ବୁର୍ଲା: ପୁଣି, ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ(ଭିସୁଟ୍‌)ରେ ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଫୁଟବଲ ଖେଳକୁ ‌କେନ୍ଦ୍ରକରି ଭିସୁଟ୍‌ର ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ବିଭାଗର ଜଣେ ଶେଷ ବର୍ଷର ଛାତ୍ର ସନ୍ଦୀପ ସିଂହଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ସମ୍ବଲପୁର ସହର ନିବାସୀ ସନ୍ଦିପ ସିଂହଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ଭିମସାର୍ ଶୈଲ୍ୟ ବିଭାଗରେ ଭର୍ତ୍ତି କରାଯାଇଛି।

Advertisment

ପ୍ରାପ୍ତ ସୂଚନା ଅନୁସାରେ, ଶନିବାର ଦିନ ଭିସୁଟ୍ ପରିସରରେ ଏକ ଫୁଟବଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚରେ ସନ୍ଦିପଙ୍କ ସମେତ ତାଙ୍କ କିଛି ସହପାଠୀ ଖେଳୁଥିବା ବେଳେ ବିପକ୍ଷ ଦଳରେ ଅନ୍ୟ ବିଭାଗର କିଛି ଶେଷ ବର୍ଷର ଛାତ୍ର ଥିଲେ। ତେବେ, କୌଣସି କଥାକୁ ନେଇ ମ୍ୟାଚ୍ ଚାଲୁଥିବା ସମୟରେ ଉଭୟ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରବର୍ତ୍ତୀ ସମୟରେ ଏହାର ସମାଧାନ ମଧ୍ୟ ହୋଇଯାଇଥିଲା। ତେବେ, ରାତି ପ୍ରାୟ ଦେଢଟା ସମୟରେ ବିପକ୍ଷ ଦଳର କିଛି ଛାତ୍ର ସନ୍ଦିପ ରହୁଥିବା ପୁଲହ ଛାତ୍ରାବାସକୁ ପଶି ତାଙ୍କୁ ଅତର୍କିତ ଭାବରେ ଆକ୍ରମଣ କରିଥିଲେ। ଏଥିରେ ସନ୍ଦିପଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହିତ ଶରୀରର ବିଭିନ୍ନ ସ୍ଥାନ କ୍ଷତ ହୋଇଥିଲା। ଘଟଣା ସଂକ୍ରାନ୍ତରେ ଖବର ପାଇ ଆଜି ସନ୍ଦିପଙ୍କ ପରିବାର ଲୋକେ ବୁର୍ଲା ଥାନା ପହଂଚି ଘଟଣା ସଂପର୍କରେ ଲିଖିତ ଅଭିଯୋଗ କରିଛନ୍ତି। ଏଥି ସହିତ ଭିସୁଟ୍ କର୍ତ୍ତୃପକ୍ଷଙ୍କଠାରେ ମଧ୍ୟ ଲିଖିତ ଅଭିଯୋଗ କରିବା ସହିତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରିଛନ୍ତି। ଭିସୁଟ୍‌ରେ ବାରମ୍ବାର ଛାତ୍ର ଗଣ୍ଡଗୋଳ ତଥା ରାଗିଂ ଭଳି ଅଘଟଣ ଘଟୁଥିଲେ ମଧ୍ୟ ଆଣ୍ଟି ରାଗିଂ କମିଟି, ଶୃଙ୍ଖଳା କମିଟି ତଥା ଭିସୁଟ୍ କର୍ତ୍ତୃପକ୍ଷ ଏହାକୁ ରୋକିବାରେ ଫେଲ୍ ମାରିଛନ୍ତି। ଏ ସଂପର୍କରେ ଭିସୁଟ୍ କୁଳପତି ପ୍ରଫେସର ବଂଶୀଧର ମାଝୀଙ୍କୁ ପଚାରିବାରୁ ସେ କହିଥିଲେ ଯେ ସଂପୃକ୍ତ ଛାତ୍ର ଅଭିଯୋଗ କରିଛନ୍ତି। ଆସନ୍ତାକାଲି ବିଶ୍ଵବିଦ୍ୟାଳୟ ପକ୍ଷରୁ ଏକ ଶୃଙ୍ଖଳା କମିଟି ଗଠନ କରାଯାଇ ଉଭୟ ଦିଗରୁ ତର୍ଜମା କରାଯିବ। ଶୃଙ୍ଖଳା କମିଟି ରିପୋର୍ଟ ଦାଖଲ ପରେ ଦୋଷୀ ଛାତ୍ରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସୂଚନାଯୋଗ୍ୟ ଯେ, ଗତ ନଭେମ୍ବର ୨୪ ତାରିଖ ବିଳମ୍ବିତ ରାତ୍ରିରେ ସେହି ପୁଲହ ଛାତ୍ରାବାସରେ ରହୁଥିବା ଇଲେ୍ଟ୍ରୋନିକ୍ସ ଆଣ୍ଡ ଟେଲି କମ୍ୟୁନିକେସନ୍ ବିଭାଗର ଜଣେ ଦ୍ଵିତୀୟ ବର୍ଷର ଛାତ୍ରଙ୍କୁ କେତେକ ବରିଷ୍ଠ ଛାତ୍ର ଆକ୍ରମଣ କରିଥିଲେ। ଏହି ଘଟଣାରେ ଭିସୁଟ୍ କର୍ତ୍ତୃପକ୍ଷ କେତେକ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ।