ରାଉରକେଲା: ଆନ୍ତର୍ଜାତୀୟ ଶାସ୍ତ୍ରୀୟ ସଙ୍ଗୀତ, ଶାସ୍ତ୍ରୀୟ ନୃତ୍ୟ ଓ ଲୋକନୃତ୍ୟ ସଙ୍ଗୀତ ଉତ୍ସବର ମାନ୍ୟତାପ୍ରାପ୍ତ ‘୨୬ତମ ବେଦବ୍ୟାସ ସଙ୍ଗୀତ ନୃତ୍ୟୋତ୍ସବ’ ବୁଧବାର ଉଦ୍‌ଘାଟିତ ହୋଇଯାଇଛି। ଭଞ୍ଜ କଳା କେନ୍ଦ୍ର ଆନୁକୁଲ୍ୟରେ ଭଞ୍ଜ ସାଂସ୍କୃତିକ ନ୍ୟାସର ସହଭାଗିତାରେ ଭଞ୍ଜଭବନ ପ୍ରଦର୍ଶନୀ ପଡ଼ିଆ ମୁକ୍ତାକାଶ ରଙ୍ଗମଞ୍ଚରେ ଆୟୋଜିତ ମହୋତ୍ସବର ଉଦ୍‌ଘାଟନୀ ସନ୍ଧ୍ୟାରେ ଓଡ଼ିଶୀ, ଆଦିବାସୀ ଲୋକନୃତ୍ୟ ଓ ଛତିଶଗଡର ରାଉତ ଲୋକନୃତ୍ୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।
Advertisment
ଉଦ୍‌ଘାଟକ ରାଜ୍ୟ ଶ୍ରମ ଓ ଇଏସଆଇ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ନୃତ୍ୟୋତ୍ସବକୁ ଏକ ମର୍ଯ୍ୟାଦାଜନକ ମହୋତ୍ସବ ଅବିହିତ କରିଥିଲେ। ସଂସ୍କୃତି ଓ ପର୍ଯ୍ୟଟନର ବିକାଶ ନିମନ୍ତେ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ଜାରି ରଖିବେ ବୋଲି ପ୍ରତିଶୃତି ଦେଇଥିଲେ। ସ୍ବତନ୍ତ୍ର ଅତିଥି ରାଉରକେଲା ଇସ୍ପାତ କାରଖାନା(ଆର୍‌ଏସ୍‌ପି) ଲୋକସମ୍ପର୍କ ବିଭାଗର ଜିଏମ ତଥା ସଞ୍ଚାର ମୁଖ୍ୟ ଅର୍ଚ୍ଚନା ଶତପଥୀ ଐତିହ୍ୟପୂର୍ଣ୍ଣ ସଂସ୍କୃତି, ପରମ୍ପରାକୁ ଅକ୍ଷୟ ରଖିବାରେ ଏଭଳି ଉତ୍ସବ ଆୟୋଜନ ବେଶ୍‌ ଗୁରୁତ୍ବ ବହନ କରୁଥିବା କହିଥିଲେ। ଭଞ୍ଜ କଳା କେନ୍ଦ୍ରର ଉପଦେଷ୍ଟା ଅସୀମ ବେହେରା ସ୍ଵାଗତ ଭାଷଣ ଦେଇଥିଲେ। ବୀଣାପାଣି ରଥଙ୍କ ନିର୍ଦ୍ଦେଶନାରେ ଭଞ୍ଜ କଳା କେନ୍ଦ୍ରର ୫୦ରୁ ଉର୍ଦ୍ଧ୍ଵ ବିଦ୍ୟାର୍ଥୀ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ। ପ୍ରଥମ ସନ୍ଧ୍ୟାରେ ଚିତ୍ତାକର୍ଷକ ଶାସ୍ତ୍ରୀୟ ଓ ଲୋକନୃତ୍ୟ ପରିବେଷିତ ହୋଇଥିଲା। ଦୂର୍ଗା ଚରଣ ରଣବୀର, ନୀଳାଦ୍ରୀ ମହାନ୍ତି ଓ ଦେବ ପ୍ରସାଦ ଦାସଙ୍କ ନୃତ୍ୟ ନିର୍ଦ୍ଦେଶନା ଓ ସଂରଚନାରେ  ଅନୁଷ୍ଠାନର ନୃତ୍ୟଶିଳ୍ପୀମାନେ ଓଡ଼ିଶୀ ନୃତ୍ୟ ନାଟିକା ପ୍ରସ୍ତୁତ କରିଥିଲେ। ଲୋକନୃତ୍ୟ ପର୍ଯ୍ୟାୟରେ ମୟୂରଭଞ୍ଜର ଝାନୋ ମୁର୍ମୁ ଓ ସାଥୀ ଆଦିବାସୀ ଲୋକନୃତ୍ୟ ପରିବେଷଣ କରିଥିଲେ। ସ୍ଵତନ୍ତ୍ର ପୋଷାକ ପରିଧାନ କରି ବାଦ୍ୟର ତାଳେତାଳେ ତଥା ଓଡ଼ିଶାର ଆଦି ପରମ୍ପରା ଉପରେ ଆଧାରିତ ଏହି ନୃତ୍ୟ ଦର୍ଶକଙ୍କୁ ବିମୋହିତ କରିଥିଲା।
publive-image
ଶେଷରେ କେଶବ ଯାଦବ ଓ ସାଥୀ ଛତିଶଗଡ଼ର ଲୋକ ନୃତ୍ୟ ପରିବେଷଣ କରିଥିଲେ। ଭଞ୍ଜ ସାଂସ୍କୃତିକ ନ୍ୟାସର ଅଧ୍ୟକ୍ଷ ତଥା ଆରଏସପି କାର୍ମିକ ଓ ପ୍ରଶାସନ ବିଭାଗ ଇଡି ତରୁଣ ମିଶ୍ରଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଭଞ୍ଜ କଳା କେନ୍ଦ୍ରର ସାଧାରଣ ସମ୍ପାଦକ ରାଧାକୃଷ୍ଣ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଶଶାଙ୍କ ଶେଖର ପଟ୍ଟନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସାଧାରଣ ସମ୍ପାଦକ ଜୀବନ ବଲ୍ଲଭ ପଟ୍ଟନାୟକ, ଭଞ୍ଜ କଳା କେନ୍ଦ୍ରର ଉପଦେଷ୍ଟା ଅମର ବେହେରା, ବିବେକାନନ୍ଦ ପରିଡ଼ା, ଜ୍ୟୋତିର୍ମୟ ଆଚାର୍ଯ୍ୟ, ପଞ୍ଚାନନ ମଲ୍ଲିକ, ସୁବ୍ରତ ଶତପଥୀ, ଗଜେନ୍ଦ୍ର ମୁର୍ମୁ, ବସନ୍ତ ସାହୁ, ରସାନନ୍ଦ ମହାନ୍ତ, କନକଲତା ମିଶ୍ର, ପ୍ରବୀଣ ପାତ୍ର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ଆଲୋକ ବେହେରା ଧନ୍ୟବାଦ ଦେଇଥିଲେ।