ବିଶ୍ୱସ୍ତରୀୟ ସ୍ୱପ୍ନ ଦେଖାଇ ଭୁଲିଗଲେ : କୁଆ‌ଡ଼େ ଗଲା ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରକଳ୍ପ

ଅନୁମୋଦନ କଲେନି, ରାଜ୍ୟପାଳ ରଖିଲେ ବିଲ୍, କୋର୍ଟରେ ଝୁଲୁଛି ମାମଲା, କ୍ଷତିଗ୍ରସ୍ତଙ୍କ ସ୍ଥିତି ସଙ୍ଗିନ୍

ଭୁବନେଶ୍ବର : ପୁରୀରେ ହେବ ବିଶ୍ବସ୍ତରୀୟ ବିଶ୍ବବିଦ୍ୟାଳୟ, ଆଖି ଝଲସାଇ ଦେବା ଭଳି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବିତୀୟ ଇଂନିସରେ ଏଭଳି ସ୍ବପ୍ନ ଦେଖାଇଥିଲେ ବିଜେଡି-ବିଜେପି ମେଣ୍ଟ ସରକାର। ଏମିତି ମାତିଲେ େଯ ଓଡ଼ିଶା ପଡିଲା ଉଠିଲା। ଆଖି ପିଛୁଳାକେ ବିଧାନସଭା ଅନୁମୋଦନ ଲାଭ କଲା ବେଦାନ୍ତ ବିଶ୍ବବିଦ୍ୟାଳୟ ବିଲ୍। ବିରୋଧୀଙ୍କ ମତକୁ ଭ୍ରୁକ୍ଷେପ କଲେନି ସରକାର। ସବୁ ନିୟମକୁ ଦଳି ଚକଟି ଦେଇ ସରକାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅମୃତ ମଣୋହି ଜମି ହାତେଇ ନେଲେ ବୋଲି ଅଭିଯୋଗ ଉଠିଲା। ଶାଗମାଛ ଦରରେ ନେଇ ବେଦାନ୍ତ ହାତରେ ଜମି ଧରାଇ ଦେଲେ ବୋଲି ବିରୋଧୀ ତମ୍ବିତୋଫାନ କଲେ। ବେଦାନ୍ତ ସଂଘର୍ଷ ସମିତି ବ୍ୟାନରରେ ୧୦ ହଜାର ଲୋକ ପୁରୀରୁ ଭୁବନେଶ୍ବର ଯାଏ ଚାଲିଲେ।

କୌତୂହଳ କଥା ହେଲା, ବେଦାନ୍ତ ବିଶ୍ବବିଦ୍ୟାଳୟ ବିଲ୍‌କୁ ରାଜ୍ୟପାଳ ଆଉ ଫେରାଉ ନାହାନ୍ତି। ନା ସେଂଶାଧନ ପାଇଁ ସୁପାରିସ କଲେ, ନା ବିଲ୍ ଅନୁମୋଦନ କରୁଛନ୍ତି। ରାଜ୍ୟପାଳ ବଦଳିସାରିଲେଣି। ହେଲେ ଏହି ବିଲ୍‌ ଭାଗ୍ୟରେ ପରିବର୍ତନ ଘଟୁନାହିଁ। ରାଜଭବନରେ ରହିଗଲା ସରକାରଙ୍କ ବେଦାନ୍ତ ବିଶ୍ବ ବିଦ୍ୟାଳୟ ସ୍ବପ୍ନ।

ଅନ୍ୟପକ୍ଷରେ ଅଧିଗ୍ରହଣ ହୋଇଥିବା ୧୩ଶହ ଏକର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମି, ୭ଶହ ଏକର ସରକାରୀ ଜମି ଓ ପ୍ରାୟ ୬ ହଜାର ଏକର ବେସରକାରୀ ଜମି ଉପରେ ସ୍ଥିତାବସ୍ଥା ରହିଛି। ହାଇକୋର୍ଟଙ୍କ ରାୟ ଉପରେ ସୁପ୍ରିମକୋର୍ଟରେ ଚାଲିଛି ମାମଲା। ଇତିମଧ୍ୟରେ ଦୁଇ ଡଜନ ପାଖାପାଖି ଶୁଣାଣି ହେଲାଣି। ରାଜ୍ୟ ସରକାର ଚାଷୀଙ୍କ ସ୍ବାର୍ଥରେ ଯାଇ ଏହି ମାମଲାରୁ ଓହରୁ ନାହାନ୍ତି କି ବିଶ୍ବବିଦ୍ୟାଳୟ ସ୍ଥାପନ ପାଇଁ ରାସ୍ତା ଖୋଲୁନାହାନ୍ତି।

