ବେଦବ୍ୟାସ ସଙ୍ଗୀତ ନୃତ୍ୟୋତ୍ସବ: ଲୋକନୃତ୍ୟରେ ଅବିଭୂତ ଦର୍ଶକ

ରାଉରକେଲା: ଭଞ୍ଜଭବନ ମୁକ୍ତାକାଶ ମଞ୍ଚଠାରେ ଅନୁଷ୍ଠିତ ହେଉଥିବା ୨୫ତମ ବେଦବ୍ୟାସ ସଙ୍ଗୀତ ନୃତ୍ୟୋତ୍ସବର ଚତୁର୍ଥ ସନ୍ଧ୍ୟାରେ ମନଛୁଆଁ ଓଡିଶୀ ନୃତ୍ୟ, ସଙ୍ଗୀତ ଏବଂ ଲୋକନୃତ୍ୟର ଅଭିଭୂତ ହୋଇଥିଲେ ଦର୍ଶକ।  ଇଞ୍ଜିନିୟରିଂ ହାଇଦ୍ରାବାଦର ବ୍ୟବସାୟୀକ ମୁଖ୍ୟ ନିକୁଞ୍ଜ କିଶୋର ସ୍ବାଇଁ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ। ଏନ୍‌ଏସ୍‌ପିସିଏଲ୍‌ର ବିଜିନେସ ୟୁନିଟ ମୁଖ୍ୟ, କୌଶଲ କିଶୋର ସମ୍ମାନିତ ଅତିଥି ରୂପେ ଉପସ୍ଥିତ ଥିଲେ। ଶ୍ରୀ ସ୍ବାଇଁ ରାଉରକେଲାକୁ ସଂସ୍କୃତିର ପ୍ରାଣକେନ୍ଦ୍ର ରୂପେ ଗଢିତୋଳିବା ତଥା ପର୍ଯ୍ୟଟନର ବିକାଶ ପାଇଁ ଏଭଳି ଏକ ବିଶାଳ ଉତ୍ସବର ଆୟୋଜନ ପାଇଁ  ଆୟୋଜକ ମାନଙ୍କର ଉଚ୍ଚ ପ୍ରଶଂସା କରିଥିଲେ।

ଶ୍ରୀ କିଶୋର ଉତ୍ସବର ରଜତ ଜୟନ୍ତୀ ଉପଲକ୍ଷେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ। ଭଞ୍ଜ କଳା କେନ୍ଦ୍ରର କଳାକାରଙ୍କ ଦ୍ବାରା ଗୁରୁ ପଦ୍ମନାଭ ନାୟକଙ୍କ ନିର୍ଦ୍ଦେଶନାରେ ସୁମଧୁର ତାବଲା ବାଦନ ସହିତ କାର୍ଯ୍ୟକ୍ରମ ପ୍ରାରମ୍ଭ ହୋଇଥିଲା। ଏହି ସନ୍ଧ୍ୟାରେ ଓଡିଶାର ସୁନାମଧନ୍ୟ ଓଡିଶୀ ନୃତ୍ୟଗୁରୁ ତଥା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ଏବଂ ଓଡିଶୀ ନୃତ୍ୟର ପ୍ରଚାର ପ୍ରସାର ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଗୁରୁ ଶ୍ରୀମତୀ ସଂଗୀତା ଦାସଙ୍କ ନୃତ୍ୟ ନିର୍ଦ୍ଦେଶନାରେ ପୁଡୁଚେରିର ସୁପ୍ରତିଷ୍ଠିତ ନୃତ୍ୟ ଅନୁଷ୍ଠାନ, ‘ମୀରା ଡେନ୍ସ ଏକାଡେମୀ’ର କଳାକାର ମାନେ ଓଡିଶୀ ନୃତ୍ୟ ପ୍ରସ୍ତୁତ କରିଥିଲେ ଯାହା ଦର୍ଶକଙ୍କୁ ଅଭିଭୂତ କରିଥିଲ।

ପଶ୍ଚିମବଙ୍ଗରୁ ଆସିଥିବା କଳାକାରମାନେ ଲୋକନୃତ୍ୟ ପରିବେଷଣକରି ଦର୍ଶକଙ୍କୁ ରୋମାଞ୍ଚିତ କରିଥିଲେ। ଭଞ୍ଜ କଳା କେନ୍ଦ୍ରର ଛାତ୍ରଛାତ୍ରୀଙ୍କ ଦ୍ବାରା ପରିବେଷିତ ସମ୍ବଲପୁରୀ ନୃତ୍ୟ ଦର୍ଶକଙ୍କର ମନକୁ ଛୁଇଁବା ସହିତ ସେମାନେ ଏହାକୁ ମନଭୋଗୀ ଉପଭୋଗ କରିଥିଲେ।  ଭଞ୍ଜ କଳା କେନ୍ଦ୍ରର ସଭାପତି, ଶୁଭଶଙ୍କର ରାୟଚୌଧୁରୀ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଅନୁଷ୍ଠାନର ସାଧାରଣ ସମ୍ପାଦକ  ରାଧାକୃଷ୍ଣ ମହାପାତ୍ର ସଭାକାର୍ଯ୍ୟ ପରିଚାଳନା କରିଥିଲେ। ଉପସଭାପତି ଆଲୋକ ବେହେରା ଧନ୍ୟବାଦ ଜ୍ଞାପନ କରିଥିଲେ। ଶଶାଙ୍କ ପଟ୍ଟନାୟକ ଏବଂ ସୁଶ୍ରୀ କୋଏନା ଦସ୍ତିଦାର ସାଂସ୍କୃତିକ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଉପଦେଷ୍ଟା ଅସୀମ ବେହେରା, ଉପସଭାପତି  ଆଲୋକ ବେହେରା, କର୍ମକର୍ତ୍ତା  ବିବେକାନନ୍ଦ ପରିଡା,  ଜ୍ୟୋତିର୍ମୟ ଆଚାର୍ଯ୍ୟ, ପଞ୍ଚାନନ ମଲ୍ଲିକ, ସୁବ୍ରତ ଶତପଥୀ, ସନ୍ତୋଷ ରଥ, ଗଜେନ୍ଦ୍ର ମୁର୍ମୁ, ରସାନନ୍ଦ ମହାନ୍ତ, ଡେଜି ଷଡଙ୍ଗୀ, ପ୍ରବୀଣ ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର