ଦୁବାଇସ୍ଥିତ ଭାରତୀୟ ଦୂତାବାସରେ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନ

ଭୁବନେଶ୍ବର: ମହାନ ବିପ୍ଳବୀ ତଥା ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ୨୧୫ତମ ଜନ୍ମ ବାର୍ଷିକୀ ସଂଯୁକ୍ତ ଆରବ ଏମିରେଟ୍ସର ଦୁବାଇରେ ଗତ ୨୩ ତାରିଖରେ ପାଳିତ ହୋଇଯାଇଛି। ଭାରତୀୟ ଦୂତାବାସରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦୁବାଇର ଓଡ଼ିଆ ସମ୍ପ୍ରଦାୟର ସଦସ୍ୟମାନେ ସାମିଲ ହୋଇ ବୀର ସୁରେନ୍ଦ୍ର ସାଏଙ୍କ ସାହସିକତା ଏବଂ ବୀରତ୍ୱକୁ ମନେ ପକାଇବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହା ସହିତ ‘ପରାକ୍ରମ ଦିବସ’ ଭାବରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ ତମ ଜନ୍ମ ବାର୍ଷିକୀ ମଧ୍ୟ ପାଳନ କରାଯାଇଥିଲା। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ବାଧୀନତା ସଂଗ୍ରାମୀମାନଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ପରେ ବୀର ସୁରେନ୍ଦ୍ର ସାଏଙ୍କ ଜୀବନୀ ଏବଂ ସେହି ସମୟର ସଂଗ୍ରାମ ଉପରେ ଭିଡିଓ ପ୍ରଦର୍ଶିତ ହୋଇଥିଲା।

କାର୍ଯ୍ୟକ୍ରମରେ ଦୁବାଇର ଭାରତୀୟ କନସୁଲ୍ ଜେନେରାଲ୍ ଡ. ଅମନ ପୁରୀ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଦୁଇ ଟାଣୁଆ ନେତା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ସମ୍ପର୍କରେ ଆଲୋକପାତ କରିଥିଲେ। ବୀର ସୁରେନ୍ଦ୍ର ସାଏ ଜଣେ ଆଦର୍ଶ ଏବଂ ଆଜି ଆମ ସମସ୍ତଙ୍କ ପାଇଁ ତାଙ୍କ ବଳିଦାନ ବିଷୟରେ ଅଧିକ ଜାଣିବା ପାଇଁ ଏକ ସୁଯୋଗ ବୋଲି ଡ. ପୁରୀ କହିଥିଲେ। ଓଡ଼ିଆ ସମ୍ପ୍ରଦାୟର ବରିଷ୍ଠ ସଦସ୍ୟ କ୍ୟାପଟେନ ସୌମ୍ୟ ରଂଜନ ପଟ୍ଟନାୟକ, ବୀର ସୁରେନ୍ଦ୍ର ସାଏଙ୍କ ସଂକ୍ଷିପ୍ତ ଜୀବନ ଇତିହାସ ସମ୍ପର୍କରେ ଆଲୋଚନା କରିଥିଲେ।

ବିଶ୍ୱର କୌଣସି ଦୂତାବାସରେ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ବାର୍ଷିକୀ ପାଳନ କରାଯାଇ ନଥିବାବେଳେ ଦୁବାଇ ସ୍ଥିତ ଦୂତାବାସରେ ପ୍ରଥମ ଥର ପାଇଁ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ବାର୍ଷିକୀ ପାଳନ କରାଯାଇଥିଲା। ଏହି ସ୍ମୃତିଚାରଣ ସମଗ୍ର ଓଡ଼ିଆଙ୍କ ପାଇଁ ଏକ ଭାବପ୍ରବଣ ମୂହୁର୍ତ୍ତ ଥିଲା ବୋଲି ପ୍ରିୟଦର୍ଶୀ ପାଣିଗ୍ରାହୀ କହିଥିଲେ। ସୁରେନ୍ଦ୍ର ସାଏଙ୍କର ସଂଗ୍ରାମ ତଥା ବଳିଦାନର ପ୍ରଚାର କରିବା ପାଇଁ ଆହୁରି ଅନେକ କିଛି କରିବା ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ୟୁଏଇର ଦୁବାଇରେ କ୍ରମାଗତ ଚତୁର୍ଥ ବର୍ଷ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ବାର୍ଷିକୀ ପାଳନ ହୋଇଆସୁଛି। ଭାରତ ବାହାରେ ପ୍ରଥମ ଥର ପାଇଁ ୨୦୨୦ ମସିହାରେ ଦୁବାଇରେ ଏହା ପ୍ରଥମ ଥର ପାଇଁ ପାଳନ କରାଯାଇଥିଲା ଏବଂ ସେହି ଦିନଠାରୁ ଏହାକୁ ପ୍ରତିବର୍ଷ ପାଳନ କରାଯାଉଛି। କାର୍ଯ୍ୟକ୍ରମରେ ବୀର ସୁରେନ୍ଦ୍ର ସାଏଙ୍କ ଜୀବନ ଏବଂ ସେହି ସମୟକୁ ଲୋକଙ୍କ ହୃଦୟରେ ସାଇତି ରଖିବା ପାଇଁ ତାଙ୍କ ସହ ଜଡିତ ବସ୍ତୁ ବିଶେଷକୁ ଡକ୍ୟୁମେଂଟିଂ ବା ଲିଖିତ ଆକାରରେ ରଖିବା ପାଇଁ ଆଲୋଚନା ହୋଇଥିଲା। ତେବେ ଆନୁଷ୍ଠାନିକ ଭାବେ ସୁରେନ୍ଦ୍ର ସାଏଙ୍କ ଜୀବନ କାହାଣୀ ଉପରେ ପର୍ଯ୍ୟବେସିତ ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ ପ୍ରସ୍ତୁତ କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯିବ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା।

ସମ୍ବନ୍ଧିତ ଖବର