ଭୁବନେଶ୍ବର : ‘ତିତ୍ଲି’ ପ୍ରଭାବିତ ଗଞ୍ଜାମ ଜିଲ୍ଲାର ସୋରଡା ଓ ହିଞ୍ଜିଳିକାଟୁ ବ୍ଲକ ପରିଦର୍ଶନ କରିଛି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି)ର ଏକ ପ୍ରତିନିଧି ଦଳ। ଓୟୁଏଟି କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ନେତୃତ୍ବରେ ଭଞ୍ଜନଗର ଓ ବ୍ରହ୍ମପୁର କୃଷି ବିଜ୍ଞାନ କେନ୍ଦ୍ରର ଅଧିକାରୀ, ଜିଲ୍ଲା ଉଦ୍ୟାନକୃଷି ଅଧିକାରୀ, ସହ ଉଦ୍ୟାନକୃଷି ଅଧିକାରୀ, ଓୟୁଏଟି ସମ୍ପ୍ରସାରଣ ଶିକ୍ଷା ଅଧ୍ୟକ୍ଷ, ପନିପରିବା ବିଭାଗର ମୁଖ୍ୟ ୨୧ ଓ ୨୨ ତାରିଖରେ ଉକ୍ତ ଦୁଇ ବ୍ଲକର ବିଭିନ୍ନ ଗ୍ରାମକୁ ପରିଦର୍ଶନ କରିଛନ୍ତି।
ଗସ୍ତ ସମୟରେ ପ୍ରତିନିଧି ଦଳ ଦେଖିବାକୁ ପାଇଛନ୍ତି ଯେ ‘ତିତ୍ଲି’ ପରବର୍ତୀ ବନ୍ୟା ଯୋଗୁଁ ଅଧିକାଂଶ ଅଞ୍ଚଳରେ ଚାଷ ଉଜୁଡିଯାଇଛି। କୋବି ସମ୍ପୂର୍ଣ୍ଣ ନଷ୍ଟ ହୋଇଛି। କେତେକ ଜାଗାରେ ବାଲି ମାଡ଼ିଯାଇଛି। ସୋରଡ଼ା ବ୍ଲକର ବିଭିନ୍ନ ପଞ୍ଚାୟତର ଏଲ୍ଆଇ ପଏଣ୍ଟ ଅଚଳ ହୋଇଥିବା ବେଳେ ବିଦ୍ୟୁତ୍ ଖୁଣ୍ଟଗୁଡ଼ିକ ଭାସିଯାଇଛି। ଶୀତଦିନିଆ ପନିପରିବା ନଷ୍ଟ ହୋଇଛି। ନୂଆ ଚାରା ଲଗାଇବାକୁ ଚାଷୀମାନେ ବ୍ୟତିବ୍ୟସ୍ତ ହେଉଥିଲେ ମଧ୍ୟ ବିଦ୍ୟୁତ୍ ସଂଯୋଗ ହୋଇ ନ ଥିବାରୁ ଚାଷ ହୋଇପାରୁନି। ଯେଉଁ କେତେକ ଜମିରେ ପନିପରିବା ବଞ୍ଚିରହିଛି ସେଠାରେ ପାଣି ପହଞ୍ଚିପାରୁ ନ ଥିବାରୁ ପରିବା ଚାଷ ମରିବାକୁ ବସିଛି। ଯେକୌଣସି ପ୍ରକାରେ ଶୀଘ୍ର ବିଜୁଳି ସଂଯୋଗ କରାଗଲେ ଚାଷୀମାନେ ଚାଷକୁ ଫେରିପାରିେବ। ବ୍ଲକର କୋଟିବାଡ଼ି, ମୂଳିଆପଲ୍ଲି, ବାଗିଡ଼ି, ପଦ୍ମପୁର, ହାତୀଗଡ଼ା, କୈଳାଶପୁର, ଗେଞ୍ଜା ଆଦି ଅଞ୍ଚଳରେ ଅଧିକ ପନିପରିବା ଚାଷ ନଷ୍ଟ ହୋଇଥିବା ପ୍ରତିନିଧି ଦଳ ଦେଖିବାକୁ ପାଇଛନ୍ତି।
ବୁଡ଼ୁପୋଡ଼ା, ନନ୍ଦୀକ ଆଦି ଅଞ୍ଚଳରେ ବିସ୍ତୃତ ଭାବେ ପରିବା ନଷ୍ଟ ହୋଇଛି। ରାଳବ ଅଞ୍ଚଳରେ ପାନ ଚାଷ ଉଜୁଡ଼ିଯାଇଛି। ପାନ ମାଡ଼ୁଥିବା ଅଗସ୍ତି ଗଛଗୁଡ଼ିକ ତଳେ ପଡ଼ିଯାଇଛି। ନନ୍ଦୀକ ଗାଁରେ ପୋଟଳ ଚାଷ ନଷ୍ଟ ହୋଇଛି। ଏହାକୁ ଦୃଷ୍ଟିେର ରଖି ଚାଷୀଙ୍କୁ ଉଦ୍ୟାନକୃଷି ବିଭାଗ ତରଫରୁ ୩ଟି ପ୍ରସ୍ତାବ ଦିଆଯାଇଛି। ଅଗସ୍ତି ଗଛ ପରିବର୍ତ୍ତେ ପାନ ବଚଜ କରିବା, ପାନରସ ପ୍ରସ୍ତୁତ କରି ବଜାରକୁ ଛାଡ଼ିବା, ୧୦ ଜଣ ଅଗ୍ରଣୀ ଚାଷୀଙ୍କୁ ରାଜ୍ୟ ବାହାକୁ ବୁଲାଇ ଚାଷ ସମ୍ପର୍କିତ ଜ୍ଞାନ ପ୍ରଦାନ କରିବାକୁ ପ୍ରସ୍ତାବ ଦିଆଯାଇଛି। ୭ ଦିନ ମଧ୍ୟରେ ଚାଷୀଙ୍କଠାରୁ ଉତ୍ତର ମିଳିବା ପରେ ପ୍ରସ୍ତାବ କାର୍ଯ୍ୟକାରୀ ହେବ। ଭଞ୍ଜନଗର ଓ ବ୍ରହ୍ମପୁର କୃଷି ବିଜ୍ଞାନ କେନ୍ଦ୍ରରୁ ଜଣେ ଲେଖାଏଁ ବୈଜ୍ଞାନିକଙ୍କୁ ଯଥାକ୍ରମେ ସୋରଡା ଓ ହିଞ୍ଜିଳିକାଟୁ ବ୍ଲକରେ ରହି ଚାଷୀଙ୍କୁ ପରାମର୍ଶ ଦେବେ ବୋଲି ଓୟୁଏଟି କୁଳପତି କହିଛନ୍ତି।