ବେଦାନ୍ତର ଡେପୁଟି ମେନେଜର ସାଇବର ଠକେଇର ଶିକାର   

ଝାରସୁଗୁଡ଼ା: ବେଦାନ୍ତ କାରଖାନାରେ ଡେପୁଟି ମ୍ୟାନେଜର ରୢାଙ୍କର ଜଣେ ଅଧିକାରୀ ସାଇବର ଠକେଇର ଶିକାର ହୋଇ ବଡ଼ମାଲ ଥାନାର ଦ୍ବାରସ୍ତ ହୋଇଛନ୍ତି। ବଡ଼ମାଲ ଆଇଆଇସି ଅମିତାଭ ପଣ୍ଡାଙ୍କ ସୂଚନାରୁ ପ୍ରକାଶ ଯେ, ସୁନାବେଡ଼ାର ଜୟନ୍ତ ଭତ୍ରା ବେଦାନ୍ତ କାରଖାନାରେ ବର୍ଷିକ ୧୨ ଲକ୍ଷ ଟଙ୍କା ଦରମାରେ କାର୍ଯ୍ୟ କରୁଥିଲେ। ଗତ କିଛି ଦିନ ତଳେ ତାଙ୍କୁ ୱର୍କଫ୍ରମ୍‌ ହୋମ୍‌ରେ କାର୍ଯ୍ୟ କରିବାକୁ କୌଣସି ଏକ ମେସେଜ ହ୍ବାଟସପ୍‌ ଜରିଆରେ ଆସିଥିଲା। ଏଥିରେ ସେ ଆଗ୍ରହ ପ୍ରକାଶ କରିଥିଲେ। ଏହି ମେସେଜ ଏକ ସାଇବର ଠକସଂସ୍ଥାର ଥିଲା।

ସାଇବର ଠକଙ୍କ କହିବା ଅନୁଯାୟୀ ସେ ତାଙ୍କର ଦେଇଥିବା ଟାକ୍ସ ଅନୁଯାୟୀ କିଛି କ୍ରୟ କରିଥିଲେ ଓ ତୁରନ୍ତ କମିସନ ପାଇଥିଲେ। ଫଳରେ ତାଙ୍କର ବିଶ୍ବାସ ଜନ୍ମିଥିଲା ଓ ସେମାନେ କହିବା ମୁତାବକ ବିଭିନ୍ନ ଅାକାଉଣ୍ଟରେ ପର୍ଯ୍ୟାୟକ୍ରମେ ୧୩ ଲକ୍ଷ ୫୦ ହଜାର ଟଙ୍କା ଜମା କରିଥିଲେ। ତେବେ କମିସନ ନ ଆସିବାରୁ ସେ ସଂପୃକ୍ତ ସଂସ୍ଥାକୁ ବାରମ୍ବାର କହିଥିଲେ ତେବେ ସେମାନେ ଏକାଥରକୁ କମିସନ ପାଇବାକୁ ହେଲେ ଆଉ ସଢ଼େ ୩ ଲକ୍ଷ ଟଙ୍କା ଜମା କରିବାକୁ କହିବାରୁ ସେ ଠକେଇର ଶିକାର ହୋଇଥିବା ଜାଣିଥିଲେ ଓ ପୁଲିସରେ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗ ଗ୍ରହଣ କରି ସେ ଜମା କରିଥିବା ବିଭିନ୍ନ ଆକାଉଣ୍ଟକୁ ତଦାରଖ କରୁଥିବା ବେଳେ ସେହି ଟଙ୍କା ସଂପୃ୍କ୍ତ ଆକାଉଣ୍ଟରୁ ଟଙ୍କା ଉଠା ଯାଇ ସାରିଥିବା ଜଣାପଡ଼ିଛି। ଏ ନେଇ ସାଇବର ଅଧିକାରୀଙ୍କ ସହାୟତାରେ ତଦନ୍ତ ଆରମ୍ଭ ହୋଇଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର