ବୀର ସୁରେନ୍ଦ୍ର ସାଏ ଏୟାର୍ ପୋର୍ଟ: ମନଇଚ୍ଛା ଉଡ଼ାଣ ଯୋଗୁ ବଢ଼ୁଛି ଅସନ୍ତୋଷ 

ଝାରସୁଗୁଡା: ହାୱାଇ ଚପଲ ପିନ୍ଧୁଥିବା ସାଧାରଣ ଲୋକ ହାୱାଇ ଜାହାଜରେ ଉଡ଼ିବା ପାଇଁ କେନ୍ଦ୍ର ସରକାର ‘ଉଡ଼ାନ’ ବା ‘ଉଡ଼େ ଦେଶ କେ ଆମ ନାଗରିକ’ ଯୋଜନା କାର୍ଯ୍ୟକାରୀ କରିଥିଲେ। ଏଥିରେ ଝାରସୁଗୁଡ଼ାର ବିମାନ ବନ୍ଦରକୁ ସାମିଲ କରାଯାଇଥିଲା। ଝାରସୁଗୁଡ଼ାରେ ଥିବା ବିମାନ ବନ୍ଦରର ଏକ ଐତିହାସିକ ପୃଷ୍ଠଭୂମି ଥିଲା। ଦ୍ବିତୀୟ ବିଶ୍ବଯୁଦ୍ଧ ବେଳେ ସୈନିକମାନଙ୍କୁ ନେବା ଆଣିବା ପାଇଁ ଏଠାରେ ଇଂରେଜ ଶାସନ ବେଳେ ଏକ ବିମାନ ବନ୍ଦର ପ୍ରତିଷ୍ଠା କରାଯାଇଥିଲା।

ଏହି ବିମାନ ବନ୍ଦରର ଉନ୍ନତୀକରଣ ସହ ଉଡ଼ାନ ଯୋଜନାରେ ସାମିଲ କରାଯାଇଥିଲା। ଏଥି ପାଇଁ ରାଜ୍ୟ ସରକାର ମଧ୍ୟ ଅକୁଣ୍ଠ ସହଯୋଗ କରିଥିଲେ। ଫଳରେ ଗତ ୨୨.୯.୨୦୧୮ରେ ଏହି ବିମାନ ବନ୍ଦରକୁ ପ୍ରଧାନମନ୍ତ୍ରୀ ନିଜେ ଆସି ଉଦ୍‌ଘାଟନ କରିଥିଲେ। ପରେ ଏହି ବିମାନ ବନ୍ଦର ନାମକରଣ କରାଯାଇ ବୀର ସୁରେନ୍ଦ୍ର ସାଏ ଏୟାରପୋର୍ଟ ରଖାଯାଇଥିଲା। ଉଦ୍‌ଘାଟନ ପରେ ପ୍ରଥମେ ଏୟାର ଓଡ଼ିଶା ‌ସେବା ଆରମ୍ଭ କରିଥିଲା।

ମାତ୍ର କିଛି ଦିନ ପରେ ଏହା ବନ୍ଦ ହୋଇ ଯାଇଥିଲା। ବହୁ ଦିନ ପରେ ଏଠାରେ ଏଲାୟେନ୍ସ ଏୟାର ଓ ସ୍ପାଇସ୍‌ ଜେଟ ତାଙ୍କର ବିମାନ ସେବା ଆରମ୍ଭ କରିଥିଲେ। ତେବେ ଆଇଏଲ୍‌ଏସ୍‌ ବା ଇନଷ୍ଟ୍ରୁମେଣ୍ଟାଲ ‌ଲ୍ୟାଣ୍ଡିଂ ସିଷ୍ଟମ ନଥିବା ଦର୍ଶାଇ ବିମାନ ଏଠାରେ ଅବତରଣ କରିବା ଓ ଉଡ଼ାଣ କରିବା ସମ୍ଭବ ହେଉ ନଥିବାରୁ ବହୁ ସମୟରେ ବିମାନ ସେବା ବାତିଲ ହେଉଥିଲା। ପରେ ଏହି ସିଷ୍ଟମ ସ୍ଥାପନ ହେଲା। ଏଠାରୁ ଏଲାୟେନ୍ସ ଏୟାର ଭୁବନେଶ୍ବର, କୋଲକାତା, ରାୟପୁରକୁ ବିମାନ ସେବା ଯୋଗାଉଥିବା ବେଳେ ସ୍ପାଇସ୍‌ ଜେଟ୍‌ ହାଇଦ୍ରାବାଦ, କୋଲକାତା ଓ ଦିଲ୍ଲୀକୁ ବିମାନ ସେବା ଯୋଗାଉଛି। ସ୍ପାଇସଜେଟ୍‌ ଏହି ବିମାନ ବନ୍ଦରରୁ ଚେନ୍ନାଇ, ବାଙ୍ଗାଲୁରୁ, ମୁମ୍ବାଇକୁ ମଧ୍ୟ ବିମ‌ାନ ସେବା ଆରମ୍ଭ କରିଥିଲା।

ମାତ୍ର ଏହି ବିମାନ ସେବା ଅନିୟମିତ ଭାବରେ ଚାଲିଥିବା ବେଳେ ଅଧିକାଂଶ ଦିନ ବାତିଲ ହୋଇଯାଉଥିଲା। ଫଳରେ ଏହି ରୁଟ୍‌ରେ ଆବଶ୍ୟକତା ଥିବା ସତ୍ତ୍ବେ ଯାତ୍ରୀ ଝାରସୁଗୁଡ଼ା ବିମାନ ବନ୍ଦରକୁ ବିଶ୍ବାସ କରିନଥିଲେ। ପଶ୍ଚିମ ଓଡ଼ିଶାର ବହୁ ଛାତ୍ରଛାତ୍ରୀ, ଆଇଟିରେ ଚାକିରି କରୁଥିବା ଯୁବକ/ଯୁବତୀ ବାଙ୍ଗାଲୁରୁରେ ରହୁଥିବା ବେଳେ ସେମାନେ ଓ ତାଙ୍କ ଅଭିଭାବକମାନେ ଝାରସୁଗୁଡ଼ା-ବଙ୍ଗାଲୁରୁ ବିମାନ ସେବାକୁ ସ୍ବାଗତ କରିଥିଲେ। ଏହି ରୁଟ୍‌ ସଫଳ ମଧ୍ୟ ହୋଇଥିଲା। ମାତ୍ର ସ୍ପାଇସ୍‌ ଜେଟ୍‌ ଏହି ବିମାନ ସେବାକୁ ମନଇଚ୍ଛା ଚଳାଇଥିଲା। ଜୁନ ମାସରେ କିଛି ଦିନ ବାଙ୍ଗାଲୁରୁ ଠିକ୍‌ଠାକ୍‌ ଚାଲିଥିବା ବେଳେ ଚଳିତ ମାସରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହା ବନ୍ଦ ରହିଛି।

ମୁମ୍ବାଇ ରୁଟ୍‌ରେ ୩ ଥର ବିମାନ ଚଳାଇ ବନ୍ଦ କରି ଦିଆଗଲାଣି। ଚେନ୍ନାଇ ରୁଟ୍‌ ମଧ୍ୟ ବନ୍ଦ କରି ଦିଆଯାଇଛି। ଏଲାୟେନ୍ସ ଏୟାର୍‌ ମଝିରେ ବାରାଣାସୀକୁ ବିମାନ ସେବା ବୃଦ୍ଧି କରିଥିଲେ ମଧ୍ୟ ପରେ ବନ୍ଦ କରି ଦେଇଥିଲା। ପାଟନା ଦେଇ ଗୌହାଟି ମଧ୍ୟରେ କିଛି ଦିନ ବିମାନ ଉଡ଼ାଣ ମଧ୍ୟ ହୋଇ ବନ୍ଦ ହୋଇଯାଇଛି। ଦିଲ୍ଲୀ ରୁଟ୍‌ ନିୟମିତ ଚାଲୁଥିବାରୁ ଏହି ବିମାନ ଯାତ୍ରୀଙ୍କ ବିଶ୍ବାସଭାଜନ ହୋଇପାରିଛି। ମାତ୍ର ଅନ୍ୟ କୌଣସି ରୁଟ୍‌ର ବିମାନ ସେବାରେ କୌଣସି ଗ୍ୟାରେଣ୍ଟି ନାହିଁ। ଗତ ଦୁଇ ବର୍ଷ କରୋନା ମହାମାରୀ ଫଳରେ ସାରା ଦେଶରେ ବିମାନ ସେବା ବିପର୍ଯ୍ୟସ୍ତ ହୋଇଥିଲା। ଏହି ସମୟରେ ମଧ୍ୟ ଝାରସୁଗୁଡ଼ା ବିମାନ ବନ୍ଦର ଆଶାତୀତ ସଫଳତା ପାଇଥିଲା। ଉଡ଼ାନ ଯୋଜନାରେ ଦେଶର ଯେତିକି ବିମାନ ବନ୍ଦର କାର୍ଯ୍ୟକାରୀ ହେଉଛି ସେଥି ମଧ୍ୟରୁ ଝାରସୁଗୁଡ଼ା ଶ୍ରେଷ୍ଠ ସ୍ଥାନ ପାଇଥିବାରୁ ଏଠାରେ କେନ୍ଦ୍ର ସରକାର ଉଡ଼ାନ ଉତ୍ସବ ପାଳନ କରିଥିଲେ। ଦିଲ୍ଲୀ ରୁଟ୍‌ ଶତ ପ୍ରତିଶତ ସଫଳ ହୋଇଥିବା ବେଳେ ଅନ୍ୟାନ୍ୟ ରୁଟ୍‌ରେ ମଧ୍ୟ ଯାତ୍ରୀ ସଂଖ୍ୟା କୌଣସି ଗୁଣରେ କମ୍‌ ନୁହନ୍ତି। ମାତ୍ର ମନ ଇଚ୍ଛା ବିମାନ ଚଳାଇବା ଓ ବନ୍ଦ କରିବା ଫଳରେ ଯାତ୍ରୀ ଏବେ ଝାରସୁଗୁଡ଼ା ବିମାନ ବନ୍ଦର ପ୍ରତି ବିମୁଖ ହେଲେଣି।

ସମ୍ବନ୍ଧିତ ଖବର