ଝାରସୁଗୁଡ଼ା: ଝାରସୁଗୁଡ଼ା ପରିବେଶକୁ ଦିନକୁ ଦିନ ପ୍ରଦୂଷିତ କରୁଛି ବେଦାନ୍ତ ଆଲୁମିନିୟମ୍‌। ଏହା କମ୍ପାନି ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି। ୨୦୧୭ ମସିହାରୁ ବେଦାନ୍ତ ନିଜ ସ୍ମେଲଟର୍‌ ପ୍ଲାଣ୍ଟର ସମ୍ପ୍ରସାରଣ ଲାଗି ପ୍ରୟାସ କରିଆସୁଥିଲେ ହେଁ ନ୍ୟାୟିକ ସମସ୍ୟା ଯୋଗୁଁ ସେଥିଲାଗି ଅନୁମତି ମିଳିପାରୁନି। ଜାତୀୟ ଗ୍ରିନ୍‌ ଟ୍ରିବ୍ୟୁନାଲରେ ମାମଲା ଏବେ ବି ବିଚାରାଧୀନ ରହିଛି। ଆସନ୍ତା ସେପ୍ଟେମ୍ବର ୧୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

Advertisment

ବେଦାନ୍ତ ଆଲୁମିନିୟମ୍‌ କମ୍ପାନିର ସ୍ମେଲଟିଂ କ୍ଷମତା ୧୬ ଲକ୍ଷ ଟନ୍‌ରୁ ୧୮ ଲକ୍ଷ ଟନ୍‌କୁ ବୃଦ୍ଧି କରାଯିବା ନେଇ ୨୦୧୭ ମସିହାରେ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ୨୦୨୧ ମସିହା ନଭେମ୍ବର ୩ ତାରିଖରେ ଉକ୍ତ ଫାଇଲ୍‌ କେନ୍ଦ୍ର ସରକାରଙ୍କ ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟକୁ ଯାଇଥିଲା। ୨୦୨୨ ମେ’ ୫ ତାରିଖରେ ମନ୍ତ୍ରାଳୟ ପକ୍ଷରୁ ବେଦାନ୍ତକୁ ପରିବେଶ ମଞ୍ଜୁରି ପ୍ରଦାନ କରାଯାଇଥିଲା। ଏହି ଘଟଣାରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଦେଇଥିବା ପରିବେଶ ମଞ୍ଜୁରିକୁ ବିରୋଧ କରି ଜାତୀୟ ଗ୍ରିନ୍‌ ଟ୍ରିବ୍ୟୁନାଲରେ ପିଟିସନ୍‌ ଦାୟର ହୋଇଥିଲା। ପରିବେଶ ମଞ୍ଜୁରିର ୫୯ ଦିନ ପରେ ଏହାକୁ ବିରୋଧ କରାଯାଇଥିବାରୁ ଅବଧି ଦୃଷ୍ଟିରୁ ଏନ୍‌ଜିଟି ମାମଲାର ଶୁଣାଣି କରିବାକୁ ମନା କରିଥିଲେ। ଏହାକୁ ଚ୍ୟାଲେଞ୍ଜ କରି ଝାରସୁଗୁଡ଼ାର ସତ୍ୟନାରାୟଣ ରାଓ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଗତବର୍ଷ ଅଗଷ୍ଟ ୧୮ ତାରିଖରେ ସୁପ୍ରିମକୋର୍ଟରେ ଜଷ୍ଟିସ୍‌ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ୍‌ ଏସ୍‌ଭିଏନ୍‌ ଭଟ୍ଟି ଏହି ମାମଲାର ବିଚାର କରି ଏନ୍‌ଜିଟିରେ ମାମଲାର ଶୁଣାଣି କରିବାକୁ ଅନୁମତି ଦେଇଥିଲେ। ୨୦୨୩ ମସିହା ସେପ୍ଟେମ୍ବର ୧୨ରେ ଏହି ମାମଲାର ଶୁଣାଣି ଆରମ୍ଭ ହୋଇଥିଲା।

ସ୍ମେଲଟର୍‌ର ଉତ୍ପାଦନ କ୍ଷମତା ବୃଦ୍ଧି ହେଲେ ଏହା ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପକାଇବା ସହିତ ଫ୍ଲାଏ ଆସ୍‌ ପରିଚାଳନା ଆଦି ସମ୍ପର୍କରେ ଆବେଦନକାରୀ ଏନ୍‌ଜିଟିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏନ୍‌ଜିଟି ଆଇନ୍‌ ୨୦୧୦ ଅନୁସାରେ, ପରିବେଶ ମଞ୍ଜୁରିର ୩୦ ଦିନ ମଧ୍ୟରେ ଅପିଲ୍‌ କରାଯାଇପାରିବ। ଯଦି ପର୍ଯ୍ୟାପ୍ତ କାରଣ ରହିଥିବ ତେବେ ଏନ୍‌ଜିଟି ଏହି ଅପିଲ୍‌ ଆବେଦନକୁ ୬୦ ଦିନ ଯାଏ ବୃଦ୍ଧି କରିପାରିବେ ବୋଲି ନିୟମ ରହିଛି। ଏହି ମାମଲାରେ ଆବେଦନକାରୀଙ୍କୁ ତଥ୍ୟ ଯୋଗାଡ଼ରେ ସମୟ ଲାଗୁଥିବା ସେ ସୁପ୍ରିମକୋର୍ଟରେ ଦର୍ଶାଇବା ପରେ କୋର୍ଟ ମାମଲାର ଶୁଣାଣି ଲାଗି ଅନୁମତି ଦେଇଥିଲେ। ତେବେ ବେଦାନ୍ତ ଏହାର କାରଖାନାକୁ ପର୍ଯ୍ୟାୟକ୍ରମେ ସମ୍ପ୍ରସାରିତ କରିଥିବାବେଳେ ଝାରସୁଗୁଡ଼ାରେ ଗୋଟିଏ ପରେ ଗୋଟିଏ ଜଙ୍ଗଲକୁ ନଷ୍ଟ କରିଚାଲିଛି।