ଜୟନ୍ତୀରେ ବୀର ସୁରେନ୍ଦ୍ର ସାଏ ଓ ନେତାଜୀଙ୍କୁ ‘ସମ୍ବାଦ’ର ଶ୍ରଦ୍ଧାର୍ପଣ : ସଂଗ୍ରାମୀଙ୍କ ବୀରଗାଥାରେ ଉଦ୍‌ବୁଦ୍ଧ ଜନତା

ସମ୍ବଲପୁର : ‘ବୀର ସୁରେନ୍ଦ୍ର ସାଏ ଅମର‌୍‌ ରହେ। ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅମର୍‌ ରହେ। ଭାରତ ମାତା କି ଜୟ। ବନ୍ଦେ ମାତରମ୍‌..’ ଏଭଳି ସ୍ଳୋଗାନ୍‌ ଏବଂ ‘ହମ୍‌ ଜିଏଙ୍ଗେ ଔର ମରେଙ୍ଗେ ଏ ବତନ୍‌ ତେରେ‌ଲିଏ..’ ଗୀତରେ ସମ୍ବଲପୁରର ମୁଖ୍ୟରାସ୍ତା ଆଜି ପ୍ରକମ୍ପିତ ହୋଇ ଉଠିଥିଲା। ମହାନ୍‌ ସ୍ବାଧୀନତା ସ˚ଗ୍ରାମୀ ବୀର ସୁରେନ୍ଦ୍ର ସାଏ ଏବ˚ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ବିଶାଳ ଶୋଭାଯାତ୍ରାରେ ସହରର ବିଭିନ୍ନ ଘରୋଇ ଓ ସରକାରୀ ସ୍କୁଲ୍‌ କଲେଜର ପ୍ରାୟ ୧୩୦୦ ଛାତ୍ରଛାତ୍ରୀଙ୍କ ସହ ବିଭିନ୍ନ ଅନୁଷ୍ଠାନ ଓ ସଂଗଠନର ୨୦୦ କର୍ମକର୍ତ୍ତା ସାମିଲ ହୋଇ ଦୁଇ ବୀର ସ˚ଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ଏଥିପାଇଁ ଗୁରୁବ‌ାର ସକାଳୁ ସମ୍ବଲପୁର କମିସନର କଲୋନି ଫୋର୍‌ ସି ପଡ଼ିଆସ୍ଥିତ ଗାନ୍ଧୀ ପାର୍କ ଲୋକାରଣ୍ୟ ହୋଇ ଉଠିଥିଲା। ବିଭିନ୍ନ ସ୍ଥାନରୁ ଛାତ୍ରଛାତ୍ରୀ ଓ ସଂଗଠନ ସଦସ୍ୟମାନେ ସେଠାରେ ସମବେତ ହୋଇଥିଲେ। ଏଥିସହ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମପୀଠ ଖିଣ୍ତାରୁ ୨୦ ଜଣ ଯୁବକ ମଶାଲ ନେଇ ଏକ ରାଲିରେ ଆସି ସେଠାରେ ପହଞ୍ଚିଥିଲେ। ସକାଳ ୮ଟାରେ ପାର୍କରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ପରେ ରେଢ଼ାଖୋଲ ବିଧାୟକ ତଥା ସରକାରୀ ଦଳ ଉପମୁଖ୍ୟ ସଚେତକ ଇଂ ରୋହିତ ପୂଜାରୀ, ପୂର୍ବତନ ସାଂସଦ ଭବାନୀ ଶଂକର ହୋତା ପତାକା ଦେଖାଇ ପାର୍କରୁ ପଦଯାତ୍ରାର ଶୁଭାରମ୍ଭ କରିଥିଲେ। ପଦଯାତ୍ରା ଜେଲ୍‌ଛକ ନିକଟ ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ନିକଟରେ କିଛି ସମୟ ପାଇଁ ଅଟକିଥିଲା। ସେଠାରେ ପ୍ରତିମୂର୍ତ୍ତିରେ ଅତିଥିମାନେ ମାଲ୍ୟାର୍ପଣ କରିବା ପରେ ପୁଣି ଶୋଭାଯାତ୍ରା ଆଗକୁ ବଢ଼ିଥିଲା। ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାର ସ୍ଳୋଗାନ ଦେଇ, ପ୍ଲାକାର୍ଡ ଓ ବ୍ୟାନର‌୍‌ ଧରି ଶୋଭାଯାତ୍ରାରେ ଚାଲିଥିଲେ। ଦେଶାତ୍ମବୋଧକ ସଂଗୀତ ଓ ସ୍ଳୋଗାନ୍‌ରେ ସହର ମୁଖରିତ ହୋଇଉଠିଥିଲା। ‘ବୃକ୍ଷ ହିଁ ଜୀବନ ଶୀର୍ଷକ ପ୍ଲା-କାର୍ଡ’ ପ୍ରତିଯୋଗିତା ପାଇଁ ଛାତ୍ରଛାତ୍ରୀମାନଙ୍କ ପ୍ଲାକାର୍ଡଗୁଡ଼ିକରେ ବୃକ୍ଷ ରୋପଣ, ଜଙ୍ଗଲ ନଷ୍ଟ ରୋକିବା ଦିଗରେ ସଚେତନତା ବାର୍ତାମାନ ଲେଖାଯିବା ସହ ଚିତ୍ର ରହିଥିଲା। ଶୋଭାଯାତ୍ରାରେ ସମ୍ମୁଖ ଭାଗରେ ଏକ ସୁସଜ୍ଜିତ ଖୋଲା ଜିପ୍‌ରେ ବୀର ସୁରେନ୍ଦ୍ର ସାଏ ଏବ˚ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଫଟୋଚିତ୍ର ଶୋଭା ପାଉଥିଲା। ଖିଣ୍ତାରୁ ଆସିଥିବା ମଶାଲ ଶୋଭାଯାତ୍ରାର ଆଗେ ଆଗେ ଚାଲିଥିଲା। ଏହି ବିଶାଳ ଶୋଭାଯାତ୍ରା ଜେଲ୍‌ ଛକ, ଭୁତାପଡ଼ା ଛକ, ଜିଲ୍ଲା ସ୍କୁଲ ଛକ ଦେଇ ଲକ୍ଷ୍ମୀ ଟକିଜ ନିକଟରେ ପହଞ୍ଚିବା ପରେ ସେଠାରୁ ସମାନ ରାସ୍ତାରେ ଫୋର୍‌ ସି ପାର୍କକୁ ଫେରିଥିଲା। ସେଠାରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା।

‘ସମ୍ବାଦ’ର ଉପମହାପ୍ରବନ୍ଧକ ଦେବେନ୍ଦ୍ର ସାମନ୍ତରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ଉତ୍ତରାଞ୍ଚଳ ରାଜସ୍ବ କମିସନର ନିରଞ୍ଜନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଜେଲ୍‌ ଛକ ସ୍ଥିତ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ଶ୍ରୀ ସାହୁ ସମବେତ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇଥିଲେ। କ୍ରୀଡ଼ା ସଂଗଠକ ସାବିର ହୁସୈନଙ୍କ ସମେତ ପ୍ଲା-କାର୍ଡ ପ୍ରତିଯୋଗିତାର ତିନି ବିଚାରକ ମୁକ୍ତକଣ୍ଠ ପ୍ରଧାନ, ଡ. ମନୋଜ ପଣ୍ଡା ଓ ଅଧ୍ୟାପକ ଡ.ଅଖିଳ ବିଶ୍ବାଳ ମଞ୍ଚାସୀନ ଥିଲେ। ବରିଷ୍ଠ ସହସଂପାଦକ ଲକ୍ଷ୍ମୀନାରାୟଣ ହୋତା କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ବରିଷ୍ଠ ଜିଲ୍ଲା ପ୍ରତିନିଧି ଜ୍ଞାନ ରଞ୍ଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ‘ସମ୍ବାଦ’ ସମ୍ବଲପୁର ସଂସ୍କରଣ ଶାଖା ପରିଚାଳକ ଗ‌ଜେନ୍ଦ୍ରନାଥ ମଲ୍ଲିକ ଓ ବିଜ୍ଞାପନ ବିଭାଗ କ୍ଷେତ୍ରୀୟ ପ୍ରବନ୍ଧକ ରାକେଶ ମିଶ୍ରଙ୍କ ତତ୍ତ୍ବାବଧାନରେ ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର