କଟକ: ପୁରୀରେ ପ୍ରସ୍ତାବିତ ବେଦାନ୍ତ ବିଶ୍ବବିଦ୍ୟାଳୟର ଭୂମି ଅଧିଗ୍ରହଣ ସଂପର୍କରେ ସୁପ୍ରିମକୋର୍ଟଙ୍କ ରାୟ ପରେ ମଧ୍ୟ ଜମି ହରାଇଥିବା କୃଷକ ଜମି ଫେରି ପାଇନାହାନ୍ତି। ଏଥି ସହିତ ଏପରି କୃଷକଙ୍କୁ ଅନ୍ତରୀଣ କ୍ଷତିପୂରଣ ମଧ୍ୟ ପ୍ରଦାନ କରାଯାଇ ନାହିଁ। ଏଭଳି ଅଭିଯୋଗକୁ ନେଇ ନବନିର୍ମାଣ କୃଷକ ସଂଗଠନ ତରଫରୁ ଦାୟର ଜନସ୍ବାର୍ଥ ମାମଲାକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରିଛନ୍ତି। ମାମଲାର ପ୍ରତିପକ୍ଷ ରାଜ୍ୟ ମୁଖ୍ୟ ଶାସନ ସଚିବ, ଭିଜିଲାନ୍ସ ନିର୍ଦ୍ଦେଶକ, ପୁରୀ ଜିଲ୍ଲାପାଳ, ଭୂଅର୍ଜନ ଅଧିକାରୀ, ଅନିଲ ଅଗ୍ରୱାଲ ଫାଇଣ୍ଡେସନକୁ ହାଇକୋର୍ଟ ନୋଟିସ୍ ଜାରି କରି ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୩୦କୁ ଧାର୍ଯ୍ୟ କରାଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ନବନିର୍ମାଣ କୃଷକ ସଂଗଠନ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।
ମାମଲାର ଆଜି ଶୁଣାଣି ସମୟରେ ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା ଯେ ପୁରୀରେ ପ୍ରସ୍ତାବିତ ବେଦାନ୍ତ ବିଶ୍ବବିଦ୍ୟାଳୟ ପାଇଁ ରାଜ୍ୟ ସରକାରଙ୍କ ଜମି ଅଧିଗ୍ରହଣ ପ୍ରକ୍ରିୟା ବେଆଇନ ବୋଲି ହାଇକୋର୍ଟ ୨୦୧୦ ନଭେମ୍ବର ୧୬ ତାରିଖରେ ଯେଉଁ ରାୟ ଦେଇଥିଲେ, ସୁପ୍ରିମକୋର୍ଟ ତାହା କାଏମ ରଖିଥିଲେ। ଗୋଟିଏ କଂପାନି ବା ଟ୍ରଷ୍ଟକୁ ରାଜ୍ୟ ସରକାର ଯେଭଳି ଅହେତୁକ ଅନୁକମ୍ପା ଦେଖାଇଛନ୍ତି, ତାହା ଦେଖି ସୁପ୍ରିମକୋର୍ଟ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ହାଇକୋର୍ଟଙ୍କ ରାୟ ବିରୋଧରେ ରାଜ୍ୟ ସରକାର ଓ ଅନିଲ ଅଗ୍ରୱାଲ ଫାଉଣ୍ଡେସନ ପକ୍ଷରୁ ଦାଖଲ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଥିଲେ। ଅନିଲ ଅଗ୍ରଵାଲ ଫାଉଣ୍ଡେସନ୍ ପିଟିସନକୁ ସିଧାସଳଖ ଖାରଜ କରିବା ପୂର୍ବରୁ ସୁପ୍ରିମକୋର୍ଟ ଯେଉଁ ଗୁରୁତ୍ବପୂର୍ଣ୍ଣ ଦିଗ ପ୍ରତି ଇଙ୍ଗିତ କରିଥିଲେ ତାହା ହେଲା, ଅଧିଗ୍ରହଣ ହୋଇଥିବା ଜମି କୃଷି କାର୍ଯ୍ୟରେ ବ୍ୟବହୃତ ହେଉଛି ଏବଂ ଏହା ୬ହଜାର ପରିବାରଙ୍କ ଜୀବନଜୀବିକାର ଏକମାତ୍ର ମାଧ୍ୟମ। ତାହାକୁ କ୍ଷତିପୂରଣ ଆଳରେ କେହି ଅଧିଗ୍ରହଣ କରିପାରିବେ ନାହିଁ। ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ହାଇକୋର୍ଟ ଖାରଜ କରି ପ୍ରଦାନ କରିଥିବା ରାୟକୁ ନେଇ ସୁପ୍ରିମକୋର୍ଟ ସନ୍ତୋଷବ୍ୟକ୍ତ କରିଥିଲେ।
ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ବେଆଇନ ଜମି ଅଧିଗ୍ରହଣ ପ୍ରକ୍ରିୟାରେ ସଂପୃକ୍ତ ଥିବା ଅଧିକାରୀଙ୍କ ବିରୋଧରେ ତଦନ୍ତ ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଆବେଦନକାରୀ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ଲିଖିତ ଭାବେ ଅଭିଯୋଗ କରିଥିଲେ। ଏଥି ସହିତ ଜମି ହରାଇଥିବା କୃଷକଙ୍କୁ ତୁରନ୍ତ ଅନ୍ତରୀଣ କ୍ଷତିପୂରଣ ପ୍ରଦାନ ପାଇଁ ମଧ୍ୟ ମୁଖ୍ୟ ସଚିବଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ତେବେ ଏହି ପ୍ରସଂଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିଲା। ଏହାପରେ ହାଇକୋର୍ଟରେ ଏହି ମାମଲା ରୁଜୁ କରାଯାଇଛି। ସୂଚନାଯୋଗ୍ୟ ଯେ, ୨୦୧୦ ନଭେମ୍ବର ୧୬ ତାରିଖରେ ଏହି ମାମଲାରେ ଓଡ଼ିଶା ହାଇକୋର୍ଟ ରାୟ ଶୁଣାଇଥିଲେ। ପ୍ରସ୍ତାବିତ ବେଦାନ୍ତ ବିଶ୍ବବିଦ୍ୟାଳୟ ପାଇଁ ଯେଉଁ ଜମି ଅଧିଗ୍ରହଣ କରାଯାଇଛି, ତାହା ବେଆଇନ ଏବଂ ଏହା ବୈଧ ନୁହେଁ ବୋଲି ଦର୍ଶାଇଥିଲେ। ଅଧିଗ୍ରହଣ କରାଯାଇଥିବା ଜମି ଲୋକମାନଙ୍କୁ ଫେରାଇ ଦିଆଯାଉ। ହାଇକୋର୍ଟଙ୍କ ଏହି ରାୟ ବିରୋଧରେ ଅନିଲ ଅଗ୍ରୱାଲ ଫାଉଣ୍ଡେସନ ଓ ରାଜ୍ୟ ସରକାର ସୁପ୍ରିମକୋର୍ଟ ଯାଇଥିଲେ। ସୁପ୍ରିମକୋର୍ଟ ୨୦୧୧ ଜାନୁଆରି ୨୮ରେ ଜମି ଅଧିଗ୍ରହଣ ମାମଲାରେ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ପରେ ସୁପ୍ରିମକୋର୍ଟ ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଥିଲେ। ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ସିଦ୍ଧାର୍ଥ ରାୟ ମାମଲା ପରିଚାଳନା କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/09/high-court-new-india-express.jpg)