ଭିମ୍‌ସାରକୁ ପ୍ରତାରଣା! : ଏମ୍‌ସିଏଚ୍‌ କେନ୍ଦ୍ର ସ୍ଥାପନ ନେଇ ଆଶଙ୍କା

ବୁର୍ଲା : ଭିମ୍‌ସାର୍‌ ପ୍ରତାରିତ ହେଉଛି। ଜାତୀୟ ସ୍ୱାସ୍ଥ୍ୟ ମିସନରେ ଭିମ୍‌ସାରରେ ହେବାକୁ ଥିବା ମେଟର୍ନିଟି ଆଣ୍ଡ୍‌ ଚାଇଲଡ୍‌ ହେଲ୍ଥ (ଏମ୍‌ସିଏଚ୍‌) ସେଣ୍ଟର ସ୍ଥାପନ ନେଇ ଆଶଙ୍କା ଦେଖାଯାଇଛି।

୨୦୧୭ ଅଗଷ୍ଟ ୩୦ ତାରିଖ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା ଭିମ୍‌ସାର କ୍ୟାମ୍ପସରେ ଏହାର ଶିଳାନ୍ୟାସ କରିଥିଲେ। ଏନଏଚଏମ ଅନ୍ତର୍ଗତ ରାଜ୍ୟସରକାର ୨୧ କୋଟି ବ୍ୟୟ ବହନ କରିବେ ଏବଂ କେନ୍ଦ୍ର ସରକାର ୫୭ କୋଟି ଯୋଗାଇବେ ବୋଲି କୁହାଯାଇଥିଲା। ଏଥିପାଇଁ ମୋଟ ୫ ମହଲା ବିଶିଷ୍ଟ ବିଲଡିଂ ନିର୍ମାଣ କରାଯିବା ଯୋଜନା ରହିଥିଲା। ମାତ୍ର, ଭିମ୍‌ସାର୍‌ରେ ଏମ୍‌ସିଏଚ୍‌ କେନ୍ଦ୍ରର ନିର୍ମାଣ ପାଇଁ ସ୍ଥାନ ମଧ୍ୟ ଚିହ୍ନଟ ସରିଥିବା ବେଳେ ଉକ୍ତ ପ୍ରକଳ୍ପ ଭିମ୍‌ସାର ପରିବର୍ତ୍ତେ ରାଜ୍ୟର ଅନ୍ୟ ଏକ ମେଡିକାଲ କଲେଜରେ ସ୍ଥାପନ କରାଯିବାକୁ ଉଦ୍ୟମ ହେଉଥିବା ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି।

ଏ ସମ୍ପର୍କରେ ପ୍ରତିକ୍ରିୟା ବ୍ୟକ୍ତ କରି କିଛି ବୁଦ୍ଧିଜୀବୀ କହିଛନ୍ତି ଯେ, ‘ଭିମ୍‌ସାର ସ୍ତ୍ରୀରୋଗ ଓ ପ୍ରସୂତି ଚିକିତ୍ସା ବିଭାଗ ଉପରେ ପଶ୍ଚିମ ଓଡ଼ିଶାର ୧୧ଟି ଜିଲ୍ଲା ସମେତ ପଡ଼ୋଶୀ ରାଜ୍ୟ ଛତିଶଗଡ଼ ଓ ଝାଡ଼ଖଣ୍ଡ ସୀମାଞ୍ଚଳର ରୋଗୀ ନିର୍ଭର କରିଥାନ୍ତି। ବିଭାଗରେ ୩ଟି ୱାର୍ଡରେ ମୋଟ ୧୫୦ଟି ଶଯ୍ୟା ରହିଛି। ମାତ୍ର ଶଯ୍ୟା ତୁଳନାରେ ଭର୍ତ୍ତିି କରାଯାଉଥିବା ରୋଗୀ ସଂଖ୍ୟା ଦୁଇ ଗଣ ଅଧିକ ରହୁଥିବାରୁ ପ୍ରସୂତିମାନେ ନବଜାତକ ଶିଶୁଙ୍କୁ ନେଇ ଅଧାରୁ ଅଧିକ ଚଟାଣରେ ରହି ଚିକିତ୍ସିତ ହେଉଛନ୍ତି।’ ଏପରିସ୍ଥଳେ ଭିମ୍‌ସାର୍‌ରେ ଏମ୍‌ସିଏଚ୍‌ ପ୍ରତିଷ୍ଠା ନ ହେବା ନିଷ୍ପତ୍ତି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଏହି ବୁଦ୍ଧିଜୀବୀମାନେ କହିଛନ୍ତି। ଏ ସଂପର୍କରେ ଭିମ୍‌ସାର ନିର୍ଦ୍ଦେଶକ ପ୍ରଫେସର ଡା.ଅଶ୍ୱିନୀ ପୂଜାହାରୀ କହିଛନ୍ତି, ଭିମ୍‌ସାର ପକ୍ଷରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଛି। ପତ୍ର ମଧ୍ୟ ଲେଖାଯାଇଛି। ମାତ୍ର ଏଯାଏ କୌଣସି ଉତ୍ତର ହସ୍ତଗତ ହୋଇନାହିଁ। ଆମେ ମଧ୍ୟ ଏକ ପ୍ରକାର ଆଶଙ୍କାରେ ରହିଛୁ ବୋଲି ସେ ସ୍ୱୀକାର କରିଛନ୍ତି।

ସମ୍ବନ୍ଧିତ ଖବର