ଭୁବନେଶ୍ୱର : ସାଧାରଣ ଲୋକଙ୍କୁ ସୁଲଭ ମୂଲ୍ୟରେ ବିଦ୍ୟୁତ ଯୋଗାଣ କରାଯାଉଥିବା ଦାବିକୁ ରାଜ୍ୟ ସରକାର ଏବଂ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି) ବାରମ୍ବାର ଦୋହରାଉଛନ୍ତି। ମାତ୍ର ଉପଭୋକ୍ତାଙ୍କ ସ୍ବାର୍ଥର ଦ୍ବାହି ଦେଇ ତଥା ସରକାରଙ୍କ ପ୍ରଚ୍ଛନ୍ନ ସମର୍ଥନରେ ଓଇଆରସି ବହୁ ରାଷ୍ଟ୍ରୀୟ କଂପାନି ବେଦାନ୍ତକୁ ବାର୍ଷିକ ୧୨୫୦ କୋଟି ଟଙ୍କାର ଅଯାଚିତ ଫାଇଦା ଟେକିଦେବା ଘଟଣା ଏବେ ସବୁ ମହଲକୁ ବିସ୍ମିତ କରୁଛି। ଗତ ଅକ୍ଟୋବର ୫ ତାରିଖ ଦିନ ଓଇଆରସି ଏଭଳି ରାୟ ପ୍ରଦାନ କରିଛନ୍ତି। ସବୁଠାରୁ ବଡ଼ କଥା ହେଲା, ରାଜ୍ୟ ସରକାରଙ୍କ ଦ୍ବାରା ନିର୍ଧାରିତ ବିଦ୍ୟୁତ କିଣା ଚୁକ୍ତିନାମାକୁ ଆୟୋଗ କ୍ଷମତା ବାହାରକୁ ଯାଇ ଦଳିଚକଟି ଦେଇଛନ୍ତି। ଏହାର ପରିଣାମ ସ୍ବରୂପ, ବେଦାନ୍ତରୁ ୩୦ ପ୍ରତିଶତ ବିଦ୍ୟୁତ କିଣିବାର ଅଧିକାର ରାଜ୍ୟ ସବୁଦିନ ପାଇଁ ହରାଇଛି। ତେବେ ନିର୍ଦେଶନାମା ପ୍ରକାଶ ପାଇବା ପରେ ଏ ସଂପର୍କରେ ସରକାର କୌଣସି ପ୍ରତିକ୍ରିୟା ପ୍ରକାଶ ନ କରି ନିରବ ରହିବା ଘଟଣା ସଙ୍କେତ ଦେଉଛି ଯେ ଏହି କାରବାର ପଛରେ ଏକ ବଡ଼ଧରଣର ଷଡ଼୍‌ଯନ୍ତ୍ର ରହିଥିବା ସନ୍ଦେହ ଅମୂଳକ ନୁହେଁ।

Advertisment

ତଥ୍ୟ ଅନୁସାରେ, ୨୦୦୬ ମସିହାରେ ବେଦାନ୍ତ କଂପାନି ଝାରସୁଗୁଡାଠାରେ ୬ଶହ ମେଗାଵାଟ ଉତ୍ପାଦନ କ୍ଷମତାର ୪ଟି ୟୁନିଟ୍ (ମୋଟ ୨୪୦୦ ମେଗାଵାଟ) ସ୍ବାଧୀନ ତାପଜ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର (ଆଇପିପି) ପ୍ରତିଷ୍ଠା କରିଥିଲା। ରାଜ୍ୟ ସରକାର ଏଥିପାଇଁ ସୁଲଭ ମୂଲ୍ୟରେ ଜମି, ପାଣି,କୋଇଲା, ଜଙ୍ଗଲ ମଞ୍ଜୁରୀ ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ ସହାୟତା ପ୍ରଦାନ କରିଥିଲେ। ଏଥିପାଇଁ ରାଜ୍ୟ ସରକାର ଏବଂ ବେଦାନ୍ତ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ଏଥିରେ କୁହାଯାଇଥିଲା, ବେଦାନ୍ତ ପ୍ରତିବର୍ଷ ରାଜ୍ୟକୁ ଉତ୍ପାଦିତ ବିଦ୍ୟୁତର ୩୦ ଭାଗ (ବାର୍ଷିକ ୫୦୪୦ ନିୟୁତ ୟୁନିଟ୍) ଯେଗାଇବ। ନିଜେ ଓଇଆରସି ବି ୨୦୧୩ ମସିହାରେ ଏହାକୁ ଅନୁମୋଦନ କରିଥିଲେ।

publive-image orfonline.org

ପରବର୍ତ୍ତୀ ସମୟରେ ବେଦାନ୍ତ କଂପାନି ତାର ଆଲୁମିନିୟମ୍ ପ୍ଲାଣ୍ଟର କ୍ଷମତା ବୃଦ୍ଧି କରିଥିଲା। ହେଲେ ନିଜସ୍ବ ବିଦ୍ୟୁତ କେନ୍ଦ୍ରରୁ ଉତ୍ପାଦିତ ବିଦ୍ୟୁତ ସଂପ୍ରସାରିତ ଏହି ପ୍ରକଳ୍ପ ଉତ୍ପାଦନ ଚାହିଦା ମେଣ୍ଟାଇପାରିବ ନାହିଁ। ଏଣୁ କଂପାନି ସ୍ବାଭାବିକ ଭାବେ ନିଜ ଦ୍ବାରା ସ୍ଥାପିତ ସ୍ବାଧୀନ ବିଦ୍ୟୁତ କେନ୍ଦ୍ର (ଆଇପିପି)ରୁ ଚାହିଦା ମୁତାବକ ବିଦ୍ୟୁତ ବ୍ୟବହାର ପାଇଁ ଆୟୋଗଙ୍କୁ ଅନୁମତି ମାଗିଥିଲା।

ଓଇଆରସି ଏଭଳି ଅନୁମତି ଦେବା ପାଇଁ କ୍ଷମ)ତାପ୍ରାପ୍ତ ଅଟନ୍ତି। ୨୦୧୬ ମସିହାରେ ଓଇଆରସି ବେଦାନ୍ତର ଏହି ଆବେଦନକୁ ବିଚାରକୁ ନେଇ ରାୟ ଦେଇଥିଲେ। ସେତେବେଳେ କୁହାଯାଇଥିଲା ଯେ ରାଜ୍ୟ ସରକାରଙ୍କ ସହିତ ହୋଇଥିବା ଚୁକ୍ତିରେ କୌଣସି ପରିବର୍ତ୍ତନ ହେବ ନାହିଁ। ବରଂ ରାଜ୍ୟ ସରକାରଙ୍କୁ ବିଦ୍ୟୁତ ଯୋଗାଣ ପାଇଁ ବେଦାନ୍ତର ଦୁଇ ନମ୍ବର ୟୁନିଟ୍ (୬୦୦ ମେଗାଵାଟ) ସମ୍ପୂର୍ଣ୍ଣ ସମର୍ପିତ ରହିବ। ବାକି ତିନିଟି ୟୁନିଟରୁ ଉତ୍ପାଦିତ ବିଦ୍ୟୁତ ବେଦାନ୍ତ ନିଜ ପାଇଁ ବ୍ୟବହାର କରିପାରିବ। ଏହି ସମୟରେ ଆୟୋଗ ଆହୁରି ସର୍ତ୍ତ ରଖିଥିଲେ ଯେ ଯଦି ଦୁଇ ନମ୍ବର ୟୁନିଟରୁ ରାଜ୍ୟର ପ୍ରାପ୍ୟ (ବାର୍ଷିକ ୩୦ ପ୍ରତିଶତ ଅର୍ଥାତ୍ ୫୦୪୦ ନିୟୁତ ୟୁନିଟ୍) ଭରଣା ନ ହୁଏ ତେବେ କଂପାନି ତାର ନିଜସ୍ବ ଅନ୍ୟ ୟୁନିଟରୁ ବଳକା ବିଦ୍ୟୁତ ଭରଣା କରିବାକୁ ବାଧ୍ୟ ହେବେ।

ତେବେ ପରବର୍ତ୍ତୀ ସମୟରେ ବେଦାନ୍ତ ୨୦୧୮ ମସିହାରେ ଆଉ ଏକ ଅଭିଯୋଗ ନିୟାମକ ଆୟୋଗ ନିକଟରେ ଦାଖଲ କଲେ। ଏଥିରେ କଂପାନି ଆଉ ପାଦେ ଆଗକୁ ଯାଇ ଯୁକ୍ତି ରଖିଥିଲା ଯେ ଓଡ଼ିଶା ବିଦ୍ୟୁତ ବଳକା ରହିଛି ଏବଂ ଆମଠାରୁ ବିଦ୍ୟୁତ ଆବଶ୍ୟକ କରୁନାହିଁ। ଏଣୁ ଏହି ଦୃଷ୍ଟିରୁ ଆଇପିିପିରୁ ଉତ୍ପାଦିତ ସମସ୍ତ ବିଦ୍ୟୁତ କେବଳ ଆମକୁ ବ୍ୟବହାର କରିବାକୁ ଅନୁମତି ଦିଆଯାଉ। ଏହି ମାମଲାରେ ସରକାର ପକ୍ଷଭୁକ୍ତ ଥିଲେ ଓ ଗ୍ରିଡକୋ ବି।

ଗତ ଅକ୍ଟୋବର ୫ ତାରିଖରେ ଏହି ମାମଲାର ରାୟ ପ୍ରକାଶ ପାଇଛି, ଯାହା ତାଜୁବ୍ କଲାଭଳି। ଏଥିରେ ବେଦାନ୍ତ ସପକ୍ଷରେ ରାୟ ଦେବାକୁ ଯାଇ ଆୟୋଗ ସାଧାରଣ ଉପଭୋକ୍ତାଙ୍କ ସ୍ବାର୍ଥର ଆଳ ଦେଖାଇଛନ୍ତି। ଆୟୋଗ କହିଛନ୍ତି ଯେ ଲକ୍ଷ୍ୟ କରାଯାଉଛି ଯେ ଗତ ଦୁଇବର୍ଷ ଧରି ଓଡ଼ିଶା ବିଦ୍ୟୁତ କ୍ଷେତ୍ରରେ ବଳକା ରହିଛି। ଆସନ୍ତା ପା଼ଞ୍ଚବର୍ଷ ପର୍ଯ୍ୟନ୍ତ ମଧ୍ୟ ବଳକା ରହିପାରେ। ଏଭଳି ପରିପ୍ରେକ୍ଷୀରେ ଚୁକ୍ତି ଅନୁସାରେ, ବେଦାନ୍ତ କଂପାନିରୁ ଯେଉଁ ବିଦ୍ୟୁତ ଓଡ଼ିଶାର ପ୍ରାପ୍ୟ ତାହା ଗ୍ରିଡକୋ ଖାତାରେ ହିସାବକୁ ଗଲେ, ଏହାର ପ୍ରଭାବ ବିଦ୍ୟୁତ ଦର ଧାର୍ଯ୍ୟ ବେଳେ ପଡୁଛି ଓ ଉପଭୋକ୍ତାଙ୍କ ପାଇଁ ଉଦ୍ଦିଷ୍ଟ ବିଦ୍ୟୁତ ମହଙ୍ଗା ହେଉଛି।

ବିଚାର ପ୍ରକ୍ରିୟାରେ ରାଜ୍ୟ ସରକାର ଏବଂ ଗ୍ରିଡକୋ ପକ୍ଷରୁ ଏହାର ନରମ ପ୍ରତିବାଦ କରାଯାଇଥିଲେ ହେଁ, ଓଡ଼ିଶା ବିଦ୍ୟୁତ କ୍ଷେତ୍ରରେ ବଳକା ରାଜ୍ୟ କଥା ଦର୍ଶାଇ ଆୟୋଗ ଏସବୁକୁ ବାଏଁ ବାଏଁ ଉଡ଼ାଇ ଦେଇଥିଲେ। ଆୟୋଗ ରାୟରେ ଦୋହରାଇଥିଲେ, ଉପଯୋଗ ବିନା ବଳକା ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ବୋଝ ପାଲଟିବ। ଏଣୁ ବେଦାନ୍ତର ଦୁଇ ନମ୍ବର ୟୁନିଟରୁ ଉତ୍ପାଦିତ ବିଦ୍ୟୁତ ବି ଏଣିକି କଂପାନି ନିଜେ ବ୍ୟବହାର କରିପାରିବ। ଅର୍ଥାତ୍ ବେଦାନ୍ତ ସହିତ ହୋଇଥିବା ବିଦ୍ୟୁତ ଚୁକ୍ତିକୁ ଆୟୋଗ ଏକରକମ୍ ବାତିଲ୍ କରିଦେଇଥିଲେ। ଓଡ଼ିଶାକୁ ଆଶ୍ବାସନା ଦେବା ପାଇଁ ରାୟରେ କେବଳ କହିଥିଲେ ଯେ ଯଦି ରାଜ୍ୟରେ କେବେ ନିଅଣ୍ଟିଆ ଅବସ୍ଥା ସୃଷ୍ଟି ହୁଏ, ତେବେ ସରକାର ତିନିମାସ ପୂର୍ବରୁ କଂପାନିକୁ ଅନୁରୋଧ କରିବେ। ହେଲେ କମିସନଙ୍କ ଏହି ସର୍ତ୍ତ ଯେ ରାଜ୍ୟର ଜରୁରୀ ଆବଶ୍ୟକତାକୁ ଆଦୌ ମେଣ୍ଟାଇପାରିବ ନାହିଁ, ଏକଥା ବିଶେଷଜ୍ଞମାନେ ମତ ରଖୁଛନ୍ତି।

publive-image Vedanta Aluminium

ଏଠାରେ ଉଲ୍ଲେଖଥାଉକି, ବିଦ୍ୟୁତ ଉତ୍ପାଦନକାରୀ ସଂସ୍ଥାମାନଙ୍କୁ ଓଡ଼ିଶାରେ ନିବେଶ ପାଇଁ ଉତ୍ସାହିତ କରିବା ଲାଗି ରାଜ୍ୟ ସରକାର ଶିଳ୍ପ ନୀତି ଓ ତାପଜ ବିଦ୍ୟୁତ ନୀତିରେ ବ୍ୟାପକ ପ୍ରୋତ୍ସାହନ ବ୍ୟବସ୍ଥା କରିଛନ୍ତି। ତଦନୁଯାୟୀ, ସରକାର ଶସ୍ତା ମୂଲ୍ୟରେ ଜମି, ପାଣି, କଞ୍ଚାମାଲ ଆଦି ଯୋଗାଇ ଦେଉଛନ୍ତି। ପ୍ରତିବଦଳରେ ସଂପୃକ୍ତ କଂପାନିମାନେ ସରକାରଙ୍କୁ ରିହାତି ମୂଲ୍ୟରେ ବିଜୁଳି ଦେବାର ବ୍ୟବସ୍ଥା ରହିଛି। ଏହି କ୍ରମରେ ବେଦାନ୍ତ ସହିତ ଯେଉଁ ଚୁକ୍ତି ହୋଇଥିଲା, ସେଥିରେ କଂପାନି ୟୁନିଟ୍ ପିଛା ହାରାହାରି ୨ ଟଙ୍କା ୫୨ ପଇସା ହାରରେ (ଅପେକ୍ଷାକୃତ ଶସ୍ତା) ବିଦ୍ୟୁତ ଯୋଗାଇବା କଥା। ଏହି ଚୁକ୍ତି ଅନୁସାରେ, ଓଡ଼ିଶାର ପ୍ରାପ୍ୟ ହେଉଛି ୩୦ ପ୍ରତିଶତ ଅର୍ଥାତ୍ ୫୦୪୦ ନିୟୁତ ୟୁନିଟ୍। ହେଲେ ଦେଖାଯାଇଛି ଯେ କୌଣସି ବର୍ଷ ଏହି ପରିମାଣର ବିଦ୍ୟୁତ ଗ୍ରୀଡକୋ ବେଦାନ୍ତ କଂପାନିରୁ କିଣିନାହିଁ। ସଂପ୍ରତି ଯେବେ ଏହି ମାମଲା ଶୁଣାଣି ହେଲା, ସେବେ ବେଦାନ୍ତ ଏହି ପ୍ରସଙ୍ଗରେ ଯୁକ୍ତି ରଖି କହିଥିଲେ ଯେ ଓଡ଼ିଶା ବିଦ୍ୟୁତ କ୍ଷେତ୍ରରେ ବଳକା ହୋଇଥିବା କାରଣରୁ ଗ୍ରିଡକୋ ଚୁକ୍ତି ମୁତାବକ ବିଦ୍ୟୁତ ତାଙ୍କଠାରୁ ନେଉନାହିଁ; ଏହାକୁ ଆୟୋଗ ବିଚାରବେଳେ ସଜ୍ଞାନଙ୍କୁ ବି ନେଇଥିଲେ। ସେତେବେଳେ ଗ୍ରିଡକୋ ଏହାକୁ ବିରୋଧ କରି ଦର୍ଶାଇଥିଲା ଯେ ବେଦାନ୍ତ ନିର୍ଧାରିତ ପରିମାଣର ବିଦ୍ୟୁତ ଦେଉନଥିବାରୁ କଂପାନିକୁ ବାରମ୍ବାର ଜରିମାନା ନୋଟିସ୍ ଜାରି କରାଯାଇଛି।

ତେବେ ଏମାନଙ୍କ ମଧ୍ୟରୁ କିଏ ସତ କହୁଛି, ଅସଲ ଚୁକ୍ତି ଖିଲାପକାରୀ କିଏ, ତାହା ତଦନ୍ତସାପେକ୍ଷ। କିନ୍ତୁ ଓଡ଼ିଶା ବିଦ୍ୟୁତ କ୍ଷେତ୍ରରେ ବଳକା ରାଜ୍ୟ ବୋଲି ଆଳ କରି ଆୟୋଗ ଯେଉଁ ରାୟ ଶୁଣାଇଛନ୍ତି, ତାଦ୍ବାରା ରାଜ୍ୟ ବାର୍ଷିକ ୫୦୪୦ ନିୟୁତ ୟୁନିଟ୍ ଶସ୍ତା ବିଦ୍ୟୁତ ପାଇବାର ଅଧିକାର ହରାଇଛି ଏବଂ ମୋଟାମୋଟି ଭାବେ ଚୁକ୍ତି ବାତିଲ୍ ଯୋଗୁ ବେଦାନ୍ତ ୟୁନିଟ୍ ପିଛା ହାରାହାରି ୨ ଟଙ୍କା ୫୨ ପଇସା ହିସାବରେ ଉତ୍ପାଦିତ ବିଦ୍ୟୁତରୁ ବାର୍ଷିକ ୩୦ ପ୍ରତିଶତ ରାଜ୍ୟକୁ ନ ବିକି ନିଜେ ଉପଯୋଗ କରିବାର ସୁଯୋଗ ପାଇଛି। ଏହାଦ୍ବାରା କଂପାନିକୁ ବାର୍ଷିକ ୧୨୫୦ େକାଟି ଟଙ୍କାରୁ ଅଧିକ ଫାଇଦା ହେବ।

ତେବେ ଶକ୍ତି ସମୀକ୍ଷକ ଆୟୋଗଙ୍କ ଏଭଳି ରାୟରେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ପ୍ରାଥମିକ ପ୍ରତିକ୍ରିୟା ରଖି ଏହି ମହଲ ମତ ରଖିଛି ଯେ ସାରା ଦେଶରେ ବିଦ୍ୟୁତ ଚାହିଦା ବଢ଼ିଛି। ଏଭଳି ସମୟରେ ଗ୍ରିଡକୋ ବିପୁଳ ପରିମାଣର ଏଭଳି ଶସ୍ତା ବିଦ୍ୟୁତ ଆଣି ଖୋଲାବଜାରରେ ବିକ୍ରି କରିପାରିଥାନ୍ତା। ଏହା ଋଣଗ୍ରସ୍ତ ଗ୍ରିଡକୋ ଉପରେ କିଛି ପରିମାଣର ଚାପ ଲାଘବ କରିଥାନ୍ତା। ହେଲେ କେଉଁ ସ୍ବାର୍ଥ ବିନିମୟରେ ଆୟୋଗ ଏତେବଡ଼ ନିର୍ଦେଶ ଲଦିଦେଲେ ଓ ସରକାର ଏହାକୁ ଆଖିବୁଜା ଗ୍ରହଣ କରିନେଲେ, ତାହା ବୁଝାପଡୁନାହିଁ।