ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ ବେଦାନ୍ତ କମ୍ପାନିର ଜନୈକ କର୍ମଚାରୀ ସତ୍ୟ ରଂଜନ ସାହୁ ଓ ଡ୍ରାଇଭର ଗୌରୀଶଙ୍କର ନାଏକ ସମ୍ବଲପୁରରୁ ନୂଆ ବଲେନୋ ଗାଡ଼ି କିଣି ଫେରୁଥିବା ବେଳେ ସିକେରକୁପା ନିକଟରେ ଦୁର୍ବୁତ୍ତମାନଙ୍କ ଦ୍ୱାରା ଗାଡ଼ି ସହ ଅପହୃତ ହୋଇଛନ୍ତି। ଏହି ଅପହରଣକାରୀ ଗ୍ୟାଙ୍ଗର ୨ ଜଣ ଅନ୍ୟ ଏକ ଗାଡ଼ିରେ ଫେରାର ହେଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇ ଭବାନୀପାଟଣା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଅପହୃତ ଗାଡ଼ିଟି ମୁନିଗୁଡ଼ା ଠାରେ ଠାବ ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ଦୁଇ ଅପହୃତଙ୍କ ପତ୍ତା ପାଇପାରି ନାହିଁ ପୁଲିସ । ଏହି ଘଟଣା ଅଂଚଳରେ ଆଲୋଡ଼ନ ସୃଷ୍ଟି କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ କମ୍ପାନିରେ କାମ କରୁଥିବା ପରିବେଶ ବିଭାଗର କର୍ମଚାରୀ ସତ୍ୟ ରଞ୍ଜନ ସାହୁ ଓ ଡ୍ରାଇଭର ଗୌରୀଶଙ୍କର ନାଏକ (ଟିଙ୍କୁ) ସମ୍ବଲପୁରରୁ ଶୁକ୍ରବାର ନେକ୍ସା ସୋରୁମରୁ ମାରୁତି ସୁଜୁକିର ବଲେନୋ ଗାଡ଼ି କିଣି ଫେରୁଥିଲେ। ରାତିପ୍ରାୟ ୧୦ଟାରେ ଛତିକୁଡ଼ା ଛକ ଟୁକୁ ଢାବାରେ ଖାଇଥିଲେ। ପ୍ରାୟ ୧୦ଟା ୪୦ରେ ଖାଇ ସାରି ଲାଞ୍ଜିଗଡ଼ ଅଭିମୁଖେ ଯାଉଥିଲେ। ରାତି ପ୍ରାୟ ୧୧ଟା ୧୫ ମିନିଟରେ ସତ୍ୟଙ୍କ ସ୍ତ୍ରୀ ଫୋନ ଯୋଗେ କଥା ହୋଇଥିଲେ। ଏହାପରେ ମୋବାଇଲ ସୁଇଚ୍ଅଫ୍ ହୋଇଯାଇଥିଲା। ଅପହରଣକାରୀ ଗ୍ୟାଙ୍ଗର ୩ ଜଣ ଗାଡ଼ି ସହ ସତ୍ୟ ରଞ୍ଜନ ଓ ଡ୍ରାଇଭରଙ୍କୁ ନେଇ ଚାଲିଯାଇଥିଲେ। ଅପହରଣ ପାଇଁ ବ୍ୟବହାର ହୋଇଥିବା ସୁଇପ୍ଟ ଡିଜାୟାର ଗାଡ଼ି (ନଂ ଓଡି ୦୮ ବି ୭୭୮୯)ରେ ୫ ଜଣ ଅପହରଣକାରୀ ଆସିଥିଲେ। ସେହି ଗ୍ୟାଙ୍କର ଅମ୍ବାଦୁଲା କୁମୁଡ଼ା ବାହାଲିର ଅନିଲ ବାଗ(୨୬) ଓ ମୁନିଗୁଡ଼ା ଭାଲିଆପଡ଼ାର ବୈଷ୍ଣବ ଡଙ୍ଗରିଆ (୨୭) ଅପହରଣ ପାଇଁ ଆସିଥିବା ସୁଇପ୍ଟ ଡିଜାୟାର ଗାଡ଼ିକୁ ନେଇ ଫେରାର ହେଉଥିବା ବେଳେ ସିକେରକୁପା ନିକଟରେ ଏକ ଗଛରେ ପିଟି ହୋଇ ଗୁରୁତର ହୋଇଥିଲେ। ସତ୍ୟ ରଞ୍ଜନ ଓ ଡ୍ରାଇଭରଙ୍କୁ ଖୋଜିବାକୁ ଆସୁଥିବା କର୍ମଚାରୀମାନେ ଏହି ଗାଡ଼ିକୁ ଠାବ କରି ପୁଲିସକୁ ଖବର ଦେଇଥିଲେ। ପୁଲିସ ୧୦୮ ଆମ୍ବୁଲାନ୍ସ ଯୋଗେ ନେଇ ଦୁଇ ଆହତଙ୍କୁ ଭବାନୀପାଟଣା ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲା। ପୁଲିସ ତଦନ୍ତ ବେଳେ ଏହି ଦୁଇଜଣ ଅପହରଣରେ ସାମିଲ ଥିବା ଜଣାପଡ଼ିଛି। ଅନ୍ୟ ତିନି ଅପହରଣକାରୀ ବେଦାନ୍ତ କର୍ମଚାରୀ ଓ ଡ୍ରାଇଭରଙ୍କୁ ଅପହରଣ କରି ଚାଲିଯାଇଥିବା ପୁଲିସ ଆଗରେ କହିଥିଲେ। ଅପହୃତ ସତ୍ୟ ରଞ୍ଜନଙ୍କ ପତ୍ନୀ ରାଜଶ୍ରୀ ସାହୁ ଲାଞ୍ଜିଗଡ଼ ଥାନାରେ ଏନେଇ ଏତଲା ଦେଇଛନ୍ତି। ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅପହୃତ ହୋଇଥିବା ନୂଆ ଗାଡ଼ି ମୁନିଗୁଡାର ଟିକରପଡ଼ା ଏଚପି ଗ୍ୟାସ ଗୋଦାମ ନିକଟରୁ ମିଳିଥିଲା। ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୁଇପ୍ଟ ଡିଜାୟାର ଗାଡ଼ି ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ମେଦିନୀପୁରର ମନୋରଂଜନ ନନ୍ଦଙ୍କ ଓ ସେ କିଛିଦିନ ତଳେ ବିକ୍ରି କରି ଦେଇଥିବା ଜଣାପଡ଼ିଛି। ବିକ୍ରି ହୋଇଥିବା ଗାଡ଼ିଟି ମଧ୍ୟ ବର୍ତ୍ତମାନର ମାଲିକଙ୍କ ଅଜାଣତରେ ଯାଇଥିବା ଜଣାପଡ଼ିଛି। ଏନେଇ ପୁଲିସ ଖୋଳତାଡ଼ ଆରମ୍ଭ କରିଛି।