ସରକାର, ବେଦାନ୍ତ କଂପାନି ଆଦିକୁ ନେଇ ଚାଲିଥିବା ବଡ଼ ବଡ଼ିଆ ଖେଳ ଭିତରେ ସ୍ଥାନୀୟ ଅଞ୍ଚଳର ୨୨ଟି ମୌଜାର ହଜାର ହଜାର ଚାଷୀଙ୍କ ଭାଗ୍ୟ ମୋଡି ହୋଇଗଲାଣି। ସ୍ଥିତାବସ୍ଥା କାରଣରୁ, ଯେଉଁମାନେ ଚାଷ ଜମି ଛାଡୁନଥିଲେ, ଅର୍ଥ ନେଇନଥିଲେ ଓ ତାଙ୍କ ଜମି ବାବଦ ଅର୍ଥ ସରକାରୀ ଟ୍ରେଜେରିରେ ଜମା ଅଛି, ସେମାନଙ୍କ ଜୀବନ ଦୁର୍ବିସହ ହୋଇପଡିଲାଣି। ନା ସେମାନେ ଏ ଜମି ଉପରେ କୌଣସି ବୀମା ସୁବିଧା ପାଉଛନ୍ତି ନା ଅନ୍ୟ କିଛି। ଏହି ଜମିର ମୂଲ୍ୟ ଏବେ ଅମୂଲ୍ୟ। ବିକାଶ କାରଣରୁ ଜମିର ମୂଲ୍ୟ ବହୁଗୁଣିତ ହେଲାଣି। ହେଲେ ସେମାନଙ୍କ ଭାଗ୍ୟ ସରକାରୀ ଫାଇଲ ଓ ମାମଲାର ରାୟ ଭିତରେ ରୁନ୍ଧି େହାଇଯାଇଛି। େସମାନଙ୍କ କଥା ସମସ୍ତେ ଭୁଲିଗଲେଣି, ପୁରୀ ଜିଲ୍ଲା ପ୍ରଶାସନ, ରାଜ୍ୟ ସରକାର ବି।

ଏହି ମାମଲା ସହିତ ଆଉ ଏକ ସଙ୍ଗିନ୍ ପ୍ରସଙ୍ଗ ସାମ୍ନାକୁ ଆସିଥିଲା। ତତ୍କାଳୀନ ଲୋକପାଳ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଆଙ୍ଗୁଠି ଦେଖାଇଥିଲେ। କେଉଁ ପରିସ୍ଥିତିରେ ଉଚ୍ଚଶିକ୍ଷା ବିଭାଗ ବଦଳରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଫାଇଲ େଖାଲିଗଲା, କାହା ସ୍ବାର୍ଥରେ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ମାତ୍ରାଧିକ ଉତ୍ସାହ ପ୍ରଦର୍ଶନ କରିଥିଲେ ତାହାକୁ ନେଇ ପ୍ରଶ୍ନ ଉଠିଥିଲା। ଲୋକପାଳଙ୍କ ରିପୋର୍ଟ ରାଜଭବନରେ ପହଞ୍ଚିବା ପରେ ଏ ନେଇ ରାଜ୍ୟପାଳ ଖୋଳତାଡ଼ କଲେ। ସରକାରଙ୍କୁ ଏହା ଉପରେ ଜବାବ ମଗାଗଲା।
ହେଲେ ଏ ପ୍ରସଙ୍ଗଟି ବି ଏବେ ହଜିଯାଇଛି। ରାଜ୍ୟପାଳ ବେଦାନ୍ତ ବିଶ୍ବବିଦ୍ୟାଳୟ ଫାଇଲକୁ ଧରି ରଖିବା ଭଳି ଏହି ପ୍ରସଙ୍ଗରେ ବି କଣ ଚୂଡାନ୍ତ ପଦକ୍ଷେପ ନେଲେ, ତାହା ରାଜ୍ୟବାସୀ ଜାଣିପାରିଲେ ନାହିଁ। ବରଂ ଏୟା ହେଲା, ସେ ସମୟରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଥିବା ବିଜୟ କୁମାର ପଟ୍ଟନାୟକ ମୁଖ୍ୟଶାସନ ସଚିବ ଭାବେ ଅବସର ପରେ ରାଜ୍ୟ ମାନବାଧିକାର କମିସନର ସଦସ୍ୟ ଭାବେ ଯୋଗଦେଲେ। ସେ ପଦବିକୁ କିନ୍ତୁ ତ୍ୟାଗ କରି ସେ ବେଦାନ୍ତ ବିଶ୍ବବିଦ୍ୟାଳୟ ପ୍ରକଳ୍ପର ଅଧ୍ୟକ୍ଷ ଭାବେ କାର୍ଯ୍ୟରେ ଯୋଗଦେଇଥିଲେ। ସେତେବେଳେ କୁହାଯାଇଥିଲା ଯେ ଶ୍ରୀ ପଟ୍ଟନାୟକ ଭୁବନେଶ୍ବରରେ ଅଫିସ ଖୋଲି ଅନୀଲ ଅଗ୍ରଵାଲ ଫାଉଣ୍ତେସନ ଅଧୀନସ୍ଥ ବିଶ୍ବବିଦ୍ୟାଳୟ ଓ ସ୍ମାର୍ଟ ସିଟି କାର୍ଯ୍ୟ ତଦାରଖ କରିବେ। ହେଲେ ଏହି ପ୍ରକ୍ରିୟା କେତେ ଆଗେଇଲା, ତାହା କେହି ଜାଣିପାରୁନାହାନ୍ତି।

ଉଲ୍ଲେଖଯୋଗ୍ୟ ଯେ ଏହି ପ୍ରକଳ୍ପକୁ କେବଳ ବେଦାନ୍ତ ବିଶ୍ବବିଦ୍ୟାଳୟ ସ˚ଘର୍ଷ ସମିତି ବିରୋଧ କରିଥିଲା ତା ନୁହେଁ, କ˚ଗ୍ରେସ ଓ ବିଜେପି ମଧ୍ୟ ବିରୋଧ କରିଥିଲେ। ବିଜେପି ନେତା ଚନ୍ଦନ ମିତ୍ର, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ତତ୍କାଳୀନ ବିଜେପି ରାଜ୍ୟ ସଭାପତି କନକ ବର୍ଧନ ସି˚ହଦେଓ ପ୍ରମୁଖ ସେ ସମୟରେ ପୁରୀ ଯାଇ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ। ଏବେ କିନ୍ତୁ ସମସ୍ତେ ଚୁପ୍।

ସମ୍ବନ୍ଧିତ ଖବର