କାଲିମେଳା ତହସିଲର ବରିଷ୍ଠ କିରାଣୀଙ୍କ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ଭିଡିଓ ଭାଇରାଲ!

ମାଲକାନଗିରି: କାଲିମେଳା ତହସିଲ ଏବେ ବେଶ ଚର୍ଚ୍ଚାରେ। ଗତ ସେପ୍ଟେମ୍ବର ମାସରେ ଅତି ତରବରିଆ ଭାବେ ଜାଲିଆତି କରି ଲକ୍ଷ ଲକ୍ଷ ଟଂକାର ଜମି ପଟ୍ଟା ପ୍ରଦାନ କରାଯିବା ଘଟଣାରେ ଦୁଇ ଜଣ ନିଳମ୍ବିତ ହୋଇଥିବା ବେଳେ ଏହି ଘଟଣା ଜିଲ୍ଲା ଓ ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହି ଚର୍ଚ୍ଚା ଥମି ନଥିବା ବେଳେ କାଲିମେଳା ତହିସଲର ବରିଷ୍ଠ କିରାଣୀ ଶଶି ଶେଖର ସେଠୀ ୫୦ ହଜାର ଟଂକା ଲାଞ୍ଚ ନେଉଥିବା ଭିଡିଓ ଏବେ ଭାଇରାଲ ହେବାକୁ ଲାଗିଛି। ଭିଡିଓରେ ବରିଷ୍ଠ କିରାଣୀ ଜଣେ ବ୍ୟକ୍ତିଙ୍କ ଠାରୁ ୫୦ ହଜାର ଟଂକା ଲାଞ୍ଚ ନେଇ ପୁଣି ବାକି ଟଂକା ତୁରନ୍ତ ଦେବାକୁ ଅନୁରୋଧ କରୁଥିବା ଦେଖିବାକୁ ମିଳିଛି।

୬ ଜଣଙ୍କ ପଟ୍ଟାକୁ ସରକାରୀ ୱେବସାଇଟ୍‌ରେ  ଅପଲୋଡ କରିବା ପାଇଁ କୁଆଡେ କିରାଣୀ ଶ୍ରୀ ସେଠୀ ଭେଜେଙ୍ଗଵାଡା ଅଂଚଳର ଜଣେ ବ୍ୟକ୍ତିଙ୍କୁ ଦେଢ ଲକ୍ଷ ଟଂକା ମାଗିଥିଲେ। ଅଫିସରେ କୌଣସି ଏକ ଜିନିଷ କିଣାଯିବ କହି ମୁଖ୍ୟ କିରାଣୀ ଶ୍ରୀ ସେଠୀ ସେହି ବ୍ୟକ୍ତିଙ୍କ ଠାରୁ ଟଂକା ନେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଅନ୍ଧାରରେ କିରାଣୀ କଳା ଟଂକା ନେଉଥିବା ଦେଖିବାକୁ ମିଳିଛି। ସେହି ବ୍ୟକ୍ତି ଜଣକ କିରାଣୀଙ୍କୁ ତିନୋଟି କିସ୍ତିରେ ଦେଢ ଲକ୍ଷ ଟଂକା ଦେବାକୁ ପ୍ରତିଶ୍ରୁତି ଦେଉଥିବା ବେଳେ କିରାଣୀ କିନ୍ତୁ ତୁରନ୍ତ ଏହି ଟଂକା ପ୍ରଦାନ କରିବାକୁ କହୁଥିବା ଭିଡିଓରେ ଦେଖିବାକୁ ମିଳିଛି।

ତେବେ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି। କାଲିମେଳା ତହସିଲରେ ଟଂକା କାରବାର କିଛି ନୂଆ କଥା ନୁହେଁ। ଗରିବ ଆଦିବାସୀଙ୍କୁ ଓପିଏଲଇ ଆଇନ ଅନୁଯାୟୀ ପଟ୍ଟା ଦେବା ସହ ଥଇଥାନ କରିବାକୁ ରାଜ୍ୟ ସରକାରଙ୍କର ନିର୍ଦେଶ ରହିଥିଲେ ମଧ୍ୟ ଏହାକୁ ଉଲଙ୍ଘନ କରି ତହସିଲ କାର୍ଯ୍ୟାଳୟର ସରକାରୀ ବାବୁମାନେ କାଲିମେଳା ଅଂଚଳର ବଡବଡିଆ ବାବୁମାନଙ୍କ ଠାରୁ ମୋଟା ଅଂକର ଟଂକା ନେଇ ପଟ୍ଟା ପ୍ରଦାନ କରିଛନ୍ତି।  ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ଜିଲ୍ଲାପାଳ ଏହାର ତଦନ୍ତ କରି ଜଣେ ରାଜସ୍ବ ନିରୀକ୍ଷକ ସୁରେଶ ପୂଜାରୀ ଏବଂ ଦିବ୍ୟସିଂ ପାଇକରାୟ ନାମକ କିରାଣୀଙ୍କୁ ନିଳମ୍ବିତ କରିଥିବା ବେଳେ ତହିସଲଦାରଙ୍କୁ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ବୋଲି ପ୍ରଶ୍ନ କରାଯାଇଛି।

କାଲିମେଳା ତହସିଲ କାର୍ଯ୍ୟାଳୟରେ ଖୋଳତାଡ କଲେ ଆହୁରି କେତେ କାଳେଙ୍କାରୀ ପଦାକୁ ଆସିବ ବୋଲି ସାଧାରଣରେ ଆଲୋଚନା ଜୋର ଧରିଛି। ଏହି ଭିଡିଓର ତଦନ୍ତ କରାଯାଇ ଟଂକା ନେଉଥିବା ମୁଖ୍ୟ କିରାଣୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର