି ଶେଷ ହୋଇଛି। ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ ଏମ ଆର ଶାହା ଓ ଜଷ୍ଟିସ କୃଷ୍ଣ ମୁରାରୀଙ୍କ ଖଣ୍ଡପୀଠ ପ୍ରଥମେ ଅନିଲ ଅଗ୍ରୱାଲ ଫାଉଣ୍ଡେସନ ପକ୍ଷରୁ ବରିଷ୍ଠ ଆଇନଜୀବୀ ଆର୍ଯ୍ୟମାନ୍ ସୁନ୍ଦରମ ଯୁକ୍ତି ଉପସ୍ଥାପନ କରିଥିଲେ। ଗତକାଲି ପ୍ରାୟ ନବେ ମିନିଟ ଧରି ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ଓ ଜମି ଅଧିଗ୍ରହଣ ସପକ୍ଷରେ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ। ତା ପରେ ବିଶ୍ଵବିଦ୍ୟାଳୟ ବିରୋଧୀ ସଂଘର୍ଷ ସମିତି ଓ ପକ୍ଷରୁ ପୂର୍ବତନ ବିଧାୟକ ଉମାବଲ୍ଲଭ ରଥଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ, ସଞ୍ଜୟ ପାରିଖ ଖଣ୍ଡପୀଠଙ୍କ ସମ୍ମୁଖରେ ପ୍ରାୟ ଦେଢ଼ ଘଣ୍ଟା ଧରି ଏହି ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ଓ ଏଥିପାଇଁ ହୋଇଥିବା ଜମି ଗ୍ରହଣ ସମ୍ପୂର୍ଣ୍ଣ ବେଆଇନ ବୋଲି ଅନେକ ତଥ୍ୟ ସହ ତର୍କ ରଖିଥିଲେ।
ପ୍ରାୟ ଛଅ ହଜାର ପରିବାରର ତିରିଶ ହଜାର ଲୋକ ନିଜର ଚାଷ ଜମି ହରେଇବା ପରେ ସେମାନଙ୍କର ଜୀବନ ଜୀବିକା ଉଜୁଡ଼ିଯିବା ବିଶ୍ଵବିଦ୍ୟାଳୟର ଉଦ୍ଦେଶ୍ୟ ନୁହେଁ। ବରଂ ପୁରୀ-କୋଣାର୍କ ବେଳାଭୂମି ନିକଟରେ ଥିବା ମୂଲ୍ୟବାନ ଜମିକୁ ଭିନ୍ନ ଭାବରେ ବ୍ୟବହାର ଓ ବେପାର ହିଁ ଏକମାତ୍ର ଉଦ୍ଦେଶ୍ୟ। ଏହା ନିକଟରେ ଅଭୟାରଣ୍ୟ, ମୂଲ୍ୟବାନ ଖଣିଜ ବାଲି ଓ ମଧୁର ଜଳର ଉତ୍ସ ସଂପୂର୍ଣ୍ଣ ଧ୍ଵଂସ ହୋଇଯିବ ବୋଲି ତଥ୍ୟ ଉପସ୍ଥାପନ କରିଥିଲେ। ଏହି ଫାଉଣ୍ଡେସନ ଆଜି ପର୍ଯ୍ୟନ୍ତ କୌଣସି ସ୍ଥାନରେ ଏକ ଶିକ୍ଷାନୁଷ୍ଠାନ କରିବାର ଦୃଷ୍ଟାନ୍ତ ନ ଥିବା କଥା ପ୍ରଶାନ୍ତ ଭୂଷଣ କହିଥିଲେ। ଜମି ଅଧିଗ୍ରହଣ ଆଇନ, ପରିବେଶ ଆଇନ, ଫରେଷ୍ଟ ଆଇନ, କମ୍ପାନି ଆଇନ୍, ମାନବ ଅଧିକାର ଆଇନ ଇତ୍ୟାଦିର କିପରି ଘୋର ଉଲ୍ଲଂଘନ କରାଯାଇଛି, ସେ ସମ୍ପର୍କରେ ପ୍ରଶାନ୍ତ ଭୂଷଣ ଯୁକ୍ତି ରଖିଥିଲେ। ଆଇନଜୀବୀ ଚିନ୍ମୟ ମିଶ୍ର ଏହି ମାମଲାରେ ପ୍ରଶାନ୍ତ ଭୂଷଣଙ୍କୁ ସହାୟତା କରିଥିଲେ।
ଖଣ୍ଡପୀଠ ଅନିଲ ଅଗ୍ରୱାଲ ଫାଉଣ୍ଡେସନ, ଓଡ଼ିଶା ସରକାର ଓ ବେଦାନ୍ତ ବିଶ୍ଵବିଦ୍ୟାଳୟ ସଂଘର୍ଷ ସମିତି ପକ୍ଷରୁ ଜମି ହରାଇଥିବା ଏଗାର ଜଣ ଚାଷୀ, ପୂର୍ବତନ ବିଧାୟକ ଉମାବଲ୍ଲଭ ରଥଙ୍କ ପିଆଇଏଲ୍ ସହ ନଅଟି ପିଟିସନକୁ ଏକତ୍ର କରି ଶୁଣାଣି ଆଜି ଶେଷ ହୋଇଛି। ଏହି ମାମଲା ୨୦୧୦ ମସିହାରୁ ଓଡ଼ିଶା ହାଇକୋର୍ଟଙ୍କ ରାୟ ବିରୋଧରେ ଅନୀଲ ଅଗ୍ରୱାଲ ଫାଉଣ୍ଡେସନ ଓ ରାଜ୍ୟ ସରକାର ସର୍ବୋଚ୍ଚ ନ୍ୟାୟାଳୟରେ ଚ୍ୟାଲେଞ୍ଜ କରିଥିଲେ। ବେଦାନ୍ତ ବିଶ୍ବବିଦ୍ୟାଳୟ ବିରୋଧୀ ସଂଘର୍ଷ ସମିତି, ଜମି ହରାଇଥିବା ଚାଷୀ ଓ ପୂର୍ବତନ ବିଧାୟକ ରଥଙ୍କ ପକ୍ଷରୁ ପ୍ରଶାନ୍ତ ଭୂଷଣଙ୍କ ସହ ବରିଷ୍ଠ ଓକିଲ ସଞ୍ଜୟ ପାରିଖ ଓ ଚିନ୍ମୟ ମିଶ୍ର ଏହି ମାମଲା ପରିଚାଳନାରେ ସହଯୋଗ କରିଥିଲେ। ଏବେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟକୁ ଅପେକ୍ଷା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/Supreme_Court_of_India.jpg)