ଝାରସୁଗୁଡ଼ା: ବେଦାନ୍ତ ପ୍ରାୟ ୯୦୦ କୋଟିର ଲେବର ସେସ୍‌ ଠକେଇ ପ୍ରସଙ୍ଗରେ ଜିଲ୍ଲା ଶ୍ରମ ବିଭାଗ ତଦନ୍ତ ଆରମ୍ଭ କରିଛି। ଏକ ଟିମ୍‌ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ୍‌ ଜବତ କରିଛି। ଅନ୍ୟ ସମସ୍ତ ତଥ୍ୟ ୭ ଦିନ ମଧ୍ୟ‌ରେ ଦାଖଲ କରିବାକୁ ବେଦାନ୍ତକୁ ନିର୍ଦ୍ଦେଶ ଦିଆଯାଇଥିବା ନେଇ ଜିଲ୍ଲା ଶ୍ରମ ଅଧିକାରୀ ସୁନୀତା କିଷାନ କହିଛନ୍ତି। ବେଦାନ୍ତ ସବୁବେଳେ ପୁରୁଣା କର୍ମଚାରୀଙ୍କ ସମୟର ତଥ୍ୟ ଖୋଜିବାରେ ବିଳମ୍ବ ହେଉଥିବା ଆଳ ଦେଖାଇ ପ୍ରଶାସନକୁ ଠକି ଆସିଛି। ତେଣୁ ଏଥର ନିଜେ ଯାଇ ବେଦାନ୍ତକୁ ମହଲତ ଭିତରେ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିବା ଶ୍ରୀମତୀ କିଷାନ ସୂଚନା ଦେଇଛନ୍ତି। ସେପଟେ, ବେଦାନ୍ତ ପକ୍ଷରୁ ତଥ୍ୟ ଆସିବା ପରେ ଜିଲ୍ଲା ଶ୍ରମ ବିଭାଗରେ ଥିବା ତଥ୍ୟ ସହିତ ଯାଞ୍ଚ କରାଯିବ ଓ ବେଦାନ୍ତ କେତେ ଟଙ୍କାର ଲେବର ସେସ୍‌ ଭରଣା ଦେବ ତାହା ନିର୍ଦ୍ଧାରଣ କରାଯିବ ବୋଲି ଶ୍ରମ ବିଭାଗ ପକ୍ଷରୁ କହାଯାଇଛି।

Advertisment

୨୦୦୭ରେ ବେଦାନ୍ତ ଓଡ଼ିଶାର ଝାରସୁଗୁଡ଼ାରେ ବୃହତ୍‌ ଆଲୁମିନିୟମ୍‌ କମ୍ପାନି ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେବା ପରେ ଏକ ରିପୋର୍ଟ ସରକାରଙ୍କ ନିକଟରେ ଦାଖଲ କରିଥିଲା। ଯେଉଁଠି ଝାରସୁଗୁଡ଼ା ଜିଲ୍ଲାରେ କୋଇଲାଭିତ୍ତିକ ୬ଟି ୧୨୦ ମେଗାୱାଟ୍‌ ବିଶିଷ୍ଠ ତାପଜ ବିଦ୍ୟୁତ୍‌ କେନ୍ଦ୍ର ଓ ୨ ଲକ୍ଷ ୧୮ ହଜାର ଟନ୍‌ ବାର୍ଷିକ ଉତ୍ପାଦନକ୍ଷମ ଆଲୁମିନିୟମ୍‌ ସ୍ମେଲଟର ପ୍ଲାଣ୍ଟ ପ୍ରତିଷ୍ଠା କରିବ ବୋଲି ଦର୍ଶାଇଥିଲା। ପରେ ଷ୍ଟେରଲାଇଟ୍‌ ଇଣ୍ଡଷ୍ଟ୍ରିଜ୍‌ର ନାମ ପରିବର୍ତ୍ତନ ହୋଇ ବେଦାନ୍ତ ହେବା ସହ କମ୍ପାନିର ସମ୍ପ୍ରସାରଣ କରାଯିବା ସହ ଉତ୍ପାଦନ ମଧ୍ୟ ବୃଦ୍ଧି ପାଇଛି। ଏଭଳି ସ୍ଥିତିରେ ବେଦାନ୍ତ ମୂଳ ପ୍ରକଳ୍ପ ରିପୋର୍ଟ ଅନୁସାରେ, ଲେବର ସେସ୍‌ ପୈଠ କରିଥିବା ନେଇ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ କୁହାଯାଇଛି। ଗୋଟିଏ ପଟେ ବେଦାନ୍ତ ମୂଳ ପ୍ରକଳ୍ପରେ ୮୫୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ନେଇ ଦର୍ଶାଇଥିବା ବେଳେ ତଞ୍ଚକତା କରି ଲେବର ସେସ୍‌ ବେଳକୁ ଏହାକୁ ୬୭୪ କୋଟି ଟଙ୍କା କରିଦିଆଯାଇଛି।

ନିୟମାନୁସାରେ, କମ୍ପାନି ପ୍ରତିଟି ନିର୍ମାଣ ସମ୍ପର୍କିତ ତଥ୍ୟ ଜିଲ୍ଲା ଶ୍ରମ ବିଭାଗ ନିକଟରେ ଦାଖଲ କରିବା କଥା ଓ ପ୍ରତିଟି ନୂତନ ନିର୍ମାଣର ପଞ୍ଜୀକରଣ ହେବା କଥା। କିନ୍ତୁ ଜିଲ୍ଲା ଶ୍ରମ ବିଭାଗ ନିକଟରେ ବେଦାନ୍ତ କଣ ପଞ୍ଜୀକରଣ କରିଛି, କେବେ ପଞ୍ଜୀକରଣ କରିଛି, କେବେ କେଉଁ କଣ୍ଟ୍ରାକ୍ଟରକୁ ଅନୁମତି ଦିଆଯାଇଛି ସେ ସମ୍ପର୍କିତ ତଥ୍ୟ ଉପଲବ୍ଧ ରହିଛି ନା ନାହିଁ ସନ୍ଦେହ ପ୍ରକାଶ ପାଇଛି। ଗୋଟିଏ ପଟେ, ଜିଲ୍ଲା ଶ୍ରମ ଅଧିକାରୀ ସମସ୍ତ ତଥ୍ୟ କାର୍ଯ୍ୟାଳୟରେ ରହିଥିବା ନେଇ ଉତ୍ତର ରଖୁଥିବା ବେଳେ ଆଉ ଗୋଟିଏ ପଟେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରୁ ବେଦାନ୍ତକୁ ୧୫ ବର୍ଷରେ ପ୍ରାୟ ୩୦ଟି ଚିଠି କରାଯାଇ ଏ ସମ୍ପର୍କିତ ତଥ୍ୟ ମଗାଯାଇଛି। ଫଳରେ ଶ୍ରମ ଅଧିକାରୀଙ୍କ କଥା ଓ ଶ୍ରମ କାର୍ଯ୍ୟାଳୟର ଚିଠିରେ କୌଣସି ତାଳ ମେଳ ରହୁନାହିଁ। ଯାହାର ସୁଯୋଗ ନେଇ ବେଦାନ୍ତ ଗୋଟିଏ ପରେ ଗୋଟିଏ ଠକେଇ କରିଚାଲିଥିବା ବେଳେ ନିର୍ମାଣ ଶ୍ରମିକଙ୍କ କଲ୍ୟାଣ ପାଣ୍ଠିକୁ ଯିବାକୁ ଥିବା ଟଙ୍କା ହଡ଼ପ ହୋଇଯାଇଛି।