ଭୁବନେଶ୍ବର: ମହଙ୍ଗା ପଡ଼ିଲା ଆମ୍ବଟାକୁଆ ଜାଉ ପ୍ରସଙ୍ଗ। ରାଜ୍ୟ ସରକାର ଆଜି କଠୋର ଆଭିମୁଖ୍ୟ ଗ୍ରହଣ କରି ରାଜ୍ୟ ଯୋଗାଣ ସଚିବ ଦାୟିତ୍ବରୁ ବୀର ବିକ୍ରମ ଯାଦବଙ୍କୁ ହଟାଇ ଦେଇଛନ୍ତି। ତାଙ୍କ ବଦଳରେ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂହଙ୍କୁ ଯୋଗାଣ ବିଭାଗର ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଏଥିସହିତ ୭ବର୍ଷରୁ ଅଧିକ ସମୟ ଧରି ଯୋଗାଣ ବିଭାଗରେ ରହିଥିବା ବରିଷ୍ଠ ଆଇଏଏସ୍‌ ଅଧିକାରୀ ଶ୍ରୀ ଯାଦବଙ୍କ ବଦଳି ନିର୍ଦ୍ଦେଶ କ୍ଷମତା କରି଼ଡରରେ ଚର୍ଚ୍ଚାର ବିଷୟ ହୋଇଛି। ଗତ କିଛିଦିନ ହେବ ଯୋଗାଣ ବିଭାଗ ଚର୍ଚ୍ଚ‌ାରେ ରହିଛି। କନ୍ଧମାଳ ଜିଲ୍ଲା ମାଣ୍ଡିପଙ୍କା ଗାଁରେ ୨ଜଣ ମହିଳା ଆମ୍ବଟାକୁଆ ଜାଉ ଖାଇ  ପ୍ରାଣ ହରାଇବା ଘଟଣାରେ ଯୋଗାଣ ବିଭାଗର କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠିଥିଲା। ବିରୋଧୀମାନେ ଏହି ଘଟଣାରେ ରାଜ୍ୟ ସରକାରଙ୍କୁ ଘନ ଘନ ଟ‌ାର୍ଗେଟ୍ କରୁଥିଲେ। ୩ଦିନ ତଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାଧାରଣ ବଣ୍ଟନ ବ୍ୟବସ୍ଥାର ସମୀକ୍ଷା କରିବା ସହ ହିତାଧିକାରୀଙ୍କୁ ଅକ୍ଟୋବର-ଡିସେମ୍ବର ମାସର ୩ମାସିଆ ଆଗୁଆ ଚାଉଳ ପ୍ରଦାନ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ। ଏହି ପ୍ରକ୍ରିୟା ଅକ୍ଟୋବର ମାସରୁ ଆରମ୍ଭ ହୋଇଥିଲେ ହେଁ ୪୦ଲକ୍ଷ ପରିବାର ଏ ପର୍ଯ୍ୟନ୍ତ ଚାଉଳ ପାଇ ନ ଥିବା ଜଣାପଡ଼ିଥିଲା। ଏହି ଘଟଣାଟି ନୂଆ ସରକାରଙ୍କ ମୁଣ୍ଡରେ ଢେର୍ ଅପବାଦ ବି ଲଦିଥିଲା।

Advertisment

ଆଇଏଏସ୍ ସ୍ତରରେ ଅଦଳବଦଳ

କେବଳ ସେତିକି ନୁହେଁ, ଚଳିତମାସ ୨୧ ତାରିଖରୁ ବରଗଡ଼ରୁ ଖରିଫ୍ ଋତୁ ପାଇଁ ଧାନ କିଣା ଆରମ୍ଭ ହେବ। ଧାନ କିଣା ପାଇଁ ଖୁବ୍‌ଶୀଘ୍ର ମଣ୍ଡି ଖୋଲିବାକୁ ଯାଉଛି। ବର୍ଦ୍ଧିତ ଏମ୍‌ଏସ୍‌ପି ଅନୁସାରେ ଚାଷୀଙ୍କଠାରୁ କ୍ବିଣ୍ଟାଲ୍‌ ପିଛା ୩୧ଶହ ଟଙ୍କାରେ ଧାନ କିଣିବେ ରାଜ୍ୟ ସରକାର। ‌ହେଲେ ମଣ୍ଡି ଅବ୍ୟବସ୍ଥା ନେଇ ସରକାର ଅସନ୍ତୁଷ୍ଟ ଥିଲେ। ଏସବୁ କାରଣରୁ ଯୋଗାଣ ବିଭାଗରୁ ରାଜ୍ୟ ସରକାର ସଚିବଙ୍କୁ ହଟାଇ ଦେଇଥିବା କୁହାଯାଉଛି। 
ଏଥିସହିତ ସରକାର ଆଜି ଆଇଏଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି। ହେମନ୍ତ ଶର୍ମାଙ୍କ ହାତରୁ ଶକ୍ତି ବିଭାଗ କାଢ଼ି ନିଆଯାଇଛି। ଇଲେକଟ୍ରୋନିକ୍ସ ଓ ଆଇଟି ବିଭାଗର ପ୍ରମୁଖ ବିଶାଳ କୁମାର ଦେବଙ୍କୁ ଶକ୍ତି ବିଭାଗର ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି। ସେହିପରି ବିଶାଳ କୁମାର ଦେବଙ୍କ ହାତରୁ କାଢ଼ି ନେଇ ସରକାର ରାଜ୍ୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଂଜନ କୁମାର ସିଂହଙ୍କୁ ଓଏଫ୍‌ଡିସିର ଦାୟିତ୍ବ ଦେଇଛନ୍ତି। ଶ୍ରୀ ସିଂହ ଏସ୍‌ଆରସି ସହ ଓସ୍‌ଡମାର ଦାୟିତ୍ବରେ ମଧ୍ୟ ରହିବେ। ରାଜ୍ୟ କ୍ରୀଡ଼ା ବିଭାଗର ଦାୟିତ୍ବରେ ଥିବା ପ୍ରମୁଖ ସଚିବ ଭାସ୍କର ‌ଜ୍ୟୋତି ଶର୍ମାଙ୍କୁ ଓପିଟିସିଏଲ୍‌, ସିଏମ୍‌ଡିଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଏହାସହ କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ଗିରିଶ ଏସ୍‌.ଏନ୍‌ଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସଚିବ ଭାବେ ଦାୟିତ୍ବ ମିଳିଛି। 

ପଞ୍ଚାୟତିରାଜ ବିଭାଗର ସଚିବ ଗୁହା ପୁନମ ତାପସ କୁମାରଙ୍କୁ ସରକାର ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗର ସଚିବଭ‌ାବେ ବଦଳି କରିଛନ୍ତି। ଏହାସହ ତାଙ୍କୁ ଅବକାରୀ ବିଭାଗର ସଚିବଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ହସ୍ତତନ୍ତ, ହସ୍ତଶିଳ୍ପ ବିଭାଗର ଅତିରିକ୍ତ ଦାୟିତ୍ବରେ ଥିବା ଅରବିନ୍ଦ ପାଢ଼ୀ ଓ ଅବକାରୀ ବିଭାଗର ଦାୟିତ୍ବରେ ଥିବା ସୁଶୀଲ କୁମାର ଲୋହାନୀଙ୍କ ହାତରେ ଏସବୁ ବିଭାଗ ଥିଲା।