ସମ୍ବଲପୁର : ବୀର ସୁରେନ୍ଦ୍ର ସାଏ ଅମର‌୍‌ ରହେ। ନେତାଜୀ ସୁଭାଷ ଚନ୍ଦ୍ର ବୋଷ କି ଜୟ। ବନ୍ଦେ ମାତରମ୍‌, ଭାରତ ମାତା କି ଜୟ। ଏଭଳି ସ୍ଳୋଗାନରେ ପ୍ରକମ୍ପିତ ହୋଇଥିଲା ଐତିହାସିକ ସହର ସମ୍ବଲପୁରର ରାସ୍ତାଘାଟ। ସହରର ୪୦ରୁ ଅଧିକ ଶିକ୍ଷାନୁଷ୍ଠାନର ୨ ହଜାରରୁ ଊର୍ଦ୍ଧ୍ବ ଉତ୍ସାହୀ ଛାତ୍ରଛାତ୍ରୀ ଓ ଶିକ୍ଷକ, ଶିକ୍ଷୟିତ୍ରୀ, ବିଭିନ୍ନ ସଂଗଠନର ସଦସ୍ୟ, ଦେଶପ୍ରେମୀ ନାଗରିକ ଏକ ବିଶାଳ ପଦଯାତ୍ରାରେ ବାହାରି ଓଡ଼ିଶା ମାଟିର ଦୁଇ ମହାନ୍ ବୀର ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସ˚ଗ୍ରାମୀ ବୀର ସୁରେନ୍ଦ୍ର ସାଏ ଏବ˚ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ‘ସମ୍ବାଦ ପକ୍ଷରୁ ଏହି ପଦଯାତ୍ରା ସମେତ ଅନେକ କାର୍ଯ୍ୟକ୍ରମ ଆୟୋଜନ କରା ଯାଇଥିଲା। ସୋମବ‌ାର ଭୋରରୁ ସହର ସାରା ଏକ ଗାଡ଼ି ପରିକ୍ରମା କରି ରାମଧୁନ ପରିବେଷଣ କରିଥିଲା। ସକାଳୁ ସୁରେନ୍ଦ୍ର ସାଏଙ୍କ ପବିତ୍ର ଜନ୍ମପୀଠ ଖିଣ୍ତାରୁ ଏକ ସୁସଜ୍ଜିତ ଗାଡ଼ିରେ ସ୍ଥାନୀୟ ଯୁବକମାନେ ବୀରଜ୍ୟୋତି (ମଶାଲ) ନେଇ ଅଇଁଠାପାଲିରେ ପହଞ୍ଚିଥିଲେ। ସେଠାରୁ ବଜରଂଗ ଦଳର ସଦସ୍ୟମାନେ ଏକ ବାଇକ୍ ରାଲିରେ ଉକ୍ତ ମଶାଲକୁ ଉତ୍ସବସ୍ଥଳ କମିସନର୍ସ କଲୋନି ଗାନ୍ଧୀ ପାର୍କ ପର୍ଯ୍ୟନ୍ତ ପାଛୋଟି ଆଣିଥି‌ଲେ। ସେଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ପରେ ଠିକ୍ ସକାଳ ୮ଟାରେ ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ ପତାକା ଦେଖାଇ ପାର୍କରୁ ପଦଯାତ୍ରାର ଶୁଭାରମ୍ଭ କରିଥିଲେ। ରାଲି ଜେଲ୍‌ ଛକରେ ପହଞ୍ଚିବା ପରେ ଅତିଥି ଶ୍ରୀ ଆଚାର୍ଯ୍ୟ, ସମ୍ବାଦର ଉପମହାପ୍ରବନ୍ଧକ (ବାର୍ତ୍ତା) ସୁବ୍ରତ ନାୟକ ଓ ଅନ୍ୟମାନେ ବୀର ସୁରେନ୍ଦ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

Advertisment

ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୀରବେଶ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। କୁନିକୁନି ପିଲାମାନେ ବୀର ସୁରେନ୍ଦ୍ର ଏବଂ ସୁଭାଷ ବୋଷଙ୍କ ବେଶରେ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଉକ୍ତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କ ସମେତ ପ୍ଲାକାର୍ଡ ପ୍ରତିଯୋଗିତା ଓ ୯ ଦିନ ଧରି ଚାଲିଥିବା କୁଇଜ୍ ପ୍ରତିଯୋଗିତାର ବିଜୟୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରା ଯାଇଥିଲା। ଉପମହାପ୍ରବନ୍ଧକ ସୁବ୍ରତ ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ‌ପୁରସ୍କାର ବିତରଣ ସଭାରେ ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଅାଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମସ୍ତ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ଏହି ଅବସରରେ ବୀର ସୁରେନ୍ଦ୍ର ସାଏ ଏବଂ ନେତାଜୀଙ୍କ ଉପରେ ପ୍ରସ୍ତୁତ ସାପ୍ତାହିକ ‘ଜୁଗାର’ର ସ୍ବତନ୍ତ୍ର ସଂଖ୍ୟା ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ସସ୍ମିତା ପଟ୍ଟନାୟକ ସଂଯୋଜନା କରିଥିଲେ। ‘ସମ୍ବାଦ’ ସହକାରୀ ମହାପ୍ରବନ୍ଧକ ଗଜେନ୍ଦ୍ରନାଥ ମଲ୍ଲିକ ସ୍ବାଗତ ଭାଷଣ ଦେଇଥିଲେ। ଶେଷରେ ବରିଷ୍ଠ ଜିଲ୍ଲା ପ୍ରତିନିଧି ରତ୍ନାକର ଭୋଇ ଧନ୍ୟବାଦ ଦେଇଥିଲେ